ନୂଆଦିଲ୍ଲୀ: ପାସପୋର୍ଟ ଓ ଭାରତୀୟ ନାଗରିକତା ପ୍ରସଙ୍ଗରେ ବିରୋଧୀ ଦଳ ଗୁରୁବାର କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ବିଦେଶ ମନ୍ତ୍ରାଳୟ (ଏମଇଏ) କହିଛନ୍ତି ଯେ ପାସପୋର୍ଟ ମୁଖ୍ୟତଃ ଏକ ଯାତ୍ରା ଡକ୍ୟୁମେଣ୍ଟ ନାଗରିକତାର ଚୂଡ଼ାନ୍ତ ପ୍ରମାଣ ନୁହେଁ। ଏଣୁ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି ଯେ ଭାରତୀୟ ନିଜର ଜାତୀୟତା ସ୍ଥାପିତ କରିବା ପାଇଁ ଏବେ କେଉଁ ପ୍ରମାଣ ଉପରେ ଭରସା କରିବେ? ଏହି ଆଲୋଚନା ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ସରକାର ଏହି କଥା ଉପରେ ଜୋର ଦେଇ କହିଛନ୍ତି ଯେ ତାଙ୍କ ଆଭିମୁଖ୍ୟରେ କୌଣସି ନୂତନତ୍ୱ ନାହିଁ ଓ କହିଛନ୍ତି ଯେ ପାସପୋର୍ଟ ଓ ନାଗରିକତା ଆଇନବୋଧ ଦୀର୍ଘ ଦଶନ୍ଧୀରୁ ରହିଆସିଛି।

ଏଥିରେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ଯେ ଯଦି ପାସପୋର୍ଟ, ଆଧାରକାର୍ଡ, ଭୋଟର ଆଇଡି ଓ ପାନ କାର୍ଡ ସବୁ ଅପର୍ଯ୍ୟାପ୍ତ ତେବେ ନାଗରିକ ରାଷ୍ଟ୍ରୀୟତା ପ୍ରମାଣ ରୂପେ କେଉଁ ଡକ୍ୟୁମେଣ୍ଟ କୁ ମାନିବେ? ସେ କହିଛନ୍ତି ଯେ ମୋଦି ସରକାର କହୁଛନ୍ତି ପାସପୋର୍ଟ ନାଗରିକତାର ପ୍ରମାଣ ନୁହେଁ, ତେବେ ଭାରତରେ ପାସପୋର୍ଟ କଣ ବିଦେଶୀଙ୍କୁ ବି ଜାରି ହେଉଛି? ପାସପୋର୍ଟ ଜାରି ହେବା ପୂର୍ବରୁ ପୋଲିସ କେଉଁ ପ୍ରକାରର ଯାଞ୍ଚ କରୁଛି ବୋଲି ଶ୍ରୀନେତ ପ୍ରଶ୍ନ ଉଠାଇଛନ୍ତି।

ଏଥିର ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦିନ ଓବେସୀ କହିଛନ୍ତି ଯେ ସରକାରଙ୍କ ଆଭିମୁଖ୍ୟ ଭ୍ରମ ସୃଷ୍ଟି କରୁଛି। ସେ କହିଛନ୍ତି ଦେଶ ଯେଉଁ ଦିଗରେ ଆଗକୁ ବଢୁଛି ତାହା ବାସ୍ତବିକ ଚିନ୍ତାଜନକ। ଏପରି ଲାଗୁଛି ଆଗାମୀ ଦିନମାନଙ୍କରେ ବିଜେପିର ସଦସ୍ୟତା ହିଁ ନାଗରିକତାର ପର୍ଯ୍ୟାୟ ପାଲଟିଯିବ। ପାସପୋର୍ଟ ଅଧିନିୟମର ଉଦାହରଣ ଦେଇ ଓବେସୀ କହିଛନ୍ତି ଯେ ପାସପୋର୍ଟ ଅଧିନିୟମର ଧାରା ୬(୨)(କ)କୁ ଦେଖନ୍ତୁ। ଏଥିରେ ସ୍ପଷ୍ଟ କୁହାଯାଇଛି ଯେ ପାସପୋର୍ଟ କେବଳ ଭାରତୀୟ ନାଗରିକଙ୍କୁ ହିଁ ଜାରି ହୋଇ ପାରିବ। ଏଣୁ ଯଦି କେହି ଭାରତୀୟ ନାଗରିକ ହୋଇ ନଥିବେ ତାଙ୍କୁ ପାସପୋର୍ଟ ଦିଆଯିବନି। ଏଣୁ ଏପରି ସ୍ଥିତିରେ ଲୋକେ କଣ ବୁଝିବେ ବୋଲି ଓବେସୀ ପ୍ରଶ୍ନ କରିଛନ୍ତି। ଏଣୁ ଏ ନେଇ ଏବେ ଯେଉଁ ଚିନ୍ତା ଉଦ୍ରେକ ହୋଇଛି ସେ ବାବଦେ ସରକାର ଦେଶବାସୀଙ୍କୁ ଆଶ୍ୱସ୍ତ କରନ୍ତୁ।

ମାମଲାରେ ଏନସିପି (ଶରଦପାୱାର) ମୁଖପାତ୍ର କ୍ଲାଇଡ କାଷ୍ଟୋ ମଧ୍ୟ ସରକାରଙ୍କୁ ସ୍ପଷ୍ଟିକରଣ ମାଗିଛନ୍ତି। ସେ କହିଛନ୍ତି ଯେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟର ପାସପୋର୍ଟ କେବଳ ଏକ ଯାତ୍ରା ଡକ୍ୟୁମେଣ୍ଟ, ଭାରତର ନାଗରିକତା ପ୍ରମାଣ ନୁହେଁ ଓ ସରକାର ଏପରି ଅନେକ କାଗଜପତ୍ରକୁ ମଧ୍ୟ ନାଗରିକତାର ପ୍ରମାଣ ମାନୁ ନାହାନ୍ତି। ଏଣୁ ସରକାର ଏବେ ଆମକୁ କହନ୍ତୁ ଭାରତୀୟ ନାଗରିକତାର ପ୍ରମାଣ କ’ଣ? ସେ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ସରକାର ସବୁବେଳେ ନିଜ ସୁବିଧା ଅନୁସାରେ ନୂଆ ନୂଆ ପ୍ରାବଧାନ ଆଣୁଛନ୍ତି। ଏଥିରେ ଯଦି କୁହାଯାଏ ବିଜେପି ସଦସ୍ୟତା ଭାରତୀୟ ନାଗରିକର ପ୍ରମାଣ ଏଥିରେ ଆଚମ୍ବିତ ହେବାର କିଛି ନାହିଁ।

ସେହିପରି ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ବିଦେଶ ମନ୍ତ୍ରାଳୟଙ୍କ ଆଭିମୁଖ୍ୟରେ ଅସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହା ସରକାର ହିଁ ନିର୍ଦ୍ଧାରଣ କରିବେ। ନାଗରିକତାର ଅନ୍ୟ ପ୍ରମାଣ ମଧ୍ୟ ଅଛି। ଯେପରିକି ଆଧାର କାର୍ଡ। ଏଣୁ ବିଦେଶମନ୍ତ୍ରାଳୟଙ୍କୁ ଜଣାଇବାକୁ ପଡିବ କଣ ମାନ୍ୟ ଓ କଣ ମାନ୍ୟ ନୁହେଁ। ତେବେ ଏ ବାବଦେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ଜାରି କରିଛନ୍ତି। କହିଛନ୍ତି ଯେ ଏହି ବିବାଦ ଦୀର୍ଘ ସମୟରୁ ଥିବା ଆଇନଗତ ପରିସ୍ଥିତିର ଭୁଲ ବୁଝାମଣା ଯୋଗୁ ସୃଷ୍ଟି ହୋଇଛି। ଏହା ଗତ କାଲି ନିର୍ଦ୍ଧାରିତ ହୋଇନି ଯେ ପାସପୋର୍ଟ ନାଗରିକତାର ପ୍ରମାଣ। ଗତ ୧୨ ବର୍ଷରେ ମଧ୍ୟ ଏପରି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଜନୈକ ସରକାରୀ ଅଧିକାରୀ କହିଛନ୍ତି ଯେ ଏହି ସ୍ଥିତି ଦୀର୍ଘ ଦଶନ୍ଧୀରୁ ରହିଛି।

ସରକାର ନିଜ ଆଭିମୁଖ୍ୟକୁ ସୁରକ୍ଷା ଦେବାକୁ ଯାଇ ବୈଧାନିକ ପ୍ରାବଧାନ ଓ ବିଚାର ବିଭାଗୀୟ ନିଷ୍ପତ୍ତିର ଉଦାହରଣ ଦେଇଛନ୍ତି। ପ୍ରସଙ୍ଗକୁ ସ୍ପଷ୍ଟ କରି ପାସପୋର୍ଟ କେବେବି ନାଗରିକତାର ଚୂଡ଼ାନ୍ତ ପ୍ରମାଣ ନଥିଲା କି ନାହିଁ ବୋଲି କହିଛନ୍ତି। କାରଣ ପାସପୋର୍ଟ ଅଧିନିୟମ ୧୯୬୭ ଅନୁସାରେ ଏହାକୁ ବିଦେଶୀଙ୍କୁ ମଧ୍ୟ ଦିଆଯାଇପାରେ। ବମ୍ବେ ହାଇକୋର୍ଟଙ୍କ ୨୦୧୩ ରାୟରେ ଏହା ସ୍ପଷ୍ଟ ହୋଇ ସାରିଛି ଯେ ପାସପୋର୍ଟ କେବେବି ନାଗରିକତାର ପ୍ରମାଣ ନଥିଲା। ବିଦେଶ ମନ୍ତ୍ରାଳୟ ପାସପୋର୍ଟ ଅଧିନିୟମ ୧୯୬୭ର ଧାରା ୨୦ର ଉଦାହରଣ ଦେଇଛନ୍ତି। ଯାହା କେନ୍ଦ୍ର ସରକାରଙ୍କୁ ବିଶେଷ ପରିସ୍ଥିତିରେ ଅଣ ନାଗିରିକଙ୍କୁ ପାସପୋର୍ଟ ଅଥବା ଯାତ୍ରା ଡକ୍ୟୁମେଣ୍ଟ ଜାରି କରିବାକୁ ଅନୁମତି ଦେଇଥାଏ।