ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଳିକା ଦିବସରେ ସାମ୍ନାକୁ ଆସିଥିବା ତଥ୍ୟରୁ ଜଣା ପଡୁଛି ଯେ ବାଲ୍ୟ ବିବାହ ନେଇ ୨୦୩୦ ମସିହା ସୁଦ୍ଧା ଭାରତ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ କରିନପାରେ। କାରଣ ବିଶ୍ୱରେ ପ୍ରତି ତୃତୀୟ ‘ବାଳିକା ବଧୂ’ ଭାରତରେ। ଯଦିଓ ଦେଶରେ ବାଲ୍ୟ ବିବାହ ହାର ହ୍ରାସ ହୋଇଛି ୧୯୯୬ର ୫୦%ରୁ ଏବେ ୨୦%କୁ ପହଞ୍ଚିଛି, ହେଲେ ବି ଭାରତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିନପାରେ। କାରଣ ଆଜି ବି ଦେଶରେ ୫ରୁ ଜଣେ ଭାରତୀୟ ଯୁବତୀଙ୍କ ବିବାହ ୧୮ ବର୍ଷ ଆୟୁରେ ପହଞ୍ଚିବା ପୂର୍ବରୁ କରି ଦିଆଯାଉଛି।

ୟୁନିସେଫ ତଥ୍ୟ ଅନୁସାରେ ଭାରତରେ ୨୦-୨୪ ବର୍ଷ ବୟସର ୨୨.୪ କୋଟିରୁ ଅଧିକ ଏପରି ମହିଳା ଅଛନ୍ତି ଯେଉଁମାନଙ୍କ ବିବାହ ୧୭ ବର୍ଷ ବୟସ ହେବା ପୂର୍ବରୁ କରିଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୯ କୋଟିରୁ ଅଧିକ ମହିଳାଙ୍କ ବିବାହ ୧୫ ବର୍ଷ ବୟସ ପୂର୍ବରୁ କରିଦିଆଯାଇଛି। ତେବେ ବିଶେଷଜ୍ଞଙ୍କ କହିବା କଥା ହେଉଛି ଜାତୀୟ ହାରରେ ଭ୍ରମିତ ହେବାର ଆବଶ୍ୟକତା ନାହିଁ, କାରଣ କିଛି ରାଜ୍ୟରେ ଏହି ସମସ୍ୟା ଅତ୍ୟନ୍ତ ଜଟିଳ ଓ ଚିନ୍ତାଜନକ ହୋଇ ରହିଛି।

ୟୁନିସେଫ ଓ ସରକାରୀ ତଥ୍ୟ ଅନୁସାରେ ଦେଶର ମୋଟ ବାଲ୍ୟ ବିବାହର ଅଧାରୁ ଅଧିକ କେବଳ ୫ ରାଜ୍ୟ ଉତ୍ତରପ୍ରଦେଶ, ବିହାର, ବେଙ୍ଗଲ,ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ହେଉଛି। ଏହାର ବିପରୀତ କେରଳମ ଓ ଲକ୍ଷ୍ୟାଦ୍ୱୀପ ଭଳି ରାଜ୍ୟମାନେ ଏହି ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ୟୁନିସେଫ ଇଣ୍ଡିଆ ପ୍ରତିନିଧି ସିଂଥିଆ ମ୍ୟାକେଫେରୀ କହିଛନ୍ତି ଯେ ଚଳିତବର୍ଷ ଅନ୍ତର୍ଜାତୀୟ ବାଳିକା ଦିବସର ବିଷୟ ‘ବାଲ୍ୟ ବିବାହର ଅନ୍ତ କରିବା ଓ ବାଳିକାଙ୍କ ଅଧିକାରରେ ନିବେଶ କରିବା’ ରଖାଯାଇଛି। କାରଣ କିଶୋରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସେମାନଙ୍କ ଅଧିକାରର ସଂରକ୍ଷଣ ଲାଗି ନିରନ୍ତର ନିବେଶର ଆବଶ୍ୟକତା ରହିଛି।

ରାଜା ରାମମୋହନ ରାୟ ଓ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ସମାଜ ସଂସ୍କାରକଙ୍କ ସମୟରୁ ଆରମ୍ଭ ହୋଇଥିବା ସୁଧାର ଆନ୍ଦୋଳନ ପରେ ଏବେ ସରକାର ୨୦୩୦ ସୁଧା ଏହି କୁ ପ୍ରଥାକୁ ମୂଳରୁ ଦୂର କରିବା ପାଇଁ ସଂକଳ୍ପବଦ୍ଧ। ବିଶେଷଜ୍ଞଙ୍କ କହିବା କଥା ହେଉଛି କେବଳ କଡ଼ା ଆଇନରେ କାମ ଚଳିବନି ବରଂ ବାଳିକାଙ୍କୁ ସେମାନଙ୍କ ବାସ୍ତବିକ ହକ ଦେଇ ଏହି ସାମାଜିକ କଳଙ୍କକୁ ଦୂର କରାଯାଇ ପାରିବ।