ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଘୋଷଣା କରିଛି ଆମେରିକା। ଆମେରିକାର JTWC ବା ଜଏଣ୍ଟ ଟାଇଫୁନ ଓ୍ୱାର୍ଣ୍ଣିଂ ସେଣ୍ଟର ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଥିବା କହିଛି। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ବା ଟ୍ରପିକାଲ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇସାରିଛି।  ଏବେ ଆହୁରି ଶକ୍ତିଶାଳୀ ହେବ ବୋଲି ଉଲ୍ଲେଖ କରିଛି। ଜେଟିଡବଲୁସି ହେଉଛି ଆମେରିକାର ମିଳିତ ନାଭି ଏବଂ ଏୟାରଫୋର୍ସ କମାଣ୍ଡ । ଯାହା ବିଭିନ୍ନ ସାଇକ୍ଲୋନ୍ ଏବଂ ହରିକେନ୍ ବାବଦରେ ତଥ୍ୟ ରଖିଥାଏ।

ବିଭିନ୍ନ ଦେଶ ଉପକୂଳରେ ସମ୍ଭାବ୍ୟ ବାତ୍ୟାକୁ ନେଇ ମଧ୍ୟ ଏହା ଅନୁମାନ କରେ । ଏହାର ମଡେଲକୁ ଆମେରିକା ସରକାର ଗ୍ରହଣ କରିଥାନ୍ତି । ୟୁଏସର ଏହା ଏକ ଭରସାଯୋଗ୍ୟ ଅନୁଷ୍ଠାନ । ଆମେରିକାର ପାଣିପାଗ ବିଭାଗ NOAA ମଧ୍ୟ JTWCକୁ ନିର୍ଭର କରେ। JTWC ଅନୁସାରେ ଏହା ବାତ୍ୟାର ରୂପ ନେଇଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ରହିବ ଘଣ୍ଟାପ୍ରତି ୭୫ କିମି। ୨୩ ରାତିରୁ ୨୪ ଭୋର ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କହିଛି। ବିଦେଶୀ ପାଣିପାଗ ମଡେଲ ଜୁମ୍ ଡଟ୍ ଆର୍ଥକୁ ଦେଖିଲେ ସେ ମଧ୍ୟ ଗଭୀର ଅବପାତ ବାବଦରେ ମଡେଲ୍ ଦେଉଛି । କିନ୍ତୁ ଏଥିରେ ସାଇକ୍ଲୋନିକ୍ ଷ୍ଟର୍ମ ଲେଖାଯାଇଛି । ଅର୍ଥାତ ବାତ୍ୟା ।   

ସେପଟେ IMDର ଲାଟେଷ୍ଟ ବୁଲେଟିନ ଅନୁସାରେ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର ଆନ୍ଧ୍ରପ୍ରଦେଶ - ଦକ୍ଷିଣ ଓଡିଶା ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ବାତ୍ୟା ଘୋଷଣା କରିନଥିଲେ ବି ପାଣିପାଗର କାରକ ଏହାକୁ ବଳ ଯୋଗାଇବ। ମାର୍ଜିନାଲ ସାଇକ୍ଲୋନ ହେବା ନେଇ ଓଡ଼ିଶାର ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି।

also read- ଗଭୀର ଅବପାତ ନୁହେଁ ବାତ୍ୟା ହେବ ! ବିଦେଶୀ ମଡେଲରେ ଓଡ଼ିଶାକୁ ବିପଦ, ଭୟରେ ଉପକୂଳବାସୀ

କିନ୍ତୁ ପବନ ଠାରୁ ବେଶି ବିପଦ ଆଣିବ ବର୍ଷା। ଶ୍ରୀକାକୁଲମ ନିକଟରେ ଏହା ସ୍ଥଳଭାଗକୁ ପ୍ରବେଶ କରିବା ସମ୍ଭାବନା ଅଛି। ସେତେବେଳକୁ ଏହା ପ୍ରଭାବରେ ୫୫-୬୫ କିମି ବେଗରେ ପବନ ବହିପାରେ। ପବନ ଝଟକା ୭୫ କିମି ବେଗ ଛୁଇଁପାରେ। ରେଡ୍‌ ସ୍କାନରରେ ରହିଛି ପୂରା ଦକ୍ଷିଣ ଓଡ଼ିଶା। ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୧୫୦ରୁ ୨୦୦ ମିମି ବର୍ଷା ହୋଇପାରେ। ସେଥିପାଇଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ଅକସ୍ମାତ ବନ୍ୟା ଆସିବାର ସମ୍ଭାବନା ରହିଛି। ୨୩ ରାତି ଓ ୨୪ ତାରିଖ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଆଞ୍ଚଳିକ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଆସନ୍ତା ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ରହିବ ଦକ୍ଷିଣ ଓଡ଼ିଶାରେ। ଉପକୂଳ, ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳ ବି ଲଗାଣ ବର୍ଷାକୁ ସାମ୍ନା କରିବ। ଦକ୍ଷିଣ ଓଡ଼ିଶାରେ ପବନ ବେଗ ୫୫-୬୫ କିମି ରହିବ। ଝଟକାରେ ୭୫ କିମି ଛୁଇଁପାରେ। ବର୍ଷାକୁ ଦୃଷ୍ଟିରେ ରଖି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗିର, ନୟାଗଡ଼ ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ଓ ମାଲକାନଗିରିରେ ୨୫ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।

ସମ୍ଭାବ୍ୟ ଗତିପଥରୁ ଅନୁମାନ କରାଯାଉଛି, ସ୍ଥଳଭାଗ ଛୁଇଁବା ପରେ ଦିଗ ବଦଳାଇ ପାର୍ବତୀପୁରମ ନିକଟରେ ଘଷି ହୋଇ କୋରାପୁଟ ଆଡ଼କୁ ମୁହାଁଇବ। ୨୪ ତାରିଖ (ଗୁରୁବାର) ସନ୍ଧ୍ୟାବେଳକୁ ନାରାୟଣପାଟଣାରେ ଗଭୀର ଅବପାତ ଥିବା ଅନୁମାନ କରାଯାଉଛି । ବାତ୍ୟା ହେଉ କି ଗଭୀର ଅବପାତ—ଏବେ ସବୁଠାରୁ ବଡ଼ ଚିନ୍ତା ପବନ ନୁହେଁ, ବର୍ଷା।   ତେଣୁ ଆଗାମୀ ୪୮ ଘଣ୍ଟା ଓଡ଼ିଶା ପାଇଁ ସତର୍କ ରହିବାର ସମୟ। ପାଣିପାଗ ବିଭାଗର ପ୍ରତିଟି ଅପଡେଟ୍‌ ଉପରେ ନଜର ରଖିବା ସହ ସତର୍କ ରହିବା ହିଁ ଏବେ ସବୁଠାରୁ ବଡ଼ ସୁରକ୍ଷା।