ନୂଆଜିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ବର୍ବର ଆତଙ୍କବଦୀ ଆକ୍ରମଣକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଏନଆଇଏର ଚାର୍ଜସିଟରେ ଦୁଇ ସ୍ଥାନୀୟ ଗାଇଡଙ୍କୁ ନେଇ ଏକ ଦାବି କରାଯାଇଛି । ଆଜ୍ ତକ୍ ରିପୋର୍ଟ ଅନୁସାରେ, ଏହି ଚାର୍ଜସିଟ୍ ଉଲ୍ଲେଖ କରାଯାଇଛି ଯେ ଉପତ୍ୟକାରେ ପର୍ଯ୍ୟଟକଙ୍କ ଟଙ୍କାରେ ଜୀବିକା ନିର୍ବାହ କରୁଥିବା ଦୁଇ ସ୍ଥାନୀୟ ଗାଇଡ୍, ପରଭେଜ ଏବଂ ବଶିର ଅହମ୍ମଦ ୨୬ ଜଣଙ୍କ ଜୀବନ ରକ୍ଷା କରିପାରିଥାନ୍ତେ । କିନ୍ତୁ ସେମାନଙ୍କର ନୀରବତା ଏବଂ ଆତଙ୍କବାଦୀମାନଙ୍କୁ ଯୋଗାଇଥିବା ସମର୍ଥନ ଯୋଗୁ କାଶ୍ମୀର ଇତିହାସର ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଗୋଟିଏ ଘଟିଥିଲା ।

ଚାର୍ଜସିଟ୍ ଅନୁଯାୟୀ, ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ଏପ୍ରିଲ୍ ୨୧ରେ ତିନି ଜଣ ଆତଙ୍କବାଦୀ ଫୈସଲ ଜାଟ୍ ଓରଫ ସୁଲେମାନ, ହବିବ୍ ତାହିର ଓରଫ ଛୋଟୁ ଏବଂ ହମଜା ଆଫଗାନି ସ୍ଥାନୀୟ ବାସିନ୍ଦାଙ୍କ ପାଖକୁ ଯାଇ ନିରାପଦ ଆଶ୍ରୟସ୍ଥଳ ମାଗିଥିଲେ । ଏନଆଇଏକୁ ଦେଇଥିବା ବୟାନରେ, ବଶିର ଅହମ୍ମଦ କହିଛନ୍ତି ଯେ ସେ ତିନି ଜଣ ଆତଙ୍କବାଦୀଙ୍କୁ ଦେଖିଛନ୍ତି । ସେମାନେ ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ କହିଥିଲେ । ଏହା ପରେ, ବଶିର ସେମାନଙ୍କୁ ଏକ ଗଛ ତଳେ ଅପେକ୍ଷା କରିବାକୁ କହିଥିଲେ ଏବଂ ପରଭେଜଙ୍କ କୁଡ଼ିଆକୁ ଯାଇ ପରଭେଜ ଏବଂ ତାଙ୍କ ସ୍ତ୍ରୀଙ୍କୁ ଚୁପ୍ ରହିବାକୁ କହିଲେ।

ସନ୍ଧ୍ୟା ପ୍ରାୟ ୫ଟାରେ, ବଶିର ତିନି ଜଣ ଆତଙ୍କବାଦୀଙ୍କୁ ପରଭେଜଙ୍କ କୁଡ଼ିଆ ପାଖକୁ ଯିବାକୁ ଇଙ୍ଗିତ କରିଥିଲେ । ଚାର୍ଜସିଟ୍ ଅନୁଯାୟୀ, ଆତଙ୍କବାଦୀମାନେ ସଶସ୍ତ୍ର ଥିଲେ ଏବଂ ସେମାନଙ୍କ ବ୍ୟାଗରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଥିଲା । ସେମାନେ ଉର୍ଦ୍ଦୁରେ କଥା ହେଉଥିଲେ, କିନ୍ତୁ ସେମାନଙ୍କର ଭାଷାରେ ପଞ୍ଜାବୀ ଥିଲା । ପଚରାଉଚରା ସମୟରେ, ବଶିର ସ୍ୱୀକାର କରିଥିଲେ ଯେ ସେ ସେମାନଙ୍କୁ "ମୁଜାହିଦ", ଅର୍ଥାତ୍ ଆତଙ୍କବାଦୀ ବୋଲି ଚିହ୍ନିଥିଲେ ।

ଆତଙ୍କବାଦୀମାନେ ଆଲ୍ଲାହଙ୍କ ନାମରେ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ପରଭେଜ ଏବଂ ବଶିର ସେମାନଙ୍କୁ ପାଣି, ଚା ଏବଂ ଖାଦ୍ୟ ଦେଇଥିଲେ । ତଦନ୍ତରୁ ଜଣାପଡିଛି ଯେ ତିନି ଜଣ ଆତଙ୍କବାଦୀ ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ କୁଡ଼ିଆରେ ରହିଥିଲେ । ଚାର୍ଜସିଟ୍ ଅନୁଯାୟୀ, ଆତଙ୍କବାଦୀମାନେ ଅମରନାଥ ଯାତ୍ରା, ପହଲଗାମରେ ସୁରକ୍ଷା ବାହିନୀର ଶିବିର, ସୁରକ୍ଷା ବଳ ଗତିବିଧି ଏବଂ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସହିତ ଜଡିତ ସୂଚନା ମଧ୍ୟ ସଂଗ୍ରହ କରିଥିଲେ । ଏନଆଇଏ କହିଛି ଯେ ପରଭେଜ ଏବଂ ବଶିର ଆତଙ୍କବାଦୀଙ୍କୁ ସହାୟତା କରୁଛନ୍ତି ବୋଲି ସମ୍ପୂର୍ଣ୍ଣ ଅବଗତ ଥିଲେ ।

ରାତି ପ୍ରାୟ ୧୦ଟାରେ ଆତଙ୍କବାଦୀମାନେ ବାହାରକୁ ଯାଉଥିବା ସମୟରେ ପରଭେଜ ଏବଂ ବଶିର ସେମାନଙ୍କ ପାଇଁ ୧୦ଟି ରୁଟି ଏବଂ ପରିବା ପ୍ୟାକ୍ କରିଥିଲେ । ଚାର୍ଜସିଟରେ ଏହା ମଧ୍ୟ କୁହାଯାଇଛି ଯେ ଆତଙ୍କବାଦୀମାନେ ପରଭେଜଙ୍କୁ ପ୍ରତିବଦଳରେ ୩,୦୦୦ ଟଙ୍କା ଦେଇଥିଲେ ।

ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଆକ୍ରମଣ ଦିନ, ଏପ୍ରିଲ ୨୨ ତାରିଖରେ ପରଭେଜ ଏବଂ ବଶିର ବୈସାରନ ଉପତ୍ୟକାର ବାହାରେ ବାଡ଼ ଉପରେ ବସିଥିବା ସେହି ତିନି ଜଣ ଆତଙ୍କବାଦୀଙ୍କୁ ଦେଖିଥିଲେ । ସେମାନେ ସେହି ଦିନ ଦୁଇ ଜଣ ପର୍ଯ୍ୟଟକଙ୍କ ସହିତ ବୈସାରନ ଉପତ୍ୟକାକୁ ଯାଇଥିଲେ । ପର୍ଯ୍ୟଟକଙ୍କ ସହିତ ଫେରିବା ସମୟରେ, ସେମାନେ ଆତଙ୍କବାଦୀମାନଙ୍କୁ ଦେଖି ସତର୍କ ହୋଇଗଲେ । କିଛି ସମୟ ପରେ, ଯେତେବେଳେ ସେମାନେ ପହଲଗାମରେ ପହଞ୍ଚିଲେ, ବୈସାରନ ଉପତ୍ୟକାରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଥିଲା ।