ନୂଆଦିଲ୍ଲୀ: ଦେଶବ୍ୟାପୀ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନର ଭଣ୍ଡାରରେ ଗଚ୍ଛିତ ଲକ୍ଷ ଲକ୍ଷ ଟନ୍ ସୁନା ବଜାରକୁ ଛଡ଼ାଯିବାକୁ ଯାଉଛି କି ? କେନ୍ଦ୍ର ସରକାର ମଙ୍ଗଳବାର ସୋସିଆଲ ମିଡିଆରେ ଘୂରି ବୁଲୁଥିବା ପ୍ରମୁଖ ପ୍ରଶ୍ନର ଅନ୍ତ ଘଟାଇଛନ୍ତି । ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ମନ୍ଦିର ଟ୍ରଷ୍ଟ ଦ୍ୱାରା ରଖାଯାଇଥିବା ସୁନାକୁ ମୁଦ୍ରୀକରଣ (ମୋନିଟାଇଜ୍) କରିବାର କୌଣସି ଯୋଜନା ନାହିଁ । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ, ସରକାର ଏହି ସମସ୍ତ ରିପୋର୍ଟକୁ ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଏବଂ ଭିତ୍ତିହୀନ ବୋଲି କହି ଖାରଜ କରିଛନ୍ତି ।

ଗୁଜବ ଏବଂ ଦାବି କ’ଣ ଥିଲା ?

ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ ଭାରତ ସରକାର ଦେଶବ୍ୟାପୀ ମନ୍ଦିରର ସୁନା ଭଣ୍ଡାର ବଦଳରେ "ଗୋଲ୍ଡ ବଣ୍ଡ" ଜାରି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ସମ୍ପର୍କରେ ଏକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଆଉ ଏକ ଗୁଜବ ପ୍ରସାରିତ ହେଉଥିଲା ଯେ ସରକାର ମନ୍ଦିରର ଶିଖର କିମ୍ବା ଅନ୍ୟାନ୍ୟ ଧାର୍ମିକ ଢାଞ୍ଚାରେ ସୁନା ପ୍ଲେଟକୁ ଭାରତର "ରଣନୈତିକ ସୁନା ଭଣ୍ଡାର"ର ଅଂଶ ଭାବରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରୁଛନ୍ତି । ସରକାର ଏହି ଦାବିଗୁଡ଼ିକୁ କଠୋର ଭାବରେ ଖଣ୍ଡନ କରିଥିଲେ । ଏହାର କୌଣସି ଆଧାର ନାହିଁ ବୋଲି ସେ କହିଛନ୍ତି ।

ଗୁଜବ ପଛରେ ବୁଲାନ୍ ବ୍ୟାଙ୍କ ମଡେଲ୍ ପ୍ରସ୍ତାବ 

ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡସ୍ମିଥ୍ସ ଫେଡେରେସନ୍ (AIJGF) କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏକ ପ୍ରସ୍ତାବ ପଠାଇବା ପରେ ଏହି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଏଥିରେ ଭାରତ ବିଦେଶରୁ ସୁନା ଆମଦାନୀ ହ୍ରାସ କରିବା ପାଇଁ ଘର, ମନ୍ଦିର ଏବଂ ଦେଶ ଭିତରେ ସୁନା ETFରେ ପଡ଼ି ରହିଥିବା "ନିଷ୍କ୍ରିୟ ସୁନା"ର ବ୍ୟବହାର ବୃଦ୍ଧି କରିବା ଉଚିତ ବୋଲି ପରାମର୍ଶ ଦିଆଯାଇଥିଲା ।

ଏହି ପ୍ରସ୍ତାବ ପରେ, ବଜାରରେ "ବୁଲିଅନ୍ ବ୍ୟାଙ୍କ" ମଡେଲ୍ ବିଷୟରେ ଆଲୋଚନା ଜୋର ହୋଇଥିଲା । ବିଶ୍ୱାସ କରାଯାଉଥିଲା ଯେ ଏହି ମଡେଲ୍ ଅନୁଯାୟୀ, ବ୍ୟକ୍ତି କିମ୍ବା ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କର ସୁନାକୁ ବ୍ୟାଙ୍କିଂ ସିଷ୍ଟମରେ ଜମା କରିପାରିବେ । ଏଥିରେ ସୁଧ ପାଇପାରିବେ ଏବଂ ଅଳଙ୍କାର ବ୍ୟବସାୟୀ କିମ୍ବା ରିଫାଇନର୍ସମାନେ ଏହି ସୁନା ଋଣ ନେଇ ବ୍ୟବସାୟ କରିପାରିବେ । ଏହା ଦେଶର ବୈଦେଶିକ ମୁଦ୍ରା ସଂରକ୍ଷଣ କରିବ । ଏହି ଆଲୋଚନାକୁ ଆଧାର କରି, ମନ୍ଦିର ସୁନା ଜବତ କିମ୍ବା ମୁଦ୍ରୀକରଣ ବିଷୟରେ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ଆରମ୍ଭ ହେଲା ।