ନୂଆଦିଲ୍ଲୀ: ଦେଶରେ ୟୁରିଆ ଉତ୍ପାଦନ ବୃଦ୍ଧି ଏବଂ ସାର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଦେଶରେ ୫୪ ହଜାର କୋଟି ଟଙ୍କାରେ ୬ଟି ନୂଆ ବ୍ରାଉନଫିଲ୍ଡ ୟୁରିଆ ପ୍ରକଳ୍ପ ସ୍ଥାପନ ପାଇଁ ସରକାର ମଞ୍ଜୁରି ଦେଇଛନ୍ତି । ଜାତୀୟ ୟୁରିଆ ନିବେଶ ନୀତି-୨୦୨୬ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି ।

ଦେଶର ବିଭିନ୍ନ ରାଜ୍ୟରେ ଏହି ୬ଟି ପ୍ରକଳ୍ପ ସ୍ଥାପନ କରାଯିବ । ତାମିଲନାଡ଼ୁର ମାଡ୍ରାସ, ପଞ୍ଜାବର ନାଙ୍ଗଲ, ଉତ୍ତରପ୍ରଦେଶର ଜଗଦୀଶପୁର ଏବଂ ଶାହଜାହାନପୁର, ପଶ୍ଚିମବଙ୍ଗର ପାନାଗଡ଼, ରାଜସ୍ଥାନର ଗଡ଼େପନରେ ନୂଆ ପ୍ଲାଣ୍ଟ ସ୍ଥାପନ କରାଯିବ । ଏହା ସହିତ ପୁରୁଣା ଏବଂ ଅଧିକ ଉର୍ଜ ଖର୍ଚ୍ଚ ହେଉଥିବା ୟୁରିଆ ପ୍ଲାଣ୍ଟକୁ ଆଧାନିକ ବୈଷୟିକ ସହ ଅପଗ୍ରେଡ୍ କରାଯିବ । ପୂର୍ବରୁ ଥିବା କାରଖାନାର ସମ୍ପ୍ରସାରଣ କରିବା କିମ୍ବା ପୁରୁଣା କାରଖାନା ସ୍ଥାନରେ ନୂଆ ଆଧୁନିକ କାରଖାନା ନିର୍ମାଣ କରିବାକୁ ବ୍ରାଉନଫିଲ୍ଡ ପ୍ରକଳ୍ପ କୁହାଯାଏ । ଏହି ପ୍ରକଳ୍ପଗୁଡ଼ିକରେ ପୂର୍ବରୁ ଜମି, ଭିତ୍ତିଭୂମି, ବିଦ୍ୟୁତ୍, ପରିବହନ ବ୍ୟବସ୍ଥା ଏବଂ ଆବଶ୍ୟକ ବୈଷୟିକ କର୍ମଚାରୀ ଉପଲବ୍ଧ ଥାଆନ୍ତି । ଫଳରେ ନୂଆ କାରଖାନା ନିର୍ମାଣ ତୁଳନାରେ କାମ ଶୀଘ୍ର ହେବା ସହ ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ ।

ଭାରତରେ ପ୍ରତିବର୍ଷ ପ୍ରାୟ ୪୦୦ ଲକ୍ଷ ମେଟ୍ରିକ ଟନ୍ ୟୁରିଆର ଆବଶ୍ୟକତା ରହିଛି । ୨୦୧୪-୧୫ରେ ଦେଶରେ ବାର୍ଷିକ ୟୁରିଆ ଉତ୍ପାଦନ ୨୨୫ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ୨୦୨୩-୨୪ରେ ଏହା ବୃଦ୍ଧି ପାଇ ୩୧୪.୦୭ ଲକ୍ଷ ମେଟ୍ରିକ ଟନ୍ ହୋଇଥିଲା । ୨୦୨୫-୨୬ରେ ଦେଶରେ ୨୯୩.୩୦ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଉତ୍ପାଦନ ହୋଇଛି । ଅନ୍ୟପକ୍ଷରେ, ଦେଶରେ ୟୁରିଆର ମୋଟ ଘରୋଇ ଉତ୍ପାଦନ କ୍ଷମତା ୨୦୧୪-୧୫ରେ ୨୦୭.୫୪ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ୨୦୨୬-୨୭ରେ ଏହା ୨୬୯.୪୨ ଲକ୍ଷ ମେଟ୍ରିକ ଟନ୍କୁ ବୃଦ୍ଧି ପାଇଛି ।

ସରକାରଙ୍କ ଆକଳନ ଅନୁସାରେ, ବ୍ରାଉନଫିଲ୍ଡ ପ୍ରକଳ୍ପ ଯୋଗୁଁ ପ୍ରତ୍ୟେକ ପ୍ରକଳ୍ପରେ ବାର୍ଷିକ ପ୍ରାୟ ୨୨୫ କୋଟି ଟଙ୍କା ସଞ୍ଚୟ ହୋଇପାରିବ । ଆଠ ବର୍ଷରେ ଏହି ସଞ୍ଚୟ ପରିମାଣ ପ୍ରାୟ ୧,୮୦୦ କୋଟି ଟଙ୍କା ହେବ । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୟୁରିଆ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ । ଫଳରେ ବିଦେଶୀ ମୁଦ୍ରା ସଞ୍ଚୟ ହେବା ସହ ଦେଶର କୃଷକମାନଙ୍କୁ ଆବଶ୍ୟକ ସମୟରେ ସାର ଯୋଗାଇବା ସହଜ ହେବ ।