ପୁରୀ ୨୬।୧୧ : ଦୀର୍ଘ ଦିନର ବ୍ୟବଧାନ ପରେ ଆଜିଠାରୁ ପୁଣିଥରେ ଆରମ୍ଭ ହେବ ରତ୍ନ ଅଳଙ୍କାର ଗଣତି ମଣତି। ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ କରାଯିବ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ତାଲା ଖୋଲାଯାଇ ଗଣତି ମଣତି କରାଯିବ।

ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତିଶା ନିଯୋଗ ମହାନାୟକ, ଦେଉଳକରଣ, ତଢ଼ଉକରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଗଣତି ମଣତି କାର୍ଯ୍ୟ କରାଯିବ। ପୂର୍ବରୁ ଚଳନ୍ତି ଭଣ୍ଡାର ଓ ବାହାର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସରିଛି। ଏହାପରେ ଭିତର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଥିଲା।

Also Read:-ଅପରେସନ ସିନ୍ଦୂର ବେଳେ ଭାରତ ଉପରେ ନଜର ରଖିଥିଲା ଚୀନ୍ ସାଟେଲାଇଟ୍ ! ପାକିସ୍ତାନକୁ ଆଗୁଆ ଦେଉଥିଲା ତଥ୍ୟ

ତେବେ ଠାକୁରଙ୍କ ସ୍ବତନ୍ତ୍ର ନୀତି କାନ୍ତି ଓ ଭକ୍ତଙ୍କ ପ୍ରବଳ ସମାଗମ ଯୋଗୁଁ କିଛି ମାସ ଧରି ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରତ୍ନ ଅଳଙ୍କାର ଗଣତି ମଣତିରେ ସ୍ୱଚ୍ଛତା ପାଇଁ ସିସିଟିଭି କ୍ୟାମେରା, ଭିଡିଓଗ୍ରାଫି, ଫଟୋଗ୍ରାଫି ସହ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଙ୍ଗ୍ କରାଯାଉଛି। ଗଣତି ମଣତି ବେଳେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ଦର୍ଶନ କରିପାରିବେ। ସରକାରଙ୍କ ଏସଓପି ଆଧାରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ କାର୍ଯ୍ୟ କରାଯାଉଛି ।