ପୁରୀ ୦୪।୧୧ : ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର । ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର । ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ତାଙ୍କର ଶେଷକୃତ୍ୟ । ଝିଅ ଶୁଭଶ୍ରୀ ମହାପାତ୍ର ମୁଖାଗ୍ନି ଦେଇଥିବା ବେଳେ ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ ଦିଆଯାଇଛି ଏହି ମହାନ ଚିକିତ୍ସକଙ୍କୁ । ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କର ଶେଷ ଦର୍ଶନ କରିବା ସହ ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଶୋକାକୁଳ ପରିବେଶରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅନ୍ତିମ ସଂସ୍କାର । ଝିଅ ଶୁଭଶ୍ରୀ ମହାପାତ୍ର ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ସ୍ୱର୍ଗଦ୍ୱାରରେ ବହୁ ବରିଷ୍ଠ ବ୍ୟକ୍ତିବିଶେଷ ପହଞ୍ଚିଥିଲେ । ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ଜଣେ ବିଶିଷ୍ଟ ଚିକିତ୍ସକ ଭାବେ ତାଙ୍କର ଅବଦାନକୁ ମନେ ପକାଇ ଶୋକ ପ୍ରକାଶ କରିଥିଲେ ।

Also Read:-ପରଲୋକରେ ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର, ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ

ସୂଚନାଯୋଗ୍ୟ ଯେ, ୧୯୫୨ ମସିହାରେ ପୁରୀ ବୀରଗୋବିନ୍ଦପୁରରେ ଜନ୍ମ ଗ୍ରହଣ କରିଥିଲେ ଡକ୍ଟର ଅଶୋକ ମହାପାତ୍ର । ୧୯୭୫ ମସିହାରେ ବ୍ରହ୍ମପୁରର ଏମକେସିଜି (MKCG) ମେଡିକାଲ କଲେଜରୁ ଏମବିବିଏସ (MBBS) ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ନୂଆଦିଲ୍ଲୀ AIIMSରେ ଉଚ୍ଚଶିକ୍ଷା ଗ୍ରହଣ କରି ୧୯୭୯ରେ ଏମଏସ୍ ଏବଂ ୧୯୮୨ରେ ସ୍ନାୟୁ ଶଲ୍ୟ ଚିକିତ୍ସାରେ ଏମ.ସିଏଚ୍ (M.Ch.) ଡିଗ୍ରୀ ହାସଲ କରିଥିଲେ। ୪୦ ବର୍ଷରୁ ଅଧିକ ସମୟ ଧରି ଏମ୍ସ ନୂଆଦିଲ୍ଲୀ ସହ ଜଡ଼ିତ ରହି ସେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ, ନ୍ୟୁରୋସାଇନ୍ସ ସେଣ୍ଟରର ମୁଖ୍ୟ ଏବଂ ଗବେଷଣା ଡିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି।

ଡକ୍ଟର ମହାପାତ୍ରଙ୍କ ଜୀବନର ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଗୋଟିଏ ହେଉଛି ୨୦୧୭ ମସିହାରେ ଜଗା- କାଳିଆଙ୍କ ଐତିହାସିକ ଅପରେସନ୍ । ଡାକ୍ତର ମହାପାତ୍ର ୨୦୧୭ରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଯୋଡ଼ା ମୁଣ୍ଡ ଶିଶୁ ଜଗା- କାଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲେ। ନୂଆଦିଲ୍ଲୀ AIIMSରେ କରାଯାଇଥିବା ଏହି ଜଟିଳ ପ୍ରକ୍ରିୟା ଭାରତରେ ଏହି ପ୍ରକାରର ପ୍ରଥମ ସଫଳ ଅସ୍ତ୍ରୋପଚାର ଥିଲା ଏବଂ ପରେ ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନିତ ହୋଇଥିଲା ।

ଚିକିତ୍ସା ସେବା ସହିତ ଶିକ୍ଷା ଓ ପ୍ରତିଷ୍ଠାନ ଗଠନରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ଚିକିତ୍ସା କ୍ଷେତ୍ରରେ ଜଣେ ସୁଦକ୍ଷ ପ୍ରଶାସକ ଭାବେ ସୁପରିଚିତ ଡାକ୍ତର ମହାପାତ୍ର ୨୦୨୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଶିଶୁ ସ୍ନାୟୁ ଶଲ୍ୟ ଚିକିତ୍ସା, ମସ୍ତିଷ୍କ ଘାତ ଏବଂ ଟ୍ୟୁମର୍ ଅପରେସନରେ ତାଙ୍କର ରହିଛି ବିଶେଷ ଦକ୍ଷତା। ତାଙ୍କର ୬୦୦ରୁ ଅଧିକ ଗବେଷଣାତ୍ମକ ପ୍ରବନ୍ଧ ଏବଂ ୧୫ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି।

ସେ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଏହାର ଭିତ୍ତିଭୂମି ମଜବୁତ କରିଥିଲେ। ଏହାଛଡ଼ା ଲକ୍ଷ୍ନୌର ଏସଜିପିଜିଆଇ (SGPGIMS)ର ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ସମ୍ପ୍ରତି ସେ ଭୁବନେଶ୍ୱରର ଶିକ୍ଷା 'ଓ' ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଜ୍ଞାନର ପ୍ରମୁଖ ପରାମର୍ଶଦାତା ତଥା ପୂର୍ବତନ କୁଳପତି ଭାବେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି।

ଚିକିତ୍ସା କ୍ଷେତ୍ରରେ ତାଙ୍କର ଏହି ଅମୂଲ୍ୟ ଅବଦାନ ପାଇଁ ୨୦୨୫ ଏପ୍ରିଲରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା 'ପଦ୍ମଶ୍ରୀ' ସମ୍ମାନର ସମ୍ମାନିତ ହୋଇଥିଲେ । ଏହାବ୍ୟତୀତ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପକ୍ଷରୁ ତାଙ୍କୁ 'ସି.ଭି. ରମଣ ଆୱାର୍ଡ' ମଧ୍ୟ ପ୍ରଦାନ କରାଯାଇଛି। ଡକ୍ଟର ଅଶୋକ କୁମାର ମହାପାତ୍ର କେବଳ ଜଣେ କୁଶଳୀ ଡାକ୍ତର ନୁହଁନ୍ତି, ବରଂ ସେ ଓଡ଼ିଶା ଏବଂ ସମଗ୍ର ଦେଶର ଯୁବ ପିଢ଼ିଙ୍କ ପାଇଁ ଏକ ପ୍ରେରଣାର ପ୍ରତୀକ ଅଟନ୍ତି।