ବ୍ରହ୍ମପୁର ୧।୧୦: ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଚାଷ ଜମିରେ ପାଣି ପଶି ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ କଚ୍ଚା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତି ପ୍ରଦାନ ପାଇଁ ଏସ୍ଆର୍ସିଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ୨ କୋଟି ଟଙ୍କା ମିଳିଛି । କ୍ଷୟକ୍ଷତିର ସଠିକ ଆକଳନ ପରେ ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ।

ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ପରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ହଜାର ୫ ଶହ ହେକ୍ଟର ଚାଷ ଜମିରେ ପାଣି ଜମିଥିଲା l ଚାଷ ଜମିରୁ ପାଣି ନିଷ୍କାସନ ହେବା ପରେ ପ୍ରକୃତ ଫସଲ କ୍ଷୟକ୍ଷତିର ଆକଳନ କରାଯିବ ।

Also Read:- ଖୋର୍ଦ୍ଧାରେ ଦୁର୍ଗା ଓ ଗଜଲକ୍ଷ୍ମୀ ପୂଜା ଭସାଣିରେ DJ ମନା, ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୧୨୦ରୁ ୧୩୦ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ବର୍ଷା ସମୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖିବା ଓ ଆବଶ୍ୟକ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଖର୍ଚ୍ଚ କରାଯାଇଛି । ଏସବୁ କ୍ଷୟକ୍ଷତିର ସଠିକ ଆକଳନ ପରେ ଏସ୍ଆର୍ସିଙ୍କ ପକ୍ଷରୁ ମିଳିଥିବା ୨ କୋଟି ଟଙ୍କାରୁ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।