ଭୁବନେଶ୍ୱର : ଏନଏସଏସ୍ ଦିବସ ଉପଲକ୍ଷେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ (ଏସ୍‌ପିଏସ୍‌) ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୁରୁବାର କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ “ଏକ ପେଡ୍ ମା’ କେ ନାମ୍‌” ବାର୍ତ୍ତାକୁ ଆଧାର କରି ଏହି  କାର୍ଯ୍ୟକ୍ରମ କରାଯାଇଛି । କାର୍ଯ୍ୟକ୍ରମକୁ ଏନଏସଏସର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର କୁଶୱାହ, ଏସପିଏସର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ଏବଂ ଏନଏସଏସ ପ୍ରୋଗ୍ରାମ୍ କୋ-ଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ ଉଦ୍ଘାଟନ କରିଥିଲେ। ଏହା ସହ ବୃକ୍ଷରୋପଣ ବି କରିଥିଲେ ।

ଏହି ଅବସରରେ ଶ୍ରୀ କୁଶୱାହ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ରୋପିତ ଚାରାଗୁଡ଼ିକର ଯତ୍ନ ନେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ଯୁବପିଢ଼ି ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା । “ଏକ ପେଡ୍ ମା’ କେ ନାମ୍‌” ବାର୍ତ୍ତା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ଆହ୍ୱାନ ଦିଆ ଯାଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ସବୁଜ କ୍ୟାମ୍ପସ୍‌, ସୁସ୍ଥ ପରିବେଶ ଓ ସଚେତନ ସମାଜ ଗଠନର ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏସ୍ପିଏସର ଡେପୁଟି ଡିନ୍ ପ୍ରଫେସର ପ୍ରତାପ କୁମାର ସାହୁ, ପ୍ରଫେସର ସୁଧୀର କୁମାର ପାଇଡିସାଟି, କ୍ଲାସ୍ କୋ-ଅର୍ଡିନେଟର ଡକ୍ଟର ରୁଦ୍ର ନାରାୟଣ ସାହୁ ଏବଂ ଏନଏସଏସ୍ ପ୍ରୋଗ୍ରାମ୍ ଅଫିସର ଡକ୍ଟର ରାକେଶ ସ୍ୱାଇଁ ଉପସ୍ଥିତ ଥିଲେ । ଏନଏସଏସ୍‌ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ମଧ୍ୟ ବୃକ୍ଷରୋପଣରେ ସକ୍ରିୟ ଭାବେ ଯୋଗ ଦେଇଥିଲେ ।