ବୃନ୍ଦାବନ: ମଥୁରାରେ ବୃନ୍ଦାବନସ୍ଥିତ ଠାକୁର ବାଙ୍କେବିହାରୀ ମନ୍ଦିରର ବିଶେଷ ଉତ୍ସବ ଓ ପର୍ବରେ ଠାକୁରଜୀଙ୍କୁ ଭକ୍ତ ଉପହାରରେ ଦେଉଥିବା ସୁନା-ରୁପା ଆଦି ବହୁମୂଲ୍ୟ ରତ୍ନ ଜଡିତ ଝୁଲା. ରଥ ଓ ବିଭିନ୍ନ ପ୍ରକାରର ସିଂହାସନ ଆଦି ସାମଗ୍ରୀକୁ ସେବାରେ ଉପଯୋଗ କରାଯାଉ ନଥିବାରୁ ଏବେ ପ୍ରଶ୍ନ ଉଠିଛି। ଏହି ସୂଚନା ମନ୍ଦିରର ଏକ ଅଧିକାରୀକ ବିଜ୍ଞପ୍ତିରୁ ଜଣାପଡିଛି। ଏଥିରେ ଏହା ବି ପ୍ରଶ୍ନ ଉଠିଛି ଯେ ସେହି ସବୁ ସାମଗ୍ରୀ ଏବେ କେଉଁଠି ଓ ସମ୍ବଦ୍ଧିତ ସେବାୟତ ସେ ସବୁର ଉପଯୋଗ କଲେନି କାହିଁକି?

ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ମନ୍ଦିର ଉଚ୍ଚକ୍ଷମତା ସମ୍ପନ୍ନ କମିଟି ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଇଥିବା ବେଳେ ଏଥିରେ ବରିଷ୍ଠ ପୋଲିସ ଅଧିକ୍ଷକ, ମଥୁରା-ବୃନ୍ଦାବନ ବିକାଶ ପ୍ରାଧିକରଣ ଉପାଧ୍ୟକ୍ଷ ଓ ନଗର ଆୟୁକ୍ତଙ୍କ ଏକ ତ୍ରିସଦସୀୟ ଟିମ୍ ଗଠନ କରାଯାଇଛି। ଜିଲ୍ଲା ସୂଚନା କାର୍ଯ୍ୟାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ ବୈଠକରେ ଠାକୁରଙ୍କୁ ଭେଟିରେ ଦିଆଯାଇଥିବା ଶୃଙ୍ଗାରର ଅନେକ ବହୁମୂଲ୍ୟ ରତ୍ନ, ସୁନା ଓ ରୂପା ନିର୍ମିତ ଝୁଲା, ରଥ, ନୌକା ଓ ବିଭିନ୍ନ ପ୍ରକାରର ସିଂହାସନ ମନ୍ଦିର ପରମ୍ପରା ଅନୁସାରେ ବିଶେଷ ଉତ୍ସବ କାଳରେ ସେବାରେ ଉପଯୋଗ ହେଉନଥିବାରୁ ପ୍ରଶ୍ନ ଉଠିଛି।

ଏଥିରେ ଏହା ବି ପ୍ରଶ୍ନ କରାଯାଇଛି ଯେ ଏହି ସବୁ ସାମଗ୍ରୀର ପ୍ରଦର୍ଶନ ସେଗୁଡିକର ସମୟାନୁସାର କାହିଁକି କରାଗଲା ନାହିଁ ଓ ସେ ସବୁ ସାମଗ୍ରୀ ଏବେ କେଉଁଠି ଅଛି। ବିଜ୍ଞପ୍ତି ଅନୁସାରେ ବୃନ୍ଦାବନର ଲକ୍ଷ୍ମଣ ଶହିଦ ସ୍ମାରକରେ ଅନୁଷ୍ଠିତ ବୈଠକରେ ଏଲହାବାଦ ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ତଥା କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅଶୋକ କୁମାର କରିଥିଲେ। ଏଥିରେ ଭକ୍ତ ଦେଉଥିବା ଉପହାର ଦାନ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି। କୁହାଯାଇଛି କିଛି ଭଣ୍ଡାରୀ ଓ ଅନ୍ୟ ଲୋକେ ଶ୍ରଦ୍ଧାଳୁଙ୍କ ହାତରୁ ଦାନ ନେଉଛନ୍ତି। ବିଜ୍ଞପ୍ତି ଅନୁସାରେ ଏହି ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କ ଆଦେଶ ଓ ମନ୍ଦିରର ସମ୍ମାନ ଅନୁସାରେ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି।

ବିଜ୍ଞପ୍ତି ଅନୁସାରେ ବୈଠକରେ ମନ୍ଦିରର ପ୍ରସାଦ ମାନ ଓ ବିତରଣ ଉପାୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବୈଠକରେ ଏହା ବି ନିଷ୍ପତ୍ତି ହୋଇଛି ଯେ ଏବେ ମନ୍ଦିରରେ ଭକ୍ତ ଠାକୁରଙ୍କ ଆଡକୁ ପେଡା ଓ ଲବଣୀ ଫିଙ୍ଗିବେ ନାହିଁ। ପ୍ରସାଦକୁ ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମ୍ମାନଜନକ ଉପାୟରେ ପହଞ୍ଚାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ବୈଠକରେ ମନ୍ଦିରର ଫୁଲ ସାଜସଜ୍ଜାକୁ ନେଇ ମଧ୍ୟ ନୂଆ ବ୍ୟବସ୍ଥା ଉପରେ ବିଚାର କରାଯାଇଛି। ମନ୍ଦିରର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟ ବୈଠକରେ ଚର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା। ଏଥିରେ ପାଣ୍ଠି ଘରୋଇ ବ୍ୟାଙ୍କରେ ଜମା କରାଯାଉଥିବାରୁ ଆପତ୍ତି ହୋଇଛି।