ସମ୍ବଲପୁର ୦୩।୧୧ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସରକାରୀ ଅଧିକାରୀ। ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଜଣେ ଜମି ମାଲିକଙ୍କଠାରୁ ବାକି ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।

ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ଜମି ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପରେ ଅଧିଗ୍ରହଣ ହୋଇଥିଲା। ଏହି ବାବଦରେ ତାଙ୍କୁ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ମିଳିବାର ଥିଲା। ତେବେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ ମୋଟ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

​​​​​​​Also Read:-Salepur road accident : ମଙ୍ଗଳବାର ସକାଳୁ ସକାଳୁ ସାଲେପୁରରେ ସଡ଼କ ଦୁର୍ଘଟଣା, ଓଲଟିଲା ଭ୍ୟାନ୍

ଅଭିଯୋଗ ଅନୁସାରେ, ଗତ ୨୭ ତାରିଖରେ ଅଧିକାରୀ ଜଣକ ପୂର୍ବରୁ ୨ ଲକ୍ଷ ଟଙ୍କା ନେଇସାରିଥିଲେ। ବାକି ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବା ପାଇଁ ଜମି ମାଲିକଙ୍କ ଉପରେ ଚାପ ପକାଉଥିଲେ। ଏପରିକି ଟଙ୍କା ନଦେଲେ ଆଗାମୀ ତୃତୀୟ ରେଳପଥ ପ୍ରକଳ୍ପ ସମୟରେ ଜମି ଅଧିଗ୍ରହଣ କାର୍ଯ୍ୟରେ ବିଭିନ୍ନ ଅସୁବିଧା ସୃଷ୍ଟି କରିବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଏହି ଘଟଣାରେ ଅତିଷ୍ଠ ହୋଇ ଜମି ମାଲିକ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଜାଲ ବିଛାଇଥିଲା। ବାକି ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଜୟ କୁମାର ଗଡ଼ନାୟକଙ୍କୁ ଧରିଥିଲା ଭିଜିଲାନ୍ସ। ପରେ ତାଙ୍କୁ ଗିରଫ କରାଯାଇଛି।ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଜମି ଅଧିଗ୍ରହଣ କ୍ଷତିପୂରଣ ପ୍ରଦାନକୁ ନେଇ ଏହି ଘଟଣା ପୁଣି ଥରେ ପ୍ରଶ୍ନ ଉଠାଇଛି। ଏବେ ଏହି ମାମଲାରେ ଭିଜିଲାନ୍ସର ପରବର୍ତ୍ତୀ ତଦନ୍ତ ଉପରେ ନଜର ରହିଛି।