ଭଦ୍ରକ,୦୯|୦୭ଅନଲାଇନରେ ପାଠ ପଢ଼ିବା ପାଇଁ ପୁଅକୁ ବାପା ଦେଇଥିଲେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍। ମାତ୍ର ପାଠ ପଢୁପଢୁ ପୁଅ ପଡ଼ିଗଲା ଅନଲାଇନ ଗେମ ନିଶାରେ। ପୁଅ ପାଇଁ ମାରାତ୍ମକ ହୋଇଯାଇଥିଲା ନିଶିଦ୍ଧ ବ୍ଲୁ-ହ୍ୱେଲ ଗେମ୍। ବାରମ୍ବାର ଏହି ଗେମ ଖେଳି ପୁଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ସୌଭାଗ୍ୟବଶତଃ ସେ ବଞ୍ଚିଯାଇଛି ସତ ହେଲେ ଅକର୍ମଣ୍ୟ ପାଲଟିଯାଇଛି। ସେ ସ୍ମୃତିଶକ୍ତି ହରାଇ ବସିଛି। ଏହିପରି ଏକ ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଆଗରପଡ଼ା ନିକଟ ଆଡ଼ିଆ ପଞ୍ଚାୟତ ଓଲଡାଙ୍ଗ ଗ୍ରାମରେ।

ବାପା ବେଙ୍ଗାଲୁରୁରେ ଚାକିରି କରିଥିବାରୁ ପୁଅ ଅଂଶୁମାନ (୧୧) ଗାଁରେ ରହି ଏକ ସ୍କୁଲରେ ପଢୁଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ଗେମର ଟାସ୍କ ପୂରଣ କରିବାକୁ ଯାଇ ଅଂଶୁମାନ ୨୦୨୨ ଫେବ୍ରୁଆରୀରେ ନିଜ ବାପାଙ୍କ ବେଲ୍ଟରେ ଫାଶି ଲଗାଇ ଝୁଲି ପଡିଥିଲା।

ତାକୁ ଉଦ୍ଧାର କରାଯାଇ ଦୀର୍ଘ ୩ ମାସ ଆଇସିୟୁରେ ରଖାଯାଇଥିଲା। ହେଲେ ସେ କେବଳ ବାପା, ମା' ଛଡ଼ା ଆଉ କିଛି କହିପାରୁ ନାହିଁ। ପୁଅର ଚିକିତ୍ସା ପାଇଁ ବାପା ମା' ସର୍ବସ୍ୱାନ୍ତ ହୋଇସାରିଛନ୍ତି। ଏବେ ଭଦ୍ରକରେ ଏକ ଭଡା ଘରେ ରହି ପୁଅର ଚିକିତ୍ସା କରାଉଛନ୍ତି।

ମାତ୍ର ଏଥିପାଇଁ ଅର୍ଥର ବହୁ ଆବଶ୍ୟକତା ଥିବାରୁ ପରିବାର ବହୁ କଷ୍ଟରେ ଅଛନ୍ତି। ଶିଶୁକୁ ନୂଆ ଜୀବନ ଦେବା ପାଇଁ ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ପରିବାର ସମେତ ଗ୍ରାମବାସୀ ଅନୁରୋଧ କରିଛନ୍ତି ।