ନୂଆଦିଲ୍ଲୀ, ୦୫/୧୧ : ଭୟଙ୍କର ଦୁର୍ଘଟଣା । ଜାତୀୟ ରାଜପଥରେ ଥିବା ଏକ ନଦୀରେ ଖସି ପଡିଲା ଦାମୀ ଗାଡି । ଗାଡିରେ ଥିବା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।ଏହାସହ ଅନ୍ୟ ୨ ନିଖୋଜ ରହିଛନ୍ତି ।

ସୂଚନାନୁସାରେ, ଗୁରୁବାର ସକାଳେ ଉତ୍ତରାଖଣ୍ଡର ଉତ୍ତରକାଶୀ ନିକଟବର୍ତ୍ତୀ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ମୃତକଙ୍କୁ ନଦୀରୁ ଉଦ୍ଧାର କରାଯାଇଛି । ଅନ୍ୟ ଦିଗରେ ଦୁଇ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

Also Read :- ଭୁଶୁଡି ପଡିଲା ଅର୍ଦ୍ଧ ନିର୍ମିତ ତିନି ମହଲା ବିଲ୍ଡିଂ, ୨ ମୃତ : ଭଗ୍ନାବଶେଷ ତଳେ ଫସିଛନ୍ତି ଅନେକ

କୁହାଯାଉଛି ଯେ, ଜାତୀୟ ରାଜପଥରେ ଏକ ଇନୋଭା କାର୍ ଗୁରୁବାର ସକାଳେ ଗଙ୍ଗନାନୀ ଧାରା କୁଣ୍ଡ ଅଭିମୁଖେ ଯାତ୍ରା କରୁଥିଲା । ଏଥିରେ ୭ ଜଣ ଯାତ୍ରୀ ରହିଥିଲେ । ତେବେ ଅନିୟନ୍ତ୍ରିତ ହୋଇ କାରଟି ଏକ ନଦୀକୁ ଖସି ପଡିଥିଲା । ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଁଚିଥିଲେ । ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ପୋଲିସର କହିବାନୁସାରେ, ଇନୋଭାରେ ଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ଗୁଜୁରାଟ ଅଞ୍ଚଳର । କାର୍ ଚାଳକ ଉତ୍ତରାଖଣ୍ଡର ଥିଲେ । ଉଦ୍ଧାରକାରୀ ଟିମ୍ ଏବେସୁଦ୍ଧା ୪ଟି ମୃତଦେହ ଉଦ୍ଧାର କରିଛନ୍ତି । ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି । ତେବେ ଦୁର୍ଘଟଣାର କାରଣ ବାବଦରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କାରଟି କେଉଁ କାରଣରୁ ଭାରସାମ୍ୟ ହରାଇଲା ତାହାର ତଦନ୍ତ ଚାଲିଥିବା ପୋଲିସ କହିଛି ।