ନୂଆଦିଲ୍ଲୀ, ୦୬/୦୧ : ଭାରତୀୟ କ୍ରିକେଟର ଦଳର ଦୁଇ ଷ୍ଟାର୍ ପ୍ଲେୟାର ଶୁଭମନ ଗିଲ ଏବଂ ଅଭିଷେକ ଶର୍ମା । ଦିନିକିଆ ଏବଂ ଟେଷ୍ଟରେ ଶୁଭମନ ଦମଦାର ଖେଳାଳି । ଟି୨୦ ଫର୍ମାଟରେ ଅଭିଷେକ ବେଷ୍ଟ୍ । ସବୁଠାରୁ ବଡ କଥା ହେଉଛି ଯେ, ଉଭୟଙ୍କୁ କୋଚିଂ ଦେଇଛନ୍ତି ଟିମ୍ ଇଣ୍ଡିଆ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ । ଦୁଇ ଖେଳାଳିଙ୍କ ବିଷୟରେ କେଭିନ୍ ପିଟରସେନଙ୍କ ସହ ଆଲୋଚନା ବେଳେ ଯୁବି ଅନେକ କଥା କହିଛନ୍ତି ।

ଯୁବରାଜ କହିଛନ୍ତି ଯେ, କରୋନା ସମୟରେ ସେ ଶୁଭମନ ଏବଂ ଅଭିଷେକଙ୍କୁ କୋଚିଂ ଦେବା ଆରମ୍ଭ କରିଥିଲେ । ଶୁଭମନ ଶ୍ରେଷ୍ଠ ଖେଳାଳି । ଅଭିଷେକଙ୍କଠାରୁ ସେ ଗୋଟିଏ ପାଦ ଆଗରେ ଅଛନ୍ତି । ସେ ଭାରତୀୟ ଦଳର ଦୁଇଟି ଫର୍ମାଟର ଅଧିନାୟକ । ଅନ୍ୟ ଖେଳାଳିଙ୍କ ଅପେକ୍ଷା ଶୁଭମନ ଅଧିକ ପରିଶ୍ରମ କରିଥାନ୍ତି । ନୂଆ ନୂଆ ଟେକନିକ୍ ଶିଖିବାରେ ତାଙ୍କର ରୁଚି ରହିଥାଏ ।

ସେ ଆହୁରି କହିଛନ୍ତି ଯେ, ଅଭିଷେକଙ୍କ ପାଇଁ ଆହୁରି ଅନେକ କିଛି ଶିଖିବା ବାକି ରହିଛି । କୋଚିଂ ଦେବା ସମୟରେ ସେ ଅଭିଷେକଙ୍କୁ ୪ ବର୍ଷ ପାଇଁ କଠିନ ପରିଶ୍ରମ କରିବାକୁ କହିଥିଲେ । ଖାଲି ଆଇପିଏଲ ନୁହେଁ ଭାରତୀୟ ଦଳରେ ଖେଳିବା ପାଇଁ ଅଧିକ ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ । ସେବେଠୁ ଠିକ୍ ୪ ବର୍ଷ ପରେ ଅଭିଷେକ ଦଳରେ ପଦାର୍ପଣ କରିଥିଲେ ।

ସେ ଆହୁରି କହିଛନ୍ତି ଯେ, ଟି୨୦ ଫର୍ମାଟରେ ବିସ୍ଫୋରକ ବ୍ୟାଟିଂ ଦରକାର । ଯାହା ଅଭିଷେକଙ୍କ ବ୍ୟାଟିଂରେ ଦେଖିବାକୁ ମିଳେ । ଗିଲ୍ ଏହି ଫର୍ମାଟରେ ଧୈର୍ଯ୍ୟର ସହ ଖେଳିଥାନ୍ତି । ଆଜିର ସମୟରେ ଗୋଟିଏ ଓ୍ୱିକେଟ୍ ପତନ ହେଲେ ଏହାର ବହୁ ମୂଲ୍ୟ ଦେବାକୁ ପଡିଥାଏ । ଥରେ ଫର୍ମକୁ ଆସିଲେ ୧୪୦ କିମ୍ବା ୧୫୦ ଗତିରେ ବୋଲିଂ କଲେ ମଧ୍ୟ କିଛି ଫରକ ପଡେନାହିଁ ।

ଉଭୟ ଖେଳାଳିଙ୍କ ମଧ୍ୟରେ ଫରକକୁ ନେଇ ସେ କହିଛନ୍ତି ଯେ, ଅଭିଷେକଙ୍କୁ ସେ ଗୋଟିଏ ଓଭରରେ ତିନୋଟି ଚଉକା କିମ୍ବା ଛକା ମାରିବା ସହ ତିନୋଟି ସିଙ୍ଗିଲ୍ ରନ୍ ନେବାକୁ କହିଥାନ୍ତି । ସେ କିନ୍ତୁ ୪୦-୫୦ ବଲରେ ଶତକ ମାରିବା ଲକ୍ଷ୍ୟରେ ରହିଥାନ୍ତି । ୫୦-୫୫ ବଲରେ ଶତକ କଲେ ସେ ଖୁସି ହୁଅନ୍ତି ନାହିଁ । ତେଣୁ ବଡ ସଟ୍ ଖେଳିବା ଲକ୍ଷ୍ୟରେ ଆଉଟ୍ ହେବାର ସମ୍ଭାବନା ରହିଥାଏ । କିନ୍ତୁ ଗିଲ୍ ସେଭଳି ନୁହେଁ । ଗିଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ସ୍କୋରକୁ ଆଗକୁ ନେଇଥାନ୍ତି । ଅଭିଷେକ ସେଭଳି ଭାବେ ତିଆରି ହୋଇନାହାଁନ୍ତି ବୋଲି ଯୁବରାଜ କହିଛନ୍ତି ।