ଇସଲାମାବାଦ: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଦାର୍‌ ବଡ଼ ବିବାଦ ଭିତରେ ଫସିଛନ୍ତି । ଦୁଇଜଣ ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କ ନାତିଙ୍କୁ ପୋଲିସ ଗିରଫ କରିବା ପରେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ହାଇପ୍ରୋଫାଇଲ୍ ମାମଲା ସାମ୍ନାକୁ ଆସିବା ପରେ ଉପ-ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଛି।

ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାରଙ୍କ ନାତି ମହମ୍ମଦ ରଜା ଦାରଙ୍କୁ ଏହି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି। ଗତ ଜୁନ୍ ୨୯ ତାରିଖରେ ଲାହୋରଠାରେ ଏହି ବର୍ବରକାଣ୍ଡ ଘଟିଥିଲା। ପୀଡ଼ିତା ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ଭେନେଜୁଏଲାର ଏବଂ ଅନ୍ୟ ଜଣେ ନେଦରଲ୍ୟାଣ୍ଡର ନାଗରିକ ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ଗତ ବର୍ଷ ସିଙ୍ଗାପୁରରେ ରଜା ଦାର୍‌ ସେହି ମହିଳାମାନଙ୍କୁ ଭେଟିଥିଲେ ଏବଂ ସେମାନେ ଏକ କ୍ରିପ୍ଟୋକରେନ୍ସି  ବ୍ୟବସାୟରେ ଅଂଶୀଦାର ଥିଲେ। ରଜା ହିଁ ସେମାନଙ୍କ ପାଇଁ ପାକିସ୍ତାନ ଆସିବାକୁ ବିଜନେସ୍ ଭିସାର ବ୍ୟବସ୍ଥା କରିଥିଲେ। ପିଟିଆଇର ସୂଚନା ଅନୁଯାୟୀ, ପୋଲିସ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଅଛି। ଲାହୋରର ଏକ ଅଦାଲତ ଗିରଫ ହୋଇଥିବା ରଜା ଦାର୍‌ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ୫ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି।

ଇସ୍ତଫା ଦାବି କଲେ ସିନେଟର
ପାକିସ୍ତାନ ସେନାର ଅତି ନିକଟତର କୁହାଯାଉଥିବା ସିନେଟର ଫୈସଲ ବାଭଡା ଶନିବାର ଦିନ ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାରଙ୍କ ଇସ୍ତଫା ଦାବି କରିଛନ୍ତି। ବିଦେଶୀ ମହିଳାଙ୍କ ଅପହରଣ ଏବଂ ସେମାନଙ୍କୁ  ଗଣଦୁଷ୍କର୍ମ ଭଳି ସଂଗୀନ ମାମଲା ଦେଶର ସମ୍ମାନ ହାନୀ କରିଛି ବୋଲି ସେ ଦାବି କରିଛନ୍ତି । ଏହା ସହିତ ସିନେଟର ବାଭଡା କେନ୍ଦ୍ର ସରକାର ଏବଂ ପଞ୍ଜାବ ପ୍ରାନ୍ତର ଆଞ୍ଚଳିକ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମନ୍ତ୍ରୀଙ୍କ ପରିବାରକୁ ବଞ୍ଚାଇବା ପାଇଁ ଏବଂ ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ସରକାରୀ ସ୍ତରରେ ଚେଷ୍ଟା କରାଯାଉଛି। ତେବେ ଏହି ଘଟଣା ପାକିସ୍ତାନ ରାଜନୀତିରେ ଝଡ଼ ସୃଷ୍ଟି କରିଛି।