ଭୁବନେଶ୍ୱର: ଟାଟା ପାୱାର ଅଧୀନସ୍ଥ ୪ଟି ବିଦ୍ୟୁତ ବିତରଣ କମ୍ପାନୀ (DISCOMs)ର ବିଜନେସ୍ ଆସୋସିଏଟ୍ସ (BAs)ଙ୍କ ଦ୍ୱାରା ନିୟୋଜିତ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ। ବିଧାନସଭା କାର୍ଯ୍ୟବିଧିର ନିୟମ-୨୧୪ ଅନୁଯାୟୀ ଗୃହକୁ ଅବଗତ କରାଇ ସେ ସ୍ପଷ୍ଟ କରିଛନ୍ତି ଯେ, ସରକାର କର୍ମଚାରୀଙ୍କ ସମସ୍ତ ଯୁକ୍ତିଯୁକ୍ତ ଦାବି ପୂରଣ କରିସାରିଛନ୍ତି, କିନ୍ତୁ ଅଯୌକ୍ତିକ ଦାବି ଆଗରେ ସରକାର ମୁଣ୍ଡ ନୁଆଁଇବେ ନାହିଁ।

ମନ୍ତ୍ରୀ ଗୃହରେ ତଥ୍ୟ ରଖି କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଗତ ଦୁଇ ବର୍ଷ ଧରି ଚାଲିଥିବା ଦ୍ୱିତୀୟ ସିଫ୍ଟ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ୨୦୨୬ ମାର୍ଚ୍ଚ ମାସରେ ଓଇଆରସି (OERC) ନିର୍ଦ୍ଦେଶ ଦେଇଥିଲେ। ଫଳସ୍ୱରୂପ, ସମସ୍ତ ୪ଟି ଡିସକମ୍ ସେମାନଙ୍କର ବିଜନେସ୍ ଆସୋସିଏଟ୍ସଙ୍କ ମାଧ୍ୟମରେ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ୩,୧୫୫ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ଛଟେଇ ନୋଟିସ୍ ଜାରି କରିଥିଲେ। ଏହାକୁ ବିରୋଧ କରି ମେ ୨୦୨୬ରେ ଆନ୍ଦୋଳନ ହୋଇଥିଲା।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏବଂ ଶକ୍ତି ମନ୍ତ୍ରୀଙ୍କ ସ୍ତରକୁ ଆସିବା ପରେ ଅନେକ ବୈଠକ ବସିଥିଲା। ମାନବିକତା ଦୃଷ୍ଟିକୋଣରୁ ସରକାର ନିଷ୍ପତ୍ତି ନେଇଥିଲେ ଯେ, ୩,୧୫୫ କର୍ମଚାରୀଙ୍କ ଛଟେଇ ନୋଟିସ୍ ପ୍ରତ୍ୟାହାର କରାଯିବ। ସେମାନଙ୍କୁ ରକ୍ଷଣାବେକ୍ଷଣ, ପ୍ରକଳ୍ପ, ମିଟର ରିଡିଂ ଏବଂ ବିଲ୍ ଆଦାୟ ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯିବ। କୌଣସି କର୍ମଚାରୀଙ୍କୁ ଅନ୍ୟ ଡିଭିଜନକୁ ବଦଳି ନକରି ନିଜ ନିଜ ଡିଭିଜନରେ ହିଁ ରଖାଯିବ।

ଆନ୍ଦୋଳନକାରୀଙ୍କ ଦାବି ଓ ସରକାରଙ୍କ ସ୍ପଷ୍ଟୀକରଣ

ମନ୍ତ୍ରୀ କହିଛନ୍ତି ଯେ, ମେ ମାସର ପ୍ରତିଶ୍ରୁତି ପରେ ଜଣେ ବି କର୍ମଚାରୀଙ୍କୁ ଛଟେଇ କରାଯାଇନାହିଁ। ତଥାପି ଗତ ନଭେମ୍ବର ୪ ତାରିଖରେ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇ ପୁଣିଥରେ ଭିତ୍ତିହୀନ ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କ ପ୍ରମୁଖ ଦାବି ଉପରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ମନ୍ତ୍ରୀ କହିଛନ୍ତି, ଆନ୍ଦୋଳନକାରୀମାନେ ୨୦୨୫ ଅକ୍ଟୋବରରେ ଛଟେଇ ହୋଇଥିବା ୧୯୨ ଜଣ କଷ୍ଟମର କେୟାର ଆସିଷ୍ଟାଣ୍ଟ (CCA)ଙ୍କୁ ପୁନଃନିଯୁକ୍ତି ଦେବାକୁ ଦାବି କରୁଛନ୍ତି। କିନ୍ତୁ ମେ ମାସର ବୈଠକରେ ଏନେଇ କୌଣସି ଆଲୋଚନା ହୋଇନଥିଲା। ବର୍ତ୍ତମାନ ୨୪ ଘଣ୍ଟିଆ ଅତ୍ୟାଧୁନିକ କଲ୍ ସେଣ୍ଟର ଏବଂ ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଗ୍ରାହକଙ୍କ ଅଭିଯୋଗର ସମାଧାନ ହେଉଥିବାରୁ ଏହି ପଦବୀର ଆଉ କୌଣସି ଆବଶ୍ୟକତା ନାହିଁ।

'କୋଡ୍ ଅନ୍ ୱେଜେସ୍-୨୦୧୯' ଅନୁଯାୟୀ ସର୍ବନିମ୍ନ ମଜୁରୀ ଏବଂ ବୋନସ୍ ପ୍ରଦାନ ଦାବିକୁ ସରକାର ପୂର୍ବରୁ ହିଁ ଗ୍ରହଣ କରିସାରିଛନ୍ତି। ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ୁଥିବା ନେଇ ଆନ୍ଦୋଳନକାରୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଓଡ଼ିଶାରେ ବିଦ୍ୟୁତ ଦର ଦେଶର ସବୁଠାରୁ ଶସ୍ତା ଏବଂ ୨୦୨୧ ମସିହାରୁ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଇନାହିଁ।

Also Read: ଟାୱାର ଉପରେ ଦିନତମାମ ପ୍ରତିବାଦ, ସନ୍ଧ୍ୟାରେ ମୋବାଇଲ ଟର୍ଚ୍ଚ ଓ କ୍ୟାଣ୍ଡେଲ ଜାଳି ଗର୍ଜିଲେ ବିଦ୍ୟୁତ ଠିକା କର୍ମଚାରୀ​​​​​​​

ଟାୱାର ଉପରକୁ ଚଢ଼ିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ଟିପିସିଓଡିଏଲ୍ (TPCODL) ଅଞ୍ଚଳରେ ଆନ୍ଦୋଳନକାରୀମାନେ ୩୩ କେଭି, ୧୩୨ କେଭି ଏବଂ ୪୦୦ କେଭି ବିଦ୍ୟୁତ ଟାୱାର ଉପରକୁ ଚଢ଼ି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ କରିବାକୁ ଉଦ୍ୟମ କରିବା ଘଟଣାକୁ ମନ୍ତ୍ରୀ ତୀବ୍ର ନିନ୍ଦା କରିଛନ୍ତି। ଏହା ଏକ ପ୍ରକାର ଅନ୍ତର୍ଘାତୀ କାର୍ଯ୍ୟ ବୋଲି ସେ କହିଛନ୍ତି।

ସେ ଚେତାବନୀ ଦେଇ କହିଛନ୍ତି ଯେ, ଏଭଳି ବିଦ୍ୟୁତ ବିଭ୍ରାଟ ଯୋଗୁଁ ଏମ୍ସ (AIIMS), ଏସସିବି (SCB) ମେଡିକାଲ କଲେଜ ସମେତ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହଜାର ହଜାର ରୋଗୀଙ୍କ ଜୀବନ ବିପଦରେ ପଡ଼ିପାରେ। ଏହାସହ ବିମାନବନ୍ଦର ଓ ରେଳ ଷ୍ଟେସନ ଭଳି ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେବ। ଜନସାଧାରଣଙ୍କ ସେବାରେ ବାଧା ସୃଷ୍ଟି କରି ସରକାରଙ୍କୁ ବ୍ଲାକମେଲ୍ କରିବାକୁ ଦିଆଯିବ ନାହିଁ ଏବଂ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି।