ନୂଆଦିଲ୍ଲୀ ୦୭।୧୦: ଗଛ ନିଜ ଜାଗାରୁ ଘୁଞ୍ଚିପାରେନା । ଅପରାଧ କରିପାରେନା । କୋର୍ଟରେ ହାଜର ହୋଇପାରେନା କି ଗିରଫଦାରୀ ନିର୍ଦ୍ଦେଶକୁ ବି ବୁଝିପାରେନା । ତଥାପି ପାକିସ୍ତାନରେ ଖୈବର ଘାଟିର ପଶ୍ଚିମ ପ୍ରାନ୍ତରେ ସ୍ଥିତ ଲାଣ୍ଡି କୋତଲ ସହରରେ ଏକ ବର ଗଛ ଦୀର୍ଘ ଏକ ଶତାବ୍ଦୀରୁ ଉଦ୍ଧ୍ୱର୍ ସମୟ ଧରି ଚେନରେ ବନ୍ଧା ହୋଇଛି । ଗଛରେ ଝୁଲୁଥିବା ଏକ ବୋର୍ଡରେ ଲେଖାଯାଇଛି ‘ମୋତେ ଗିରଫ କରାଯାଇଛି ।’ ଏହି ଅସାଧାରଣ ଦୃଶ୍ୟ ୧୮୯୮ ମସିହା ପୁରୁଣା । ସେତେବେଳେ ଏ ଅଞ୍ଚଳ ବ୍ରିଟିଶ ଶାସନ ଅଧୀନରେ ଥିଲା ।

କାହାଣୀ ବ୍ରିଟିଶ ସେନାଧିକାରୀ ଜେମ୍ସ ସ୍କ୍ୱିଡଙ୍କ ଉପରେ ପର୍ଯ୍ୟବସିତ । ଦିନେ ସନ୍ଧ୍ୟାରେ ସେ ମଦ୍ୟପାନ କରିଥିଲେ । ଏହି ସମୟରେ ତାଙ୍କୁ ଲାଗିଲା ଯେ ଏକ ବର ଗଛ ତାଙ୍କ ଆଡ଼କୁ ଆସୁଛି । ଗଛଟି କୌଣସି ପ୍ରକାର ଖସି ପଳାଇବ ବୋଲି ଭାବି ତାକୁ ଗିରଫ କରିବାର ଅଦ୍ଭୁତ ନିର୍ଦ୍ଦେଶ ଦେଲେ । ତାଙ୍କ ନିର୍ଦ୍ଦେଶ ପାଳନ କରାଗଲା । ତା’ପରଠୁ ଦୀର୍ଘ ୧୨୦ ବର୍ଷ ଧରି ବର ଗଛ ଚେନ୍ରେ ବନ୍ଧା ହୋଇଛି । କାହାଣୀଟି ଦୀର୍ଘ ବର୍ଷ ଧରି ଅନ୍ତର୍ଜାତୀୟ ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିଆସିଛି । ୨୦୦୨ରେ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।

ରିପୋର୍ଟ ଅନୁସାରେ, ଖୈବର ରାଇଫଲ୍ସ ମେସ୍ ସେକ୍ରେଟାରୀ କ୍ୟାପ୍ଟେନ୍ ନାସିର ଫାରୁକ କହିଥିଲେ- ବର ଗଛଟି ପେଶାୱାର ଅଭିମୁଖେ ଯାଉଥିବା ସ୍କ୍ୱିଡଙ୍କର ମନେହେଲା । ତେଣୁ ତାକୁ ବାନ୍ଧିବାକୁ ସେ କନିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲାଣ୍ଡି କୋତଲ ଅନ୍ୟତମ ଐତିହାସିକ ମାର୍ଗ, ଯାହା ଭାରତୀୟ ଉପମହାଦେଶକୁ ଆଫଗାନିସ୍ତାନ ସହ ଯୋଡ଼େ । ସୀମାରେ ଅବସ୍ଥାନ କରୁଥିବାରୁ ବ୍ରିଟିଶ ଶାସନ କାଳରେ ସାମରିକ ମହତ୍ୱ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।