ଭୁବନେଶ୍ବର ୩୦।୭: ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟା ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କରିଛନ୍ତି l ରାଜସ୍ବ ମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ SRC ରାଜେଶ ପ୍ରଭାକର ପାଟିଲ୍ ମଧ୍ଯ ଉପସ୍ଥିତ ରହି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି l

ଗୁରୁବାର ପୂର୍ବାହ୍ନରେ ବନ୍ୟାଞ୍ଚଳ ଗସ୍ତ ପୂର୍ବରୁ ଲୋକସେବା ଭବନ ଠାରେ ବର୍ଷା ଏବଂ ବନ୍ୟା ପରିସ୍ଥିତି ସମ୍ପର୍କରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଦାୟିତ୍ଵରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ l ସମୀକ୍ଷା ପରେ ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ବନ୍ୟାରେ ୫ ଜିଲ୍ଲାର ୫ ଲକ୍ଷ ୮୭ ହଜାର ୮୨୨ ଲୋକ ପ୍ରଭାବିତ । ୧ ଲକ୍ଷ ୭୬ ହଜାର ୭୩ ଜଣ ଲୋକ ସ୍ଥାନାନ୍ତର । ୩ ଜଣଙ୍କର ମୃତ୍ୟୁ ନେଇ ସୂଚନା ଦେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ମହାନଦୀ ପାଇଁ କଟକ ଏବଂ ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଜ୍ୟରେ ବର୍ତ୍ତମାନ ବର୍ଷା କମିଛି । ନବରଙ୍ଗପୁର, କୋରାପୁଟ, ବଲାଙ୍ଗିର, କଳାହାଣ୍ଡିରେ ଝିପି ଝିପି ବର୍ଷା ହେଉଛି । ଆଗାମୀ ୩ ଦିନ ବର୍ଷା ନାହିଁ । ୨ ତାରିଖ ପରେ ପୁନର୍ବାର ବର୍ଷା ଆକଳନ କରାଯାଉଛି । ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ନହେବା ଆଶ୍ୱସ୍ତିକର ଖବର ।

Also Read:- କଟକରେ ବନ୍ୟା ମୁକାବିଲା : ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ; ODRAF, NDRF ଓ ଅଗ୍ନିଶମ ଟିମ୍ ମୁତୟନ

ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୬୨୦ ଫୁଟ ରହିଛି । ୨ଟି ଗେଟ୍ ଖୋଲା ଅଛି । ମୁଣ୍ଡଳୀରେ ସାଢ଼େ ୬ ଲକ୍ଷ କ୍ୟୁସେକ ଜଳ ପହଞ୍ଚୁଥିଲା । ରାତି ସୁଦ୍ଧା ନରାଜରେ ୯ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ । କଟକର ବଡ଼ମ୍ବା, ଆଠଗଡ ତଳିଆ ଅଞ୍ଚଳରେରେ ଜଳ ପହଞ୍ଚିଲାଣି । ସେଣ୍ଟ୍ରାଲ ୱାଟର କମିଶନ ନିକଟରୁ ରିପୋର୍ଟ ଅନୁସାରେ ମଣ୍ଡଳୀରେ ଜଳସ୍ତର ଓ୍ବାର୍ଣ୍ଣିଂ ଲେଭଲ ଉପରେ ଅଛି କିନ୍ତୁ ବିପଦ ସଙ୍କେତ ଟପିନି । ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମିବା ଆରମ୍ଭ କଲାଣି । ୫ ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ ।

ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କିଛି ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ମୋଟ୍ ୧ ଲକ୍ଷ ୬୫ ହଜାର ଲୋକ ରିଲିଫ୍ ସେଣ୍ଟରରେ ରହିଛନ୍ତି । ନରାଜରେ ୧୦ ଲକ୍ଷ କ୍ୟୁସେକ ଜଳ ଆସିଲେ ସମସ୍ୟା ଉପୁଜିପାରେ । ତେଣୁ ନରାଜରେ କିଭଳି ୧୦ ଲକ୍ଷ କ୍ୟୁସେକ ଜଳ ଭିତରେ ରଖାଯାଇ ପାରିବ ସେହି ଅନୁସାରେ ପରିଚାଳନା ପାଇଁ ନିର୍ଦ୍ଦେଶ ରହିଛି । ବର୍ତ୍ତମାନ ହୀରାକୁଦରେ ୬୨୦ ଫୁଟ ଜଳସ୍ତର ରହିଛି । ୬୨୨ ଫୁଟ ପର୍ଯ୍ୟନ୍ତ ରଖାଯାଇ ପାରିବ । ଉପରମୁଣ୍ଡରେ ବର୍ଷା ନଥିବାରୁ ସେଭଳି କିଛି ସମସ୍ୟା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।