ଆଠଗଡ଼: ଦେଶୀ ମଦ ଓ ଗଞ୍ଜେଇ କାରବାର ଅଭିଯୋଗରେ ଚଢ଼ାଉ ବେଳେ ଆଠଗଡ଼ ଅବକାରୀ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କୁ ଆକ୍ରମଣ । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମରେ ଘଟିଛି ଏହି ଘଟଣା । ଗଞ୍ଜେଇ କାରବାର ଖବର ପାଇ ଚଢ଼ାଉ ସମୟରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଗଞ୍ଜେଇ ମାଫିଆ ବିଭିନ୍ନ ମାରଣା ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗୁରୁବାର ଆଠଗଡ଼ ଅବକାରୀ ବିଭାଗକୁ ରତାପାଟ ଗ୍ରାମରେ ଏକ ସ୍ଥାନରେ ଦେଶୀ ମଦ ରଖାଯାଇଥିବା ନେଇ ଖବର ମିଳିଥିଲା । ଏମିତିରେ ଅବକାରୀ ଟିମ୍ ଭାଟିକୁ ଯାଇ ରେଡ୍‌ କରିବା ସହ ମଦ ଜବତ କରିଥିଲା । ହେଲେ ରେଡ୍‌ ବେଳେ ଟିମ୍ ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା ଯେ, ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଗଞ୍ଜେଇ ଚାଲାଣରେ ଲିପ୍ତ । ଏମିତିରେ ଟିମ୍ ଗଞ୍ଜେଇ ବ୍ୟବସାୟ କରୁଥିବା ଉକ୍ତ ବ୍ୟକ୍ତିଙ୍କ ଘରେ ରେଡ୍ କରିଥିଲା । କିନ୍ତୁ ଏହାକୁ ବିରୋଧ କରିଥିଲେ ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ଠେଲାପେଲା ସୃଷ୍ଟି ହୋଇଥିଲା । ଯେଉଁଥିରେ ବ୍ୟକ୍ତି ଜଣକ ଖସି ପଳାଇଥିଲେ। ଧସ୍ତାଧସ୍ତି ଯୋଗୁ ବିଭାଗର କର୍ମଚାରୀମାନେ ଆହତ ହୋଇଛନ୍ତି।

Also Read: ଶିବ ମନ୍ଦିର ପାଖରେ ବିକୁଥିଲେ ଗୋ ମାଂସ, ପୋଲିସ ଜବତ କଲା କଟା ମୁଣ୍ଡ ଏବଂ ଟାଙ୍ଗିଆ​​​​​​​

ତେବେ ଏହା ସତ୍ତ୍ବେ ବି ରେଡ୍ ସଫଳ ହୋଇଥଲା ଏବଂ ଚଢ଼ାଉରେ ତିନି କେକି ଗଞ୍ଜେଇ ସହିତ ୨୨୪୦ ଲିଟର ଦେଶୀ ମଦ ଜବତ କରାଯାଇଛି । ବଡ଼ମ୍ବା ଥାନାରେ ଏନେଇ ଏତଲା ଦିଆଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ଆଠଗଡ଼ ଅବକାରୀ ବିଭାଗ।