ଇସଲାମାବାଦ : ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ବଳ ପକ୍ଷରୁ ଚାଲିଛି ବଡ଼ ଧରଣର ସାମରିକ ଅଭିଯାନ। ‘ଅପରେସନ୍ ଶବାନ’ ନାମରେ ଚାଲୁଥିବା ଏହି ଅଭିଯାନରେ ଗତ ଏକ ସପ୍ତାହ ମଧ୍ୟରେ ୧୦୯ ଜଣ ଉଗ୍ରବାଦୀ ନିହତ ହୋଇଥିବା ଦାବି କରିଛି ପାକିସ୍ତାନର ସୁରକ୍ଷା ସଂସ୍ଥା। ନିକଟରେ ପୋଲିସ ଓ ସୁରକ୍ଷା ବଳ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣ ପରେ ଏହି ଅଭିଯାନକୁ ଆହୁରି ତୀବ୍ର କରାଯାଇଛି। ‘ଅପରେସନ୍ ଶବାନ’ ଜୁଲାଇ ୭ ତାରିଖରୁ ଆରମ୍ଭ କରାଯାଇଥିଲା। ସପ୍ତାହର ଆରମ୍ଭରେ ଆତଙ୍କବାଦୀମାନଙ୍କ ଘାତକ ଆକ୍ରମଣରେ ଅନେକ ସୁରକ୍ଷାକର୍ମୀ ପ୍ରାଣ ହରାଇବା ପରେ ପାକିସ୍ତାନ ସୁରକ୍ଷା ବଳ ଏହି ବୃହତ୍ ଅଭିଯାନ ଆରମ୍ଭ କରିଥିଲା। ବାଲୁଚିସ୍ତାନର କ୍ୱେଟା ଜିଲ୍ଲା ଅନ୍ତର୍ଗତ ଶବାନ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ ଏହି ଅପରେସନ୍ ଜାରି ରହିଛି।

ଏହାପୂର୍ବରୁ ଜୁଲାଇ ୫ ତାରିଖରେ ଏହି ଅଞ୍ଚଳର ମାଙ୍ଗି ଡ୍ୟାମ୍ ପମ୍ପିଂ ଷ୍ଟେସନ୍ରେ ଥିବା ଏକ ପୋଲିସ ପୋଷ୍ଟ ଉପରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୭ ଜଣ ପୋଲିସକର୍ମୀ ନିହତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ପମ୍ପିଂ ଷ୍ଟେସନ୍ରୁ ବେଲୁଚିସ୍ତାନର ରାଜଧାନୀ କ୍ୱେଟା ସମେତ ଆଖପାଖ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯାଏ। ସେହି ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଠାବ କରି ନିପାତ କରିବା ପାଇଁ ପାକିସ୍ତାନ ସୁରକ୍ଷା ବଳ ‘ଅପରେସନ୍ ଶବାନ’ ଆରମ୍ଭ କରିଥିଲା। ପ୍ରତିରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଚାଲିଥିବା ଅଭିଯାନ ସମୟରେ ଆଉ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ ‘ଅପରେସନରେ ନିହତ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ି ୭୧ରେ ପହଞ୍ଚିଛି। ସୁରକ୍ଷା ବଳର କହିବା ଅନୁଯାୟୀ, ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଓ କମ୍ବିଂ ଅପରେସନ୍ ଜାରି ରହିଛି ଏବଂ ଅବଶିଷ୍ଟ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଅଭିଯାନକୁ ଆହୁରି ଜୋରଦାର କରାଯାଇଛି।

ପାକିସ୍ତାନ ସରକାର ଏହି ଆକ୍ରମଣ ପାଇଁ ବେଲୁଚ ଲିବରେସନ୍ ଆର୍ମି ବା BLAକୁ ଦାୟୀ କରୁଛି। ବର୍ଷ ବର୍ଷ ଧରି ବେଲୁଚିସ୍ତାନରେ ସକ୍ରିୟ ଥିବା ଏହି ବିଚ୍ଛିନ୍ନତାବାଦୀ ସଂଗଠନ ସୁରକ୍ଷା ବଳ, ସରକାରୀ ସଂସ୍ଥା ଓ ବିକାଶ ପ୍ରକଳ୍ପକୁ ଟାର୍ଗେଟ୍ କରି ଆସୁଛି। ଖଣିଜ ସମ୍ପଦରେ ସମୃଦ୍ଧ ହୋଇଥିଲେ ମଧ୍ୟ ବେଲୁଚିସ୍ତାନ ଦୀର୍ଘ ଦିନ ଧରି ବିଚ୍ଛିନ୍ନତାବାଦୀ ହିଂସାର କେନ୍ଦ୍ର ପାଲଟିଛି। ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ କହିଛନ୍ତି, ଦେଶରେ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଦମନ କରିବା ପର୍ଯ୍ୟନ୍ତ ସୁରକ୍ଷା ଅଭିଯାନ ଜାରି ରହିବ।

ଅନ୍ୟପକ୍ଷରେ ମାନବାଧିକାର ସଂଗଠନଗୁଡ଼ିକ ବେଲୁଚିସ୍ତାନରେ ଚାଲୁଥିବା ସାମରିକ ଅଭିଯାନ ସମୟରେ ସାଧାରଣ ନାଗରିକଙ୍କ ସୁରକ୍ଷା ଓ ମାନବାଧିକାର ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ଅଶାନ୍ତିରେ ଜର୍ଜରିତ ବେଲୁଚିସ୍ତାନରେ ଗତ କିଛି ମାସ ହେବ ହିଂସା ଘଟଣା ଆହୁରି ବଢ଼ିଛି। ଏଠାରେ ସକ୍ରିୟ ଥିବା ବାଲୁଚ ବିଦ୍ରୋହୀ ଗୋଷ୍ଠୀ ଏବଂ ତହ୍ରିକ୍-ଇ-ତାଲିବାନ୍ ପାକିସ୍ତାନ (ଟିଟିପି) ସହ ଜଡ଼ିତ ଆତଙ୍କବାଦୀମାନେ ବାରମ୍ବାର ପାକିସ୍ତାନର ସୁରକ୍ଷା ବଳକୁ ଟାର୍ଗେଟ୍ କରି ଆକ୍ରମଣ କରୁଛନ୍ତି। ଏହି କାରଣରୁ ବେଲୁଚିସ୍ତାନର ସୁରକ୍ଷା ପରିସ୍ଥିତି ଲଗାତାର ଚିନ୍ତାଜନକ ହୋଇପଡ଼ିଛି।