ଏଡେନ: ସମୁଦ୍ର ସୁରକ୍ଷାକୁ ନେଇ ପୁଣି ଥରେ ସଂକଟ ଦେଖା ଦେଇଛି। ୟେମେନ କୋଷ୍ଟଗାର୍ଡ ସବବା ପ୍ରାନ୍ତ ଉପକୂଳରୁ ଏକ ତୈଳ ଟ୍ୟାଙ୍କର ଅପହରଣ କରି ନିଆଯାଇଥିବା ଶନିବାର ସୂଚନା ଦେଇଛି। ସୂଚନା ଅନୁସାରେ ସଶସ୍ତ୍ର ଆକ୍ରମଣକାରୀ ମଝି ସମୁଦ୍ରରେ ଟ୍ୟାଙ୍କରକୁ ଚଢି ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏବେ ତାକୁ ଏଡେନ ଉପସାଗର ଦେଇ ସୋମାଲିଆ ଆଡକୁ ନେଇ ଯାଉଥିବା ଜଣାପଡିଛି। ଅପହୃତ ଜାହାଜକୁ ଏମଟି ୟୁରେକା ଭାବେ ଚିହ୍ନଟ କରାଯାଇଛି।

ୟେମେନ କୋଷ୍ଟଗାର୍ଡ ଅନୁସାରେ ଜାହାଜର ବର୍ତ୍ତମାନ ସ୍ଥିତି ସମ୍ପର୍କିତ ସୂଚନା ମିଳି ଯାଇଛି ଓ ଜାହାଜକୁ ଅପହରଣକାରୀଙ୍କ ଠାରୁ ମୁକୁଳାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏଥିରେ ଜାହାଜର ଚାଳକ ଦଳ ସଦସ୍ୟଙ୍କୁ ସୁରକ୍ଷିତ ବାହାର କରିବା ମୁଖ୍ୟ କାମ ହେବ ବୋଲି କୋଷ୍ଟ ଗାର୍ଡ ଅଧିକାରୀମାନେ କହିଛନ୍ତି। ତେବେ ଏହି ଅପହରଣର ଠିକ୍ ପୂର୍ବରୁ ୟୁନାଇଟେଡ କିଙ୍ଗଡମ ମେରିଟାଇମ ଟ୍ରେଡ ଅପରେସନସ୍ (ୟୁକେଏମଟିଓ) ଏ ନେଇ ସନ୍ଦିଗ୍ଧ ଗତିବିଦ୍ଧିର ସୂଚନା ଦେଇଥିଲା।

ଏଥିରେ ଏକ ପଣ୍ୟବାହୀ ଜାହାଜର ମାଷ୍ଟର କହିଛନ୍ତି ଯେ ଏକ ସବୁଜ ରଙ୍ଗର ଛୋଟ ଡଙ୍ଗା ଓ ଏକ ଧଳା ମାଛଧରା ଜାହାଜ ତାଙ୍କ ଜାହାଜର ଖୁବ୍ ନିକଟକୁ ଆସିବା ଲାଗି ଚେଷ୍ଟା କରିଥିଲା। ଏହି ଜଳକ୍ଷେତ୍ର ଦେଇ ଯାତ୍ରା କରୁଥିବା ସବୁ କମର୍ସିଆଲ ଜାହାଜଙ୍କୁ ୟୁକେଏମଟିଓ ଅତ୍ୟାଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଏହି କ୍ଷେତ୍ରରେ ଅସାମାନ୍ୟ ଗତିବିଦ୍ଧି ଦେଖିଲେ ତୁରନ୍ତ ରିପୋର୍ଟ କରିବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏଡେନ ଉପସାଗର ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ମଧ୍ୟରେ ଅନ୍ୟତମ। ଏହା ଆରବ ସାଗରକୁ ଲୋହିତ ସାଗର ଓ ସ୍ୱେଜ କେନାଲ ସହ ସଂଯୁକ୍ତ କରୁଛି। ଏଣୁ ଏହି ସାମୁଦ୍ରିକ ରାସ୍ତାରେ ଘଟୁଥିବା ଏପରି ଘଟଣା କୌଣସି ନୂଆ କଥା ନୁହେଁ। ସାମୁଦ୍ରିକ ଲୁଟେରା ଓ ଅଞ୍ଚଳର ବିଦ୍ରୋହୀ ଗୋଷ୍ଠୀ ମିଳିତ ଏପରି ଘଟଣାକୁ ସଫଳ କରିଥାନ୍ତି। ତେବେ ଆଜିର ଏହି ଅପହରଣ ସାରା ବିଶ୍ୱରେ ଜାହାଜ ମାଲିକଙ୍କ ଚିନ୍ତାକୁ ପୁଣି ବଢେଇ ଦେଇଛି।