ନୂଆଦିଲ୍ଲୀ, ୨୬।୧୧ : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ବିଭିନ୍ନ ଦିଗରୁ ଚୀନ୍ ସହାୟତା କରିଥିଲା। ଏପରିକି ଚୀନର ୩ ସାଟେଲାଇଟ ଭାରତର ପଶ୍ଚିମ ଉପକୂଳରେ ଲଗାତର ନଜର ରଖୁଥିଲା ବୋଲି ଭାରତୀୟ ମହାକାଶ ନିରୀକ୍ଷଣ ଏବଂ ଗୁଇନ୍ଦା କମ୍ପାନୀ ଦିଗନ୍ତରାର ଏକ ରିପୋର୍ଟରୁ ଜଣାପଡ଼ିଛି।

ଭାରତ ମହାସାଗରୀୟ ଅଞ୍ଚଳରେ ଥିବା ଭାରତୀୟ ନୌସେନା ଏବଂ ବାୟୁସେନା ଘାଟି ଉପରେ ଏହି ୩ ଉପଗ୍ରହ ନିଙ୍ଗଳିଆ-୧୪, ଗାଓଫେନ୍-୧୧ ଏବଂ ୟାଓଗାନ୍-୩୦ ନଜର ରଖିଥିଲେ । ଏପରିକି ରିଲାଏନ୍ସର ଜାମନଗର ରିଫାଇନାରୀ ସମେତ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ଭିତ୍ତିଭୂମି ଏବଂ ବନ୍ଦର ବିଶେଷ କରି ଭୁଜ, ନଲିୟା ଓ ଜାମନଗର ଆଖପାଖ ଅଞ୍ଚଳ ଉପରେ ଲଗାତର ନଜର ରଖୁଥିଲା ।

Also Read :- ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ ନେଇ ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି: ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ପାକିସ୍ତାନ ସୀମା ନିକଟବର୍ତ୍ତୀ କଛ ଉପକୂଳ ଅଞ୍ଚଳରେ ‘ଭୂଜ ରୁଦ୍ର ମାତା ବାୟୁସେନା ଷ୍ଟେସନ ଏକ ପ୍ରମୁଖ ବାୟୁସେନା ଘାଟି ହୋଇଥିବାବେଳେ ପଶ୍ଚିମ କଚ୍ଛରେ ବାୟୁସେନା ଷ୍ଟେସନ (୪୯ତମ ୱିଙ୍ଗ୍) ଥିବାରୁ ନଲିୟା ବେଶ୍ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ର । ଏହା ପାକିସ୍ତାନ ସୀମା ଏବଂ ଆରବ ସାଗର ନିକଟବର୍ତ୍ତୀ ଏକ ଗୁରୁତ୍ଵପୂର୍ଣ ଘାଟି। ସ୍ଥଳଭାଗ ଏବଂ ଜଳଭାଗ ଉଭୟ ପଥର ନିକଟତର ହୋଇଥିବାରୁ ଏହା ଭାରତର ପଶ୍ଚିମ ସୀମାନ୍ତରେ ଦ୍ରୁତ ବାୟୁ ପ୍ରତିରକ୍ଷା, ନିରୀକ୍ଷଣ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ନେବାରେ ବେଶ୍ ସହାୟକ ହୋଇଥାଏ ।

ଅପରେସନ ସିନ୍ଦୂର ୨୦୨୫ ମେ' ୭ରେ ଆରମ୍ଭ ହୋଇଥିଲା ଏବଂ ୪ ଦିନ ଚାଲିଥିଲା। ଏହି ୪ ଦିନରେ ଚୀନ୍ ସାଟେଲାଇଟ୍ ନିଜ କକ୍ଷପଥ ବଦଳାଇଥିଲା ଏବଂ ଭାରତର ପଶ୍ଚିମ ଉପକୂଳ ଉପରେ ସକ୍ରିୟ ରହିଥିଲା। ଦିଗନ୍ତରା ବିଶ୍ଳେଷଣ ରିପୋର୍ଟରୁ ଚୀନ୍ ସାଟେଲାଇଟଗୁଡ଼ିକର ଗତିବିଧି ବାବଦରେ ଜଣାପଡ଼ିଛି। ତେବେ ଚାନ୍ ଏହି ସବୁ ତଥ୍ୟ ପାକିସ୍ତାନକୁ ଦେଇଥିଲା ବୋଲି କୁହାଯାଉଛି। ଗତବର୍ଷ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କିଛି ଦିନ ପୂର୍ବରୁ ମଧ୍ୟ ଚୀନ୍ ସାଟେଲାଇଟଗୁଡ଼ିକ ପହଲଗାମ ଅଞ୍ଚଳ ଉପରେ ବାରମ୍ଭର ଏବଂ ଅୱାଭାବିକ ଗତିବିଧି କରିଥିବା ରିପାର୍ଟରେ ଉଲ୍ଲେଖ କରାଯାଇଛି।

ସାମରିକ ଦୃଷ୍ଟିକୋଣରୁ ଭାରତର ପଶ୍ଚିମ ଉପକୂଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ । ଏହା ଭାରତୀୟ ନୌସେନାର ଏକ ପ୍ରମୁଖ କେନ୍ଦ୍ର । ମୁମ୍ବାଇରେ ପଶ୍ଚିମ ନୌସେନା କମାଣ୍ଡ ଅଧୀନରେ ଥିବା ଏହି ଉପକୂଳ ପଶ୍ଚିମ ଭାରତ ମହାସାଗରରେ ଭାରତର ସାମୁଦ୍ରିକ ସୁରକ୍ଷା ଏବଂ ଶକ୍ତି ପ୍ରଦର୍ଶନକୁ ସୁଦୃଢ଼ କରିଥାଏ। ମୁମ୍ବାଇ, ଗୋଆ ଭଳି ପ୍ରମୁଖ କେନ୍ଦ୍ରଗୁଡ଼ିକ ଯୁଦ୍ଧଜାହାଜ, ବୁଢ଼ାକହାଜ, ନୌସେନା ବିମାନ ଚଳାଚଳ ଏବଂ ଜାହାଜ ନିର୍ମାଣ କାର୍ଯ୍ୟରେ ସହାୟତା କରିଥାନ୍ତି। ପଶ୍ଚିମ ନୌସେନା କମାଣ୍ଡ ଆରବ ସାଗରରେ ଗୁରୁତ୍ବପୂର୍ଣ ଶକ୍ତି ଏବଂ ବାଣିଜ୍ୟିକ ମାର୍ଗଗୁଡ଼ିକର ସୁରକ୍ଷା କରିଥାଏ । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଏବଂ କେରଳ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଉପକୂଳ ଦେଇ ପଶ୍ଚିମ ଏସିଆ, ଆଫ୍ରିକା ଏବଂ ୟୁରୋପ ସହିତ ବଡ଼ମାତ୍ରାରେ ବାଣିଜ୍ୟ କାରବାର ହୋଇଥାଏ।