ନୂଆଦିଲ୍ଲୀ ୦୧।୧୧; ଜାପାନରେ ପୁଣି ଥରେ ଶକ୍ତିଶାଳୀ ଭୂକମ୍ପର ଝଟକା । ରବିବାର ଭୋର ପ୍ରାୟ ୩ଟା ୪୫ ମିନିଟ୍ ସମୟରେ ଜାପାନରେ ୬.୦ ତୀବ୍ରତାର ଝଟକା ଅନୁଭୂତ ହୋଇଛି । ଶିମାଠାରୁ ପ୍ରାୟ ୫୮ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଥିଲା ଏହାର କେନ୍ଦ୍ରସ୍ଥଳ । ତେବେ ଏପର୍ଯ୍ୟନ୍ତ ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏହା ପୂର୍ବରୁ ଅକ୍ଟୋବର ୨୫ ତାରିଖରେ ମଧ୍ୟ ଜାପାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଥିଲା । ବାରମ୍ବାର ଭୂମିକମ୍ପ ଯୋଗୁଁ ଜାପାନବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ, ଜାପାନ ଭୂକମ୍ପପ୍ରବଣ ଅଞ୍ଚଳ ଭାବେ ପରିଚିତ । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକାଧିକ ଟେକ୍ଟୋନିକ୍ ପ୍ଲେଟ୍ ମିଶୁଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ । ବିଶେଷକରି ପ୍ରଶାନ୍ତ ମହାସାଗରର ରିଙ୍ଗ୍ ଅଫ୍ ଫାୟାର୍ ଅଞ୍ଚଳରେ ଅବସ୍ଥିତ ଜାପାନରେ ଭୂକମ୍ପ ଏକ ସାଧାରଣ ଘଟଣା ।

ଭୂମିକମ୍ପର ତୀବ୍ରତା ମାପିବା ପାଇଁ ମ୍ୟାଗ୍ନିଚ୍ୟୁଡ୍ ସ୍କେଲ୍ ବ୍ୟବହାର କରାଯାଏ । ୭ କିମ୍ବା ତା'ଠାରୁ ଅଧିକ ତୀବ୍ରତାର ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇପାରେ । ସେହିପରି ୪.୫ କିମ୍ବା ତା'ଠାରୁ ଅଧିକ ତୀବ୍ରତାର ଭୂମିକମ୍ପରେ ମଧ୍ୟ କୋଠାବାଡ଼ି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥାଏ । ତେବେ ୨.୦ କିମ୍ବା ତା'ଠାରୁ କମ୍ ତୀବ୍ରତାର ଭୂକମ୍ପକୁ ଅତି ସୂକ୍ଷ୍ମ ଭୂକମ୍ପ କୁହାଯାଏ । ଜାପାନରେ ଲଗାତାର ଭୂକମ୍ପ ଘଟଣା ଚିନ୍ତା ବଢ଼ାଇଥିବା ବେଳେ କ୍ଷୟକ୍ଷତି ସମ୍ପର୍କିତ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।