ଇସ୍ଲାମାବାଦ: ପାକିସ୍ତାନ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ବୁଧବାର ଦୁର୍ଘଟଣାରେ ଧ୍ୱଂସ ହୋଇଯାଇଛି। ବିମାନଟି ପାକିସ୍ତାନ ପଞ୍ଜାବ ଉପରେ ଉଡୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବିମାନରେ ଥିବା ୨ ପାଇଲଟ ସମୟ ପୂର୍ବରୁ ବାହାରି ଯାଇଥିଲେ। ଏହି ବିମାନ ଦୁର୍ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିବା ଦେଖା ଯାଉଛି। ସେହିପରି ବିମାନ ଆକାଶରୁ ଖସିବାର କିଛି ସମୟ ପୂର୍ବରୁ ପାଇଲଟ ପାରାସୁଟ୍ ଦ୍ୱାରା ଖସୁଥିବାର ଦେଖା ଯାଇଛନ୍ତି।

ତେବେ ଦୁର୍ଘଟଣା କାହିଁକି ଘଟିଲା ତାହା ଜଣାପଡି ନାହିଁ। ଏହି ଘଟଣାକୁ ନେଇ ପାକିସ୍ତାନୀ ବାୟୁସେନା କୌଣସି ବିବୃତ୍ତି ଜାରି କରି ନାହିଁ। ଯଦିଓ ପାଇଲଟ ବିମାନରୁ ବାହାରି ଯାଇଛନ୍ତି ସେମାନଙ୍କ ପରବର୍ତ୍ତି ଅବସ୍ଥା ନେଇ ମଧ୍ୟ କୌଣସି ସୂଚନା ଆସି ନାହିଁ। ତେବେ ସୋସିଆଲ ମିଡିଆ ପୋଷ୍ଟରେ ପାଇଲଟ ପାରାସ୍ୟୁଟରେ ଓହ୍ଲାଇବା ପରେ ସ୍ଥାନୀୟ ଲୋକେ ସମାନଙ୍କୁ ଉଦ୍ଧାର କରିଛନ୍ତି ଓ ସେମାନେ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ହୋଙ୍ଗଦୁ ଜେଏଲ-୮ ଥିଲା। ଏହି ବିମାନଟି ନିୟମିତ ପ୍ରଶିକ୍ଷଣ ଉଡାଣରେ ଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି।

ଏହା ଏକ ପ୍ରଶିକ୍ଷଣ ବିମାନ, ପାକିସ୍ତାନ ବାୟୁସେନା ପାଇଲଟଙ୍କ ଟ୍ରେନିଂ ଓ ଅପରେସନାଲ ଅଭ୍ୟାସ ନିମନ୍ତେ ଏପରି ବିମାନକୁ ଉପଯୋଗ କରିଥାଏ। ଏହାକୁ ଚୀନ୍ ଓ ପାକିସ୍ତାନ ମିଳିତ ବିକଶିତ କରିଛନ୍ତି। ଜେଏଲ-୮ ଅନେକ ବର୍ଷରୁ ପାକିସ୍ତାନ ପାଇଲଟ ଟ୍ରେନିଂ ପ୍ରୋଗ୍ରାମର ଅଂଶବିଶେଷ ହୋଇ ରହି ଆସିଛି। ସଣ୍ଡେ ଗାର୍ଡିଆନ ଅନୁସାରେ ଟ୍ରେନିଂ ମିସନ କାଳରେ ବିମାନର ଇଞ୍ଜିନରେ ତ୍ରୁଟି ଦେଖା ଦେଇଥିଲା। ଏଣୁ ହୁଏତ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଅନୁମାନ କରାଯାଇଛି। କୁହାଯାଉଛି ଅଧିକାରୀ ଦୁର୍ଘଟଣା ପଛର ଅସଲ କାରଣ ଜାଣିବା ଲାଗି ଯାଞ୍ଚ ଆରମ୍ଭ କରିଦେଇଛନ୍ତି।