ରେଡ୍ କ୍ରସ୍ ପାଣ୍ଠିରେ ହେରଫେର ଅଭିଯୋଗ । ୮ ଲକ୍ଷ ୬୩ ହଜାର ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ କର୍ମଚାରୀ ହେଉଛନ୍ତି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ସଦାଶିବ ପ୍ରଧାନ । ସେ ବର୍ତ୍ତମାନ ସୁରଡ଼ା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ।

ସୂଚନା ଅନୁଯାୟୀ, ଡିସେମ୍ବର ୨୦୨୩ରୁ ଅଗଷ୍ଟ ୨୦୨୫ ମଧ୍ୟରେ ସଦାଶିବ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଜାରତ ବିଭାଗ ଦାୟିତ୍ୱରେ ଥିଲେ । ଏହି ସମୟରେ ରେଡ୍ କ୍ରସ୍ ପାଣ୍ଠି ପାଇଁ ମୋଟ ୮ ଲକ୍ଷ ୬୩ ହଜାର ଟଙ୍କା ସଂଗ୍ରହ କରାଯାଇଥିଲା । ତେବେ ନିୟମ ଅନୁଯାୟୀ ଏହି ଅର୍ଥକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଜମା କରିବାର ଥିଲା ।

Also Read:-ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ, ଆଜିଠୁ ଜଙ୍ଗଲ ଭିତରେ ବୁଲିବାର ମଜା ନେବେ ପର୍ଯ୍ୟଟକ

କିନ୍ତୁ ଉକ୍ତ ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟରେ ଜମା ନକରି ବ୍ୟକ୍ତିଗତ ଲାଭ ପାଇଁ ଆତ୍ମସାତ କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି । ଏହି ଅଭିଯୋଗରେ ଭିଜିଲାନ୍ସ ସଦାଶିବ ପ୍ରଧାନଙ୍କୁ ଗିରଫ କରିଛି । ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।