ଲାହୋର: ୧୯୪୭ ମସିହାରେ ଭାରତ ବିଭାଜନ ହେବାର ପ୍ରାୟ ୮ ଦଶନ୍ଧି ପରେ, ପାକିସ୍ତାନର ଏକ ଐତିହାସିକ ସହର ଲାହୋର ପୁଣିଥରେ ନିଜର ପୁରୁଣା ସାଂସ୍କୃତିକ ପରିଚୟକୁ ଫେରି ପାଇବାକୁ ଯାଉଛି। ଲାହୋରର ବିଭିନ୍ନ ଗଳି, କନ୍ଦି ଓ ପ୍ରମୁଖ ରାସ୍ତାଗୁଡ଼ିକରେ ଥିବା ହିନ୍ଦୁ, ଶିଖ୍, ଜୈନ ଏବଂ ବ୍ରିଟିଶ (ଔପନିବେଶିକ) ସମୟର ନାମଗୁଡ଼ିକୁ ପୁନର୍ବାର ସ୍ଥାପନ କରାଯାଉଛି। ପୂର୍ବରୁ ଏହି ସ୍ଥାନଗୁଡ଼ିକର ନାମ ବଦଳାଇ ବିଭିନ୍ନ ଇସଲାମିକ, ପାକିସ୍ତାନୀ କିମ୍ବା ସ୍ଥାନୀୟ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ କରାଯାଇଥିଲା।

ଏହି କ୍ରମରେ 'ଇସଲାମପୁରା'କୁ ପୁଣିଥରେ 'କ୍ରିଷ୍ଣା ନଗର' କରାଯାଇଥିବା ବେଳେ 'ବାବ୍ରୀ ମସଜିଦ ଚୌକ'ର ନାଁ ପରିବର୍ତ୍ତନ କରାଯାଇ ପୁଣି 'ଜୈନ ମନ୍ଦିର ଚୌକ' ରଖାଯାଇଛି। ସେହିପରି 'ସୁନ୍ନତ ନଗର' ଏବେ 'ସନ୍ଥ ନଗର' ଏବଂ 'ମୁସ୍ତଫାବାଦ' ପୁଣିଥରେ 'ଧର୍ମପୁରା' ନାମରେ ଜଣାଶୁଣା ହେବ।

ମରିୟମ ନୱାଜ ସରକାରଙ୍କ ବଡ଼ ନିଷ୍ପତ୍ତି

ପାକିସ୍ତାନ ପଞ୍ଜାବ ସରକାରଙ୍କ ଜଣେ ଅଧିକାରୀ ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ, କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଲାହୋର ଏବଂ ଏହାର ଆଖପାଖ ଅଞ୍ଚଳର ରାସ୍ତାଗୁଡ଼ିକର ମୂଳ ତଥା ଐତିହାସିକ ନାମ ଫେରାଇ ଆଣିବା ଯୋଜନାକୁ ମଞ୍ଜୁରୀ ମିଳିଛି। ଗତ ଦୁଇ ମାସ ମଧ୍ୟରେ ଲାହୋରର ଅନେକ ସ୍ଥାନରେ ଏହି ପୁରୁଣା ନାମ ଥିବା ନୂଆ ସାଇନବୋର୍ଡଗୁଡ଼ିକ ମଧ୍ୟ ଲଗାଯାଇ ସାରିଲାଣି। ବର୍ତ୍ତମାନ ସୁଦ୍ଧା ୯ଟି ପ୍ରମୁଖ ସ୍ଥାନର ନାମକୁ ସରକାରୀ ଭାବେ ପରିବର୍ତ୍ତନ କରାଯାଇ ସେମାନଙ୍କର ପୁରୁଣା ପରିଚୟ ଫେରାଇ ଦିଆଯାଇଛି।

ପରିବର୍ତ୍ତନ ହୋଇଥିବା ପ୍ରମୁଖ ସ୍ଥାନଗୁଡ଼ିକର ତାଲିକା:

କ୍ରିଷ୍ଣା ନଗର (ପୂର୍ବ ନାମ: ଇସଲାମପୁରା)
ଜୈନ ମନ୍ଦିର ଚୌକ (ପୂର୍ବ ନାମ: ବାବ୍ରୀ ମସଜିଦ ଚୌକ)
ସନ୍ଥ ନଗର (ପୂର୍ବ ନାମ: ସୁନ୍ନତ ନଗର)
ଧର୍ମପୁରା (ପୂର୍ବ ନାମ: ମୁସ୍ତଫାବାଦ)
ଲକ୍ଷ୍ମୀ ଚୌକ (ପୂର୍ବ ନାମ: ମୌଲାନା ଜାଫର ଅଲ୍ଲୀ ଖାନ ଚୌକ)
ଡେଭିସ ରୋଡ୍ - Davies Road (ପୂର୍ବ ନାମ: ସାର୍ ଆଗା ଖାନ ରୋଡ୍)
କ୍ୱିନ୍ସ ରୋଡ୍ - Queens Road (ପୂର୍ବ ନାମ: ଫାତିମା ଜିନ୍ନା ରୋଡ୍)
ଲରେନ୍ସ ଗାର୍ଡେନ୍ସ - Lawrence Gardens (ପୂର୍ବ ନାମ: ବାଗ୍-ଇ-ଜିନ୍ନା)

ଏହା ବ୍ୟତୀତ ଜେଲ୍ ରୋଡ୍, ଏମ୍ପ୍ରେସ୍ ରୋଡ୍, ବ୍ରାଣ୍ଡ୍ରେଥ୍ ରୋଡ୍, ରାମ ଗଲି (ଯାହାକୁ ରେହମାନ ଗଲି କରାଯାଇଥିଲା), ଟେମ୍ପଲ ଷ୍ଟ୍ରିଟ୍, କୁମ୍ଭାରପୁରା (ଘାଜିଆବାଦ), ମୋହନ ଲାଲ ବଜାର, ସୁନ୍ଦର ଦାସ ରୋଡ୍, ଭଗବାନ ପୁରା, ଶାନ୍ତି ନଗର ଏବଂ ଆଉଟଫଲ୍ ରୋଡ୍ ଭଳି ସ୍ଥାନଗୁଡ଼ିକର ନାମ ମଧ୍ୟ ଏହି ପୁନରୁଦ୍ଧାର ପ୍ରକ୍ରିୟାରେ ସାମିଲ ରହିଛି।

Also read- ସାରା ଦେଶର ମନ୍ଦିରରେ ଥିବା ସୁନା ବଜାରକୁ ଆସିବ କି ? ସୋସିଆଲ୍ ମିଡିଆ ଦାବି ଉପରେ ସ୍ଥିତି ସ୍ପଷ୍ଟ କଲେ ସରକାର

ଲୋକଙ୍କ ମନରୁ କେବେ ହଜିନଥିଲା ଏହି ନାମ

ଲାହୋରର 'ୱାଲ୍ଡ ସିଟି' (Walled City) ର ପୂର୍ବତନ ମହାନିର୍ଦ୍ଦେଶକ କାମରାନ ଲଶାରୀଙ୍କ କହିବା ଅନୁଯାୟୀ, ସରକାରୀ କାଗଜପତ୍ର କିମ୍ବା ସାଇନବୋର୍ଡ ବଦଳି ଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ମନରୁ ଏହି ପୁରୁଣା ନାମଗୁଡ଼ିକ କେବେ ହଜିନଥିଲା। ଚା' ଦୋକାନୀ, ରିକ୍ସା ଚାଳକ ହୁଅନ୍ତୁ କିମ୍ବା ସାଧାରଣ ବାସିନ୍ଦା, ସମସ୍ତେ ଦୈନନ୍ଦିନ କଥାବାର୍ତ୍ତାରେ 'ଲକ୍ଷ୍ମୀ ଚୌକ' କିମ୍ବା 'କ୍ରିଷ୍ଣା ନଗର' ନାଁ ହିଁ ବ୍ୟବହାର କରୁଥିଲେ। ଏହି ନାଁ ପରିବର୍ତ୍ତନ ଲାହୋରର ବହୁମୁଖୀ ସାଂସ୍କୃତିକ ପରିଚୟ (ମୁସଲମାନ, ଶିଖ୍, ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଔପନିବେଶିକ ଇତିହାସ) କୁ ସମ୍ମାନ ଜଣାଇବା ପାଇଁ ଏକ ସଚେତନ ପ୍ରୟାସ ବୋଲି କୁହାଯାଉଛି।

ନୱାଜ ସରିଫଙ୍କ ନେତୃତ୍ୱରେ ସାଂସ୍କୃତିକ ପୁନରୁଦ୍ଧାର

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବର୍ତ୍ତମାନ 'ଲାହୋର ହେରିଟେଜ୍ ଏରିଆଜ୍ ରିଭାଇଭାଲ୍ ପ୍ରୋଜେକ୍ଟ' (Lahore Heritage Areas Revival Project) ର ମୁଖ୍ୟ ଅଛନ୍ତି ଏବଂ ତାଙ୍କରି ପ୍ରସ୍ତାବ କ୍ରମେ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି। ଲାହୋରରେ ୧୦୦ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଐତିହ୍ୟ ସ୍ଥଳ ରହିଛି। ବର୍ତ୍ତମାନ ମହାରାଜା ରଞ୍ଜିତ ସିଂହଙ୍କ ସାମ୍ରାଜ୍ୟ ସହ ଜଡ଼ିତ ଶିଖ୍ କୀର୍ତ୍ତିରାଜି ଏବଂ ପୁରୁଣା ଚର୍ଚ୍ଚଗୁଡ଼ିକର ମଧ୍ୟ ମରାମତି ଚାଲିଛି। ଲାହୋର ଦୁର୍ଗରେ ଶିଖ୍ ରାଜପରିବାରର ଶେଷ ବଂଶଧର ରାଜକୁମାରୀ ବାମ୍ବା ସଦରଲ୍ୟାଣ୍ଡଙ୍କ ଏକ ଚିତ୍ରକୁ ମଧ୍ୟ ପୁନରୁଦ୍ଧାର କରାଯାଇଛି।

କ୍ରିକେଟ ପଡ଼ିଆ ଓ ମିଣ୍ଟୋ ପାର୍କର ଆଖଡ଼ା ଶାଳାର ହେବ ବିକାଶ

ଐତିହାସିକ ନାମ ଫେରାଇବା ସହ ନୱାଜ ସରିଫ ମିଣ୍ଟୋ ପାର୍କ (ବର୍ତ୍ତମାନର ଗ୍ରେଟର ଇକବାଲ ପାର୍କ)ରେ ଥିବା ତିନୋଟି ଐତିହାସିକ କ୍ରିକେଟ ପଡ଼ିଆ ଏବଂ ପାରମ୍ପରିକ କୁସ୍ତି ଆଖଡ଼ା ଶାଳାର ପୁନର୍ନିମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ୨୦୧୫ ମସିହାରେ ନୱାଜଙ୍କ ଭାଇ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ (ସେତେବେଳର ପଞ୍ଜାବ ମୁଖ୍ୟମନ୍ତ୍ରୀ) ସହରୀ ବିକାଶ ନାମରେ ଏହି ଐତିହାସିକ ଖେଳପଡ଼ିଆ ଓ ଆଖଡ଼ାକୁ ଭାଙ୍ଗି ଦେଇଥିବାରୁ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ। ଏହି ପଦକ୍ଷେପକୁ ଏକ ପ୍ରକାର 'ଡ୍ୟାମେଜ କଣ୍ଟ୍ରୋଲ' ବା ଭୁଲ ସଂଶୋଧନ ଭାବେ ଦେଖାଯାଉଛି।

Also read- India missed out on AI: ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଫ୍ଲୋ ବଦଳାଇ ଦେଇଛି AI ଟ୍ରେଡ୍: ଆଗକୁ ବଢ଼ୁଛନ୍ତି ତାଇୱାନ ଓ ଦକ୍ଷିଣ କୋରିଆ, ପଛରେ ପଢ଼ିଗଲା ଭାରତ

ଏହି କ୍ରିକେଟ କ୍ଲବଗୁଡ଼ିକରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ-ଉଲ-ହକଙ୍କ ଭଳି ଖେଳାଳି ପ୍ରଶିକ୍ଷଣ ନେଇଥିଲେ। ବିଭାଜନ ପୂର୍ବରୁ ଭାରତର ମହାନ କ୍ରିକେଟର ଲାଲା ଅମରନାଥ ମଧ୍ୟ ଏଠାରେ ପ୍ରଶିକ୍ଷଣ ନେଇଥିଲେ। ୧୯୭୮ ମସିହାରେ ଯେତେବେଳେ ଭାରତୀୟ ଦଳ ସହ ଲାଲା ଅମରନାଥ ଲାହୋର ଯାଇଥିଲେ, ସେ ମିଣ୍ଟୋ ପାର୍କର କ୍ରେସେଣ୍ଟ କ୍ରିକେଟ କ୍ଲବକୁ ଯାଇ ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ। ସେହିପରି ଏହି ପାର୍କର ପୁରୁଣା ଆଖଡ଼ାରେ ଗାମା ପେହଲୱାନ, ଇମାମ ବକ୍ସ ଏବଂ ଗୁଙ୍ଗା ପେହଲୱାନଙ୍କ ଭଳି କିମ୍ବଦନ୍ତୀ ମଲ୍ଲଯୋଦ୍ଧାମାନେ କୁସ୍ତି ଲଢୁଥିଲେ। ବିଭାଜନ ପୂର୍ବରୁ ହିନ୍ଦୁମାନେ ଏହି ମିଣ୍ଟୋ ପାର୍କରେ ଦଶହରା ଉତ୍ସବ ମଧ୍ୟ ପାଳନ କରୁଥିଲେ।