ଭୁବନେଶ୍ବର ୧୪।୮: ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଉପରେ ସକ୍ରିୟ ରହିଛି ଅବପାତ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ମଧ୍ୟ ଦେଇ ଗତି କରିବା ସହ ଉତ୍ତର ଛତିଶଗଡ଼ ମୁହାଁ ହେବା ସମ୍ଭାବନା ସହ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ସାରା ରାଜ୍ୟରେ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି ।

ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ସହ ପବନ ୩୦ରୁ ୪୦ କି.ମି. ବେଗରେ ବହିବାର ସମ୍ଭାବନା ଥିବାରୁ ଏହି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ସହ ପବନ ୩୦ରୁ ୪୦ କି.ମି. ବେଗରେ ବହିବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହାଛଡା ବାକି ଜିଲ୍ଲା ଗୁଡିକରେ ହାଲୁକା ମଧ୍ୟମ ଧରଣର ବର୍ଷା ଅଥବା ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ଠାରୁ କମିବ ବର୍ଷାର ପରିମାଣ । କେବଳ ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କିଛି କିଛି ମଡେଲ ଦର୍ଶାଉଛି ୧୯ ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୦ ଅଗଷ୍ଟ ପାଖାପାଖି, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହାର ସ୍ପଷ୍ଟ ଚିତ୍ର ନାହିଁ ପରବର୍ତ୍ତୀ ସମୟରେ ଏ ନେଇ ସ୍ପଷ୍ଟ କରାଯିବ ।

ସେପଟେ ଚଳିତ ବର୍ଷ ୧ ଜୁନ୍‌ରୁ ଆଜି ୧୪ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୯୨୧.୯ ମି.ମି. ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ୨୭% ଅଧିକ ରହିଛି l

Watch Video: