ଭୁବନେଶ୍ୱର: ବଙ୍ଗୋପସାଗରେ ସକ୍ରିୟ ହୋଇଛି ଲଘୁଚାପ। ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ସଂଲଗ୍ନ ଘୂର୍ଣ୍ଣବଳୟ ସମୁଦ୍ର ପତ୍ତନରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହାସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସିଛି ଗୁରୁତ୍ୱପୂର୍ଣ୍ଣ ସୂଚନା।

IMD ର ଆକଳନ ଅନୁସାରେ ଏହି ଲଘୁଚାପ କ୍ଷେତ୍ର ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ପ୍ରଦେଶ ଦେଇ ଉତ୍ତର-ପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରୁ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି IMD ଭୁବନେଶ୍ୱର ନିର୍ଦେଶିକା ମନୋରମା ମହାନ୍ତି।

16.07.2026ସକାଳ8.30ପର୍ଯ୍ୟନ୍ତ:

- ଲାଲ୍ ଚେତାବନୀ: ପୁରୀ ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

- କମଳା ଚେତାବନୀ: ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା।

- ହଳଦିଆ ଚେତାବନୀ: ବାଲେଶ୍ୱର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ରାୟଗଡା ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା।

ଜୁଲାଇ ୧୬ରୁ ଜୁଲାଇ ୧୭-

-କମଳା ଚେତାବନୀ: ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ପୁରୀରେ ୧୪ ସେମି, କେନ୍ଦ୍ରାପଡାରେ ୧୩ ସେମି ରେକର୍ଡ ହୋଇଛି ।

୧୫ରୁ ୧୭ ଜୁଲାଇ 2026 ପର୍ଯ୍ୟନ୍ତ ଓଡିଶା ଉପକୂଳ ସମୁଦ୍ର ଏବଂ ଏହାର ଆଖପାଖ ଅଞ୍ଚଳ ଅଶାନ୍ତରୁ ଅତି ଅଶାନ୍ତ ରହିବାର ସମ୍ଭାବନା ଅଧିକ ରହିଛି। ମତ୍ସ୍ୟଜୀବୀମାନଙ୍କୁ ୧୫ ରୁ ୧୭ ଜୁଲାଇ ପର୍ଯ୍ୟନ୍ତ ଓଡିଶା ଉପକୂଳ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଓଡିଶାର ସମସ୍ତ ବନ୍ଦରେ ୩ ନମ୍ବର ବିପଦ ସଂକେତ ସ୍ଥାନୀୟ ସତର୍କତା ସଙ୍କେତ LC-3 ଜାରି କରିବା ପାଇଁ ପରାମର୍ଶ ଦିଆଯାଇଛି।

ଏହାର ପ୍ରଭାବରେ ତଳିଆ ଅଞ୍ଚଳରେ ବନ୍ୟା ଏବଂ ପାଣି ଜମିବା ଭଳି ସ୍ଥିତି ଉପୁଜିବ। ସହରାଞ୍ଚଳରେ ଅଣ୍ଡରପାସ ବନ୍ଦ ହେବ। ରାସ୍ତାରେ ପାଣି ଜମିବା ଯୋଗୁଁ ଯାତାୟାତରେ ବାଧା ଉପୁଜିପାରେ। କଚ୍ଚା ରାସ୍ତାର କ୍ଷତି ହୋଇପାରେ। ଭୂସ୍ଖଳନ ହୋଇପାରେ। କିଛି ନଦୀରେ ବନ୍ୟା ସ୍ଥିତି ଉପୁଜିପାରେ।