ଭୁବନେଶ୍ୱର ୧୦।୧୧ : ଜେଲରୁ ଆଗୁଆ ମୁକୁଳିବେ ବୟସ୍କ ଓ ଗୁରୁତର ରୋଗରେ ପୀଡ଼ିତ କଏଦୀ । ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏବଂ ଗୁରୁତର ରୋଗରେ ଆକ୍ରାନ୍ତ କଏଦୀଙ୍କ ଆଗୁଆ ମୁକ୍ତି ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ପ୍ରଚଳିତ ନିୟମରେ ପରିବର୍ତ୍ତନ ସହ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ।

ବର୍ତ୍ତମାନ ରାଜ୍ୟରେ ୨୦୨୨ ମସିହାର ଆଗୁଆ ମୁକ୍ତି ମାର୍ଗଦର୍ଶିକା ଅନୁଯାୟୀ କଏଦୀଙ୍କ ମୁକ୍ତି ପ୍ରକ୍ରିୟା ଚାଲୁଛି। ତେବେ ଏହି ମାର୍ଗଦର୍ଶିକାର ସମୀକ୍ଷା କରିବା ସହ ଆବଶ୍ୟକ ସଂଶୋଧନ ଏବଂ ନୂଆ ନୀତି ପ୍ରସ୍ତୁତି ପାଇଁ ଗୃହ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ରହିବେ ଗୃହ ବିଭାଗର ସଚିବ କିମ୍ବା ତାଙ୍କ ପ୍ରତିନିଧି। ସଦସ୍ୟ ଭାବେ ଆଇନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସାମାଜିକ ସଶକ୍ତିକରଣ ବିଭାଗ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ରହିବେ। ଏହାସହ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ମଧ୍ୟ କମିଟିରେ ସଦସ୍ୟ ରହିବେ। ଜେଲ ବିଭାଗର ଅତିରିକ୍ତ ଡିଜି କମିଟିର ଆବାହକ ଭାବେ ଦାୟିତ୍ୱ ତୁଲାଇବେ।

Also Read:-ହାର୍ ମାନିଲେ ଟ୍ରମ୍ପ୍ : କହିଲେ ଇରାନ ସହ ସରିଛି ଯୁଦ୍ଧ, ଆଉ ଆକ୍ରମଣ କରିବୁନି !

କଏଦୀଙ୍କ ବୟସ, ସ୍ୱାସ୍ଥ୍ୟାବସ୍ଥା ଏବଂ ଜୀବନର ଶେଷ ପର୍ଯ୍ୟାୟ ଭଳି ମାନବୀୟ ଦିଗକୁ ବିଚାରକୁ ନେଇ ନୂଆ ନୀତି ପ୍ରସ୍ତୁତି ଉପରେ କମିଟି ଗୁରୁତ୍ୱ ଦେବ। ଏହାଦ୍ୱାରା ଯୋଗ୍ୟ କଏଦୀଙ୍କ ଆଗୁଆ ମୁକ୍ତି ପ୍ରକ୍ରିୟା ଅଧିକ ସରଳ ଓ ସୁବ୍ୟବସ୍ଥିତ ହୋଇପାରିବ ବୋଲି ଆଶା କରାଯାଉଛି। ଆସନ୍ତା ଡିସେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା କମିଟି ନିଜର ସୁପାରିସ ଦାଖଲ କରିବାକୁ ଲକ୍ଷ୍ୟ ରଖାଯାଇଛି। କମିଟିର ସୁପାରିସ ପରେ ନୂଆ ନୀତିକୁ ନେଇ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ।