କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସାନ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ମହାକାଳପଡ଼ା ପୋଲିସ l ଆଜି ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ପଶି ତାଙ୍କ ଭିଡିଓ ରେକର୍ଡ କରିବା, ବିଡିଓଙ୍କୁ ଦୁର୍ବ୍ୟବହାର କରିବା ଏବଂ ପୋଲିସକୁ ମାଡ ମାରିବା ଅଭିଯୋଗରେ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି l

ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଯାଇଥିବା ସରପଞ୍ଚ ଚାମେଲି ଓଝା ଓ ବିଡିଓଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏଥିରେ ଚାମେଲିଙ୍କୁ ଦୁର୍ବ୍ଯବହାର କରାଯିବା ଓ ମାଡ ମରାଯିବା ଅଭିଯୋଗ ହୋଇଛି l ଏଥିରେ ଅସୁସ୍ଥ ହୋଇ ଚାମେଲି ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି l ଚାମେଲିଙ୍କ ବିରୁଦ୍ଧରେ ମହାକାଳପଡା ବିଡିଓ ରବିନାରାୟଣ ଆଚାର୍ଯ୍ୟ ଥାନାରେ ଅଭିଯୋଗ କରିଛନ୍ତି l ତେବେ ଚାମେଲିଙ୍କୁ ରାଜନୈତିକ ଆକ୍ରୋଶ ରଖି ଅତ୍ୟାଚାର କରାଯାଉଥିବା ତାଙ୍କ ବାପା ନିରଂଜନ ଓଝା ଅଭିଯୋଗ କରିଛନ୍ତି l ଏହି ଘଟଣାରେ ଅଭିଯୋଗ ପାଇବା ପରେ ତଦନ୍ତ ହେବ ବୋଲି କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି l

Also Read: ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଲା ପୋଲିସ, ସୋସିଆଲ ମିଡିଆରେ ଲାଇଭ୍ କରି ନିଜେ ଜଣାଇଲେ

ଏହା ପୂର୍ବରୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଇଥିଲା ପୋଲିସ l ମହାକାଳପଡ଼ା ପୋଲିସ ତାଙ୍କୁ ନେବା ବଳେ ସୋସିଆଲ ମିଡିଆରେ ଲାଇଭ କରି ନିଜେ ଚାମେଲି ଏକଥା ଜଣାଇଥିଲେ l କେବଳ ଚାମେଲି ନୁହଁନ୍ତି ତାଙ୍କ ଭାଇଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିବା ଭିଡିଓ ସେ ସେୟାର କରିଥିଲେ l ଉଦ୍ଦେଶ୍ୟମୂଳକ ଭାବେ ପୋଲିସ ଏହା କରିଥିବା ଚାମେଲି ଅଭିଯୋଗ କରିଛନ୍ତି l