ଭୁବନେଶ୍ବର ୧।୧୦: ଘାରିଲାଣି ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ଭୟ ! ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ଏବେ ଧାରଣାରେ । ହଜାର ହଜାର ପାଚିକା କାମ ବନ୍ଦ କରି ବିଧାନସଭା ସମ୍ମୁଖରେ ମିଳିତ ପ୍ରତିବାଦ କରିଛନ୍ତି । ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା କେନ୍ଦ୍ର ସରକାରଙ୍କର ଏକ ପାଇଲଟ୍ ପ୍ରୋଜେକ୍ଟ । ୧୯୯୫ ମସିହା ଠାରୁ ଏହି ସ୍କିମ୍‌କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଚାଳନା କରି ଆସୁଛନ୍ତି । ବର୍ଷରେ ୧୨ ମାସ ପରିବର୍ତ୍ତେ ୧୦ ମାସର ପାରିଶ୍ରମିକ ପ୍ରଦାନ କାହିଁକି ? ମାସିକ ୨୮ ହଜାର ଟଙ୍କା ଦରମା ଦେବାକୁ ଦାବି କରିଛନ୍ତି ପାଚିକା । ଏବେ ମାସିକ ମାତ୍ର ୩୦୦୦ ଟଙ୍କା ମିଳୁଛି । ମହଙ୍ଗା ଯୁଗରେ ଏତେ କମ୍ ଟଙ୍କା ଦରମାରେ କେମିତି ଚଳିବୁ ବୋଲି ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି । ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ମଧ୍ୟାହ୍ନ ଭୋଜନ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ପାଚିକା ସହାୟିକାଙ୍କୁ ନିୟୋଜିତ କରିବା ବନ୍ଦ କରିବା, ଅବସର ବୟସ ସୀମା ୬୫କୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ପାଚିକା ।

ମାଷ୍ଟର କ୍ୟାଣ୍ଟିନ ଛକରୁ ହଜାର ହଜାର ପାଚିକା ବିରାଟ ଶୋଭାଯାତ୍ରାରେ ବାହାରି ଟାଣ ଖରାରେ ବିଧାନସଭା ସମ୍ମୁଖରେ ପ୍ରତିବାଦ କରିଛନ୍ତି । ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟରେ ବ୍ୟୟବରାଦ ବୃଦ୍ଧ ହୋଇଛି । ଏହାସହ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଦର୍ଶାଇ ବନ୍ଦ କରାଯାଇଥିବା ସ୍କୁଲ ଗୁଡିକୁ ପୁନଃ ଖୋଲି ଛଟେଇ ପାଚିକା ସହାୟିକାଙ୍କୁ ନିଯୁକ୍ତ କରାଯାଉ ଦାବି କରିଛି ସଂଘ ।

Also Read:- CEO ଆର୍.ଏସ୍. ଗୋପାଳନଙ୍କ VRS ଆବେଦନ, ତେଜିଲା ରାଜନୈତିକ ବୟାନବାଜି

ସରକାର ଘୋଷଣା କରିଥିବା ଦୈନିକ ସର୍ବନିମ୍ନ ମଜୁରୀ ନଦେଇ ସ୍ଵଳ୍ପ ଆର୍ଥିକ ଅନୁଦାନ ପ୍ରଦାନ କରି ପାଚିକାଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ କରିଛନ୍ତି । ସରକାର ପାଚିକାଙ୍କ ଦୁଃଖ ବୁଝିବା ସହ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି । ନ ହେଲେ ଆଗାମୀ ଦିନରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଉପରେ ବଡ଼ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି ।