ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ସଭା (UNGA) ପକ୍ଷରୁ ସଂଗଠନର ସବୁଠାରୁ ଶକ୍ତିଶାଳୀ ସଂସ୍ଥା ଜାତିସଂଘ ସୁରକ୍ଷା ପରିଷଦ' (UNSC)ର ୫ଟି ନୂଆ ଅସ୍ଥାୟୀ ସଦସ୍ୟ ଦେଶ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଅଷ୍ଟ୍ରିଆ, କିର୍ଗିଜସ୍ତାନ, ପର୍ତ୍ତୁଗାଲ, ତ୍ରିନିଦାଦ ଆଣ୍ଡ ଟୋବାଗୋ ଏବଂ ଜିମ୍ବାୱେ ବିଜୟୀ ହୋଇଛନ୍ତି। ଏହି ନୂଆ ସଦସ୍ୟମାନଙ୍କ କାର୍ଯ୍ୟକାଳ ୧ ଜାନୁଆରୀ ୨୦୨୭ ରୁ ଆରମ୍ଭ ହୋଇ ଦୁଇ ବର୍ଷ ପାଇଁ ରହିବ। ତେବେ ଏହି ନିର୍ବାଚନ ବିଶ୍ୱ ରାଜନୀତିରେ ଅନେକ ବଡ଼ ପରିବର୍ତ୍ତନ ଆଣିଛି।

ପାକିସ୍ତାନ ବିଦା

୨୦୨୫-୨୦୨୬ କାର୍ଯ୍ୟକାଳ ପାଇଁ ପାକିସ୍ତାନ UNSC ର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲା। ଏହି ସମୟ ମଧ୍ୟରେ ପାକିସ୍ତାନ ସୁରକ୍ଷା ପରିଷଦର ଆବର୍ତ୍ତନ ଶୈଳୀ (Rotational policy) ଅନୁଯାୟୀ ଅଧ୍ୟକ୍ଷତା କରିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ କମିଟିର ନେତୃତ୍ୱ ମଧ୍ୟ ନେଇଥିଲା। କିନ୍ତୁ ୩୧ ଡିସେମ୍ବର ୨୦୨୬ ରେ ପାକିସ୍ତାନର ଏହି କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରୁ ତା’ର ସ୍ଥାନ ଏବେ କିର୍ଗିଜସ୍ତାନ ନେବ।

ପ୍ରଥମ ଥର ପାଇଁ କିର୍ଗିଜସ୍ତାନର ପ୍ରବେଶ

ଏସିଆ-ପ୍ରଶାନ୍ତ ଗ୍ରୁପରେ ଏହି ସିଟ୍ ପାଇଁ ଫିଲିପାଇନ୍ସ ଏବଂ କିର୍ଗିଜସ୍ତାନ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଚାରି ପର୍ଯ୍ୟାୟ ଭୋଟ୍ ଗ୍ରହଣ ପରେ କିର୍ଗିଜସ୍ତାନ ଆବଶ୍ୟକ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। କିର୍ଗିଜସ୍ତାନ ସପକ୍ଷରେ ୧୪୨ଟି ଭୋଟ୍ ପଡ଼ିଥିବା ବେଳେ ଫିଲିପାଇନ୍ସ ମାତ୍ର ୪୯ଟି ଭୋଟ୍ ପାଇବାରେ ସକ୍ଷମ ହୋଇଥିଲା। ଏହା ସହ କିର୍ଗିଜସ୍ତାନ ଇତିହାସରେ ପ୍ରଥମ ଥର ପାଇଁ UNSC ର ସଦସ୍ୟ ହେବାର ଗୌରବ ଅର୍ଜନ କରିଛି।

ଜର୍ମାନୀର ବଡ଼ ପରାଜୟ

ଏହି ନିର୍ବାଚନର ସବୁଠାରୁ ଚମକାଇଲା ଭଳି ଖବର ହେଉଛି, ଜର୍ମାନୀର ପରାଜୟ। ପଶ୍ଚିମ ୟୁରୋପ ଏବଂ ଅନ୍ୟାନ୍ୟ ଦେଶ ଗ୍ରୁପ୍ର ଦୁଇଟି ଆସନ ପାଇଁ ଜର୍ମାନୀ, ଅଷ୍ଟ୍ରିଆ ଏବଂ ପର୍ତ୍ତୁଗାଲ ମଧ୍ୟରେ ଲଢ଼େଇ ହୋଇଥିଲା। ପୂର୍ବରୁ ୬ ଥର ଏହି ସିଟ୍ ଜିତିଥିବା ଜର୍ମାନୀକୁ ଏଥର ମାତ୍ର ୧୦୪ଟି ଭୋଟ୍ ମିଳିଥିଲା, ଯେଉଁଠାରେ ପର୍ତ୍ତୁଗାଲକୁ ୧୩୪ ଏବଂ ଅଷ୍ଟ୍ରିଆକୁ ୧୩୧ଟି ଭୋଟ୍ ମିଳିଥିଲା। ଜର୍ମାନୀର ଚାନ୍ସଲର ଫ୍ରେଡ୍ରିକ୍ ମର୍ଜ ଏହାକୁ ଏକ ବଡ଼ ବିଫଳତା ବୋଲି କହିଛନ୍ତି। ବିଶେଷଜ୍ଞଙ୍କ ମତରେ, ଇସ୍ରାଏଲ୍ ଏବଂ ଆମେରିକା-ଇରାନ ବିବାଦ ଉପରେ ଜର୍ମାନୀର ନରମ ଆଭିମୁଖ୍ୟ ଯୋଗୁଁ ଅନେକ ଦେଶ ତା’ଠାରୁ ଦୂରେଇ ଯାଇଛନ୍ତି। ଜର୍ମାନୀ ଦୀର୍ଘ ସମୟ ହେବ UNSC ର ସ୍ଥାୟୀ ସଦସ୍ୟତା ଏବଂ ଏହାର ସଂପ୍ରସାରଣ ପାଇଁ ଦାବି କରିଆସୁଛି।

ଆମେରିକାକୁ ଝଟକା

UNSC ନିର୍ବାଚନରେ ଫିଲିପାଇନ୍ସର ପରାଜୟ ଆମେରିକା ପାଇଁ ଏକ ବଡ଼ ଝଟକା । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (Indo-Pacific Region) ରେ ଚୀନର ବଢ଼ୁଥିବା ପ୍ରଭାବକୁ ରୋକିବା ପାଇଁ ୱାଶିଂଟନ ଫିଲିପାଇନ୍ସକୁ ଏକ ପ୍ରମୁଖ ସହଯୋଗୀ ଭାବେ ଆଗକୁ ବଢ଼ାଉଥିଲା। କିନ୍ତୁ ଚୀନ୍ ନେତୃତ୍ୱାଧୀନ ଶାଙ୍ଘାଇ ସହଯୋଗ ସଂଗଠନ (SCO) ର ସଦସ୍ୟ ଥିବା କିର୍ଗିଜସ୍ତାନ ଠାରୁ ଫିଲିପାଇନ୍ସ ହାରିଯିବା ପରେ, ଅନ୍ତର୍ଜାତୀୟ ସ୍ତରରେ ଆମେରିକାର ପ୍ରଭାବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନୂତନ ସୁରକ୍ଷା ପରିଷଦ

ଆଫ୍ରିକା ଗ୍ରୁପରୁ ଜିମ୍ବାୱେ (ସୋମାଲିଆ ସ୍ଥାନରେ) ଏବଂ ଲାଟିନ୍ ଆମେରିକା-କାରିବିଆନ୍ କ୍ଷେତ୍ରରୁ ତ୍ରିନିଦାଦ ଆଣ୍ଡ ଟୋବାଗୋ (ପାନାମା ସ୍ଥାନରେ) ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ ପର୍ତ୍ତୁଗାଲ ଏବଂ ଅଷ୍ଟ୍ରିଆ ଏବେ ଡେନମାର୍କ ଓ ଗ୍ରୀସର ସ୍ଥାନ ନେବେ। ଏହି ୫ଟି ନୂଆ ସଦସ୍ୟ ଦେଶ ବାହାରିନ, କଲୋମ୍ବିଆ, କଙ୍ଗୋ, ଲାଟଭିଆ ଏବଂ ଲାଇବେରିଆ ସହ ମିଶି ପରିଷଦରେ କାର୍ଯ୍ୟ କରିବେ।

UNSC କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ?

ଜାତିସଂଘ ସୁରକ୍ଷା ପରିଷଦରେ ମୋଟ ୧୫ଟି ଦେଶ ଅଛି । ଏଥିମଧ୍ୟରୁ ୫ଟି ସ୍ଥାୟୀ ସଦସ୍ୟ (ଆମେରିକା, ରୁଷ, ଚୀନ, ଫ୍ରାନ୍ସ ଏବଂ ବ୍ରିଟେନ) ଏବଂ ୧୦ଟି ଅସ୍ଥାୟୀ ସଦସ୍ୟ।ସ୍ଥାୟୀ ସଦସ୍ୟଙ୍କ ପାଖରେ 'ଭିଟୋ ପାୱାର' (Veto Power) ଥାଏ। ଏହି ପରିଷଦ ବିଶ୍ୱରେ ଶାନ୍ତି ଓ ସୁରକ୍ଷା ରକ୍ଷା କରିବା, କୌଣସି ଦେଶ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଜୁରୀ ଦେବାର ସର୍ବୋଚ୍ଚ ଅଧିକାର ରଖିଥାଏ। ବର୍ତ୍ତମାନ ସମୟରେ ୟୁକ୍ରେନ ଏବଂ ମଧ୍ୟପ୍ରାଚ୍ୟ (Middle East) ସଙ୍କଟ ଭଳି ଜଟିଳ ପରିସ୍ଥିତି ମଧ୍ୟରେ ଏହି ନୂତନ ପରିଷଦ କିଭଳି କାର୍ଯ୍ୟ କରୁଛି, ତାହା ଉପରେ ସମଗ୍ର ବିଶ୍ୱର ନଜର ରହିବ।