ଚାନ୍ଦବାଲି : ନୀରବ ରାସ୍ତା। ରାସ୍ତାକଡ଼ରେ ଛିଡ଼ା ହୋଇଛି ବିରାଟ ଗଛ। ସୂର୍ଯ୍ୟ ଅସ୍ତ ହେଲେ ଶୁଭୁଛି ଅଜବ ଶବ୍ଦ । ରାତି ହେଲେ ବଢୁଛି ଡ଼ର । ଏହି ରାସ୍ତା ଦେଇ ଯିବାବେଳେ ଲୋକଙ୍କ ନଜର ଅଟକିଯାଉଛି ସେଇ ଗଛ ଉପରେ। କିଏ କହେ ଗଛଟା ଅଶୁଭ ତ କିଏ କହେ ଏଠି ରହିଛି ଭୂତ-ପିଶାଚର ଛାୟା। ଆଉ କିଏ କହେ ଇଏ ଡାହାଣୀର ବାସସ୍ଥାନ। ଏତେ ଭୟର କାରଣ ହେଉଛି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା। ୧୫ ଦିନରେ ଗଲାଣି ୨ ଜଣଙ୍କ ଜୀବନ। ୫ ଜଣ ଏବେ ବି ଚିକିତ୍ସିତ। ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ଘଟିବା ପରେ ଲୋକଙ୍କ ମନରେ କୋକୁଆ ଭୟ। ଲୋକଙ୍କ ଧାରଣା ସତେ ଯେପରି ଗଛ ପାଲଟିଛି ମୃତ୍ୟୁର ଫାନ୍ଦ ! ଏଭଳି ଭୟ ଏବେ ଘାରିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି କଲେଜ ରୋଡରେ।

ରାସ୍ତା କଡ଼ର ସେହି ଗଛ। ଯେଉଁଠି ଚାଲିଛି ପୂଜାର୍ଚ୍ଚନା। କିଛି ଲୋକ ଏକାଠି ହୋଇ କରୁଛନ୍ତି ହୋମ। ପଣ୍ଡିତେ ମନ୍ତ୍ର ପାଠ ଶେଷ କରି ଗଛରେ ବାନ୍ଧୁଛନ୍ତି ହନୁମାନଙ୍କ ଫଟୋ। ଏମିତି ପୂଜା ପାଠ ପଛର କାରଣ ଗଛ-ଭୂତ-ପିଶାଚ। ସେହି ଗଛ ଦେଇ ଯିଏ ଯାଉଛି, ସେ ଦୁର୍ଘଟଣା ଶିକାର ହେଉଛି। ଭାଗ୍ୟ ଭଲ ଥିଲେ କେହି କେହି ଅଳ୍ପକେ ବର୍ତ୍ତି ଯାଉଛନ୍ତି। ବାରମ୍ବାର ଦୁର୍ଘଟଣା ପଛରେ ଗଛରେ ଡାହାଣୀ ଓ ଭୂତ ପିଶାଚର ଛାୟା ରହିଥିବା ସନ୍ଦେହ କରିଛନ୍ତି? ଚାନ୍ଦବାଲି ଏନଏସି ପାଞ୍ଚପଡାର ୪ନମ୍ବର ୱାର୍ଡ, ଆଇଟିଆଇ କଲେଜ ନିକଟରେ ଥିବା ଏକ ବଡ଼ ଗଛରେ ପିଟି ହୋଇ ୧୫ ଦିନ ମଧ୍ୟରେ ୨ ଜଣ ଯୁବକଙ୍କ ଜୀବନ ଯାଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ରାସ୍ତା ଦେଇ ପ୍ରତିଦିନ କଲେଜ ଛାତ୍ରଛାତ୍ରୀଙ୍କ ସହ ହଜାର ହଜାର ଲୋକେ ଯାତାୟାତ କରନ୍ତି। କିନ୍ତୁ ଗତ କିଛି ଦିନ ହେବ ଦିନ କିମ୍ବା ରାତିରେ ଏହି ରାସ୍ତାରେ ଯିବାକୁ ଲୋକେ ଡରୁଛନ୍ତି । ବାରମ୍ବାର ସେହି ଗୋଟିଏ ଗଛରେ ହିଁ ଦୁର୍ଘଟଣା ହେଉଥିବାରୁ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ସୃଷ୍ଟି ହୋଇଛି ଯେ, ଏହି ଗଛରେ ଡାହାଣୀ କିମ୍ବା ଭୂତ ପିଶାଚର ବାସ ଅଛି ଏବଂ ସେହି ଅଶୁଭ ଶକ୍ତି ହିଁ ଦୁର୍ଘଟଣାର କାରଣ। ଏହି ଭୟକୁ ଦୂର କରିବା ଏବଂ ଆଗକୁ ଦୁର୍ଘଟଣାକୁ ଏଡାଇବା ପାଇଁ ସ୍ଥାନୀୟ ଯୁବକ ଓ ଗ୍ରାମବାସୀ ମିଶି ଗଛ ମୂଳେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ସ୍ଥାପନ କରି ହୋମଯଜ୍ଞ ଓ ପୂଜାର୍ଚ୍ଚନା କରିଛନ୍ତି।

 Also Read- ଆଉ ଥରେ ଘୁଞ୍ଚିଲା ଦାରା ସିଂଙ୍କ ମୁକ୍ତି ଶୁଣାଣି, ପୁଣି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

AI ଯୁଗରେ ଆପଣ ଏହାକୁ ଲୋକଙ୍କ ବିଶ୍ୱାସ କରିପାରନ୍ତି କିମ୍ବା ଅନ୍ଧ ବିଶ୍ୱାସ। କିନ୍ତୁ ଏମିତି ଘଟଣା ନିହାତି ଭାବେ ଚିନ୍ତାର ବିଷୟରେ। ଲୋକଙ୍କ ବିଶ୍ୱାସ ଅନୁଯାୟୀ ପୂଜାର୍ଚ୍ଚନା କରିବା ତ ଠିକ୍। କିନ୍ତୁ ଏହାର ସଠିକ୍ ତଦନ୍ତ କରାଯାଇ ଦୁର୍ଘଟଣା ପଛର କାରଣ ଖୋଜିବା ନିହାତି ଜରୁରୀ। ତାହେଲେ ଯାଇ ଏହି ଦୁର୍ଘଟଣାକୁ ଆମେ ଏଡ଼ାଇ ପାରିବା।