ନୂଆଦିଲ୍ଲୀ, ୨୧|୦୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । କେହି କେହି ଏହାକୁ ସମର୍ଥନ କରୁଛନ୍ତି । ଆଉ କେହି ବିରୋଧ କରୁଛନ୍ତି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ ସେମାନେ କହୁଛନ୍ତି । କିନ୍ତୁ ସରକାର ଏସବୁ ମିଛ ଏବଂ ଗୁଜବ ବୋଲି ଆଶ୍ୱାସନା ଦେଉଛନ୍ତି । ଏସବୁ ଭିତରେ ଆଗକୁ ୨୦ ପ୍ରତିଶତରୁ ଅଧିକ ଇଥାନଲ ବ୍ୟବହାର ହେବା ନେଇ ପ୍ରଶ୍ନ ଉଠୁଛି । ଯାହା ଉପରେ ସରକାର ପ୍ରତିକ୍ରିୟା ରଖିଛନ୍ତି ।

ରାଜ୍ୟସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ରାଜ୍ୟ ମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ଯେ, ଯଦି ଭବିଷ୍ୟତରେ ଇଥାନଲର ମାତ୍ରା ବୃଦ୍ଧି ପାଇଁ ବିଚାର କରାଯିବ ତାହାଲେ ପ୍ରଥମେ ବୈଜ୍ଞାନିକ ପଦ୍ଧତିରେ ଗବେଷଣା ହେବ । ଏହାପରେ ଅଟୋମୋବାଇଲ, ପେଟ୍ରୋଲିୟମ ଏବଂ ରିସର୍ଚ୍ଚ ସେଣ୍ଟର ସହ ଆଲୋଚନା କରାଯିବ । ଏସବୁ ବିଚାରବିମର୍ଷ ପରେ ହିଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

Also Read :- ପେପର ଲିକ୍ ମହାପାପ, ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ନିଟ୍‌ ମାମଲାରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତରେ ୨୦ ପ୍ରତିଶତର ଇଥାନଲ ବ୍ଲେଣ୍ଡିଂ ଲକ୍ଷ୍ୟ ନିର୍ଧାରିତ ସମୟର ୫ ବର୍ଷ ପୂର୍ବରୁ ହାସଲ କରାଯାଇଛି । ୨୦୧୩-୧୪ରେ ପେଟ୍ରୋଲରେ ଇଥାନଲର ମାତ୍ରା କେବଳ ୧.୫୩ ପ୍ରତିଶଚ ଥିଲା । ୨୦୨୫-୨୬ରେ ଏହାକୁ ୨୦ ପ୍ରତିଶତ କରାଯାଇଛି । ଏବେ ସରକାରଙ୍କୁ ଇଞ୍ଜିନ ଖରାପ ହେବା, କଳଙ୍କି ଲାଗିବା ଭଳି ସମସ୍ୟା ବାବଦରେ କୌଣସି ଅଭିଯୋଗ ଆସିନାହିଁ । କୋଟି କୋଟି ଦୁଇ ଚକିଆ ବାହାନ ବର୍ଷ ବର୍ଷ ଧରି ଇଥାନଲ ମିଶ୍ରିତ ପେଟ୍ରୋଲରେ ଚାଲିଛି । କୌଣସି ଗାଡି଼ ଖରାପ ହେଉ ନାହିଁ । କିନ୍ତୁ ପୁରୁଣା ଇ-୧୦ ବାଇକର ମାଇଲେଜ୍ ସାମାନ୍ୟ କମ୍ ହୋଇପାରେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଖାଦ୍ୟ ସୁରକ୍ଷା ଉପରେ ପଡିବନି ପ୍ରଭାବ

ଅନ୍ୟ ଦିଗରେ ଇଥାନଲ ବ୍ୟବହାର ପାଇଁ ବଳକା ଶସ୍ୟକୁ ବ୍ୟବହାର କରାଯାଉଛି । ଏହା ଖାଦ୍ୟ ସଙ୍କଟ ସୃଷ୍ଟି କରିବ ନାହି । ଏବେ ପେଟ୍ରୋଲ ପମ୍ପରେ ବିନା ଇଥାନଲ ଯୁକ୍ତ ପେଟ୍ରୋଲ ମିଳିବା ନେଇ ଯୋଜନା ପ୍ରସ୍ତୁତ ହୋଇନାହିଁ । ଏହାଦ୍ୱାରା ଲକ୍ଷ୍ୟ ପୂର୍ଣ୍ଣ ହେବନି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।