ଭୁବନେଶ୍ବର ୭।୯: କନ୍ଦାଉଛି ପିଆଜ । ପିଆଜରେ ହାତ ମାରି ହେଉନି । ପାଇକାରୀ ଦର ୬୦ । ଅର୍ଥାତ ହାଟ ବଜାରରେ ପିଆଜ କେଜିକୁ ୬୦ ଟଙ୍କା । କିନ୍ତୁ ଖୁଚୁରା ବଜାରରେ ପିଆଜ ଦର ୭୦ ଛୁଇଁଲାଣି । ସାରା ରାଜ୍ୟରେ ପାଖାପାଖି ସମାନ ଅବସ୍ଥା । ଏଭଳି ସ୍ଥିତିରେ ଖାଉଟିଙ୍କୁ ରିହାତି ଦରରେ ପିଆଜ ଦେଉଛି ନାଫେଡ । କିଲୋ ପ୍ରତି ୩୫ ଟଙ୍କାରେ ପିଆଜ ବିକ୍ରି କରାଯାଉଛି । ମୋବାଇଲ ଭ୍ୟାନରେ ବୁଲି ବୁଲି କିଲୋ ପିଛା ୩୫ ଟଙ୍କାରେ ପିଆଜ ବିକ୍ରି କରାଯାଉଛି । ଭୁବନେଶ୍ୱର ସମେତ କଟକ, ପୁରୀ, ଜଗତସିଂହପୁରରେ ଏହା ବିକ୍ରି କରାଯିବ । ଉପଭୋକ୍ତା ମାନେ ନାଫେଡର ସୋସିଆଲ ମିଡିଆ ହାଣ୍ଡେଲରେ ବିକ୍ରି ସ୍ଥାନ ବିଷୟରେ ଜାଣିପାରିବେ । ଏହା ପୂର୍ବରୁ NCCF ପକ୍ଷରୁ ଯୋଗାଣର ଶୁଭାରମ୍ଭ ହୋଇଥିଲା ।

ସାରା ରାଜ୍ୟରେ ପିଆଜ ଦର ବଢ଼ିଛି । ଯେତିକି ଆବଶ୍ୟକ ସେତିକି ପିଆଜ ବଜାରକୁ ଆସୁନି । ଗରିବର ପଖାଳ କଂସାରୁ ଗାଏବ ହୋଇଗଲାଣି ପିଆଜ । ଛୁଇଁବା ତ ଦୂର କଥା କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି ।

 

ପିଆଜ ପାଇଁ ଓଡ଼ିଶା ସାଧାରଣତଃ ନାସିକ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରେ । ତେବେ ନାସିକରେ ବର୍ଷା ବନ୍ୟା ସ୍ଥିତି ପାଇଁ ପିଆଜ ଚାଷ କ୍ଷତିଗ୍ରସ୍ତ ହୋଇଛି । ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ପିଆଜ ଆସୁନି । ଯେଉଁଠି ଦିନକୁ ୫ରୁ ୬ ଟ୍ରକ୍ ଆସୁଥିଲା, ବର୍ତ୍ତମାନ ମାତ୍ର ଗୋଟିଏ କି ଦୁଇଟି ଆସୁଛି । ଫଳରେ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ କହିଛନ୍ତି । ଆଉ ଯାହାର ସିଧା ପ୍ରଭାବ ଖାଉଟିଙ୍କ ପକେଟ୍ ଉପରେ ପଡୁଛି । ମହଙ୍ଗା ମାଡରେ ଅଣନିଶ୍ବାସୀ ହେଉଛନ୍ତି ଲୋକେ । ଏଭଳି ସ୍ଥିତିରେ ନାଫେଡ ରିହାତି ଦରରେ ପିଆଜ ଦେଉଛି ।