ଭୁବନେଶ୍ଵର: ଓଡ଼ିଶାରେ ଆଉ ରହିବ ନାହିଁ ଆଳୁ ସମସ୍ୟା। ଏ ନେଇ ଗତକାଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ତାଙ୍କ ପଶ୍ଚିମବଙ୍ଗ ପ୍ରତିପକ୍ଷ ଅଶୋକ କିର୍ତ୍ତନିଆଙ୍କ ମଧ୍ୟରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କୋଲକାତାର ଖାଦ୍ୟ ଭବନରେ ବସିଥିବା ଏହି ବୈଠକରେ ଓଡ଼ିଶାରେ କିପରି ଆଳୁ ସମସ୍ୟା ହେବ ନାହିଁ ତା ଉପରେ ଆଲୋଚନା ହହୋଇଥିଲା। ଏପଟେ ଆଳୁ ସମସ୍ୟାର ସମାଧାନ ହୋଇଥିବା ବେଳେ ପିଆଜ ଦର କନ୍ଦାଇବା ଆରମ୍ଭ କରିଦେଲାଣି।

ଆଉ ଅଟକିବନି ପଶ୍ଚିମବଙ୍ଗ ଆଳୁ ଟ୍ରକ । ରାଜ୍ୟରେ ଦେଖା ଦେବ ନାହିଁ ଆଳୁ ସଙ୍କଟ । ଦୁଇ ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କ ମଧ୍ୟରେ ହେଲା ବଡ ବୈଠକ ଏବଂ ନିଆଗଲା ଠୋସ୍ ନିଷ୍ପତ୍ତି । ଓଡ଼ିଶା ଆଳୁ ପାଇଁ ସବୁବେଳେ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଆସିଛି । ମମତା ବାନାର୍ଜିଙ୍କ ସରକାର ଥିବାବେଳେ ଅନେକ ସମୟରେ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ ହୋଇଯାଉଥିଲା । ଫଳରେ ଏଠାର ଆଳୁ ସଙ୍କଟ ଦେଖା ଦେବା ସହ ଦର ବୃଦ୍ଧି ହେଉଥିଲା । ହେଲେ ସେଠାରେ ବିଜେପି ସରକାର ଆସିବା ପରେ ଦୁଇ ରାଜ୍ୟର ସମ୍ପର୍କରେ ପରିବର୍ତ୍ତନ ଆସିଛି ।

Also Read: ହଠାତ୍ ବଢ଼ିଲା ପିଆଜ ରେଟ୍, ଦୁଇ ଦିନରେ ୩୦ରୁ ୫୦ ଟଙ୍କାରେ ପହଞ୍ଚିଲା

ଗତକାଲି କୋଲକାତାର ଖାଦ୍ୟ ଭବନରେ ଦୁଇ ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କ ଭିତରେ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଛି । ବୈଠକରେ ବିଶେଷ କରି ଓଡ଼ିଶାକୁ ଆଳୁ ରପ୍ତାନୀ ଉପରେ ଫୋକସ କରାଯାଇଥିଲା । ଏମିତି କି ବୈଠକରେ ରାଜ୍ୟକୁ ୧୨ ମାସିଆ ଆଳୁ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି । ଫଳରେ ରାଜ୍ୟ ତରଫରୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପଶ୍ଚିମବଙ୍ଗ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ସରକାର ଆଳୁ ସମସ୍ୟାର ସମାଧାନ କରିଥିବା ବେଳେ କନ୍ଦାଇବା ଆରମ୍ଭ କରିଛି ପିଆଜ ଦର । ଅଚାନକ ଭାବେ ଦର ହାଫ ସେନଚୁରି ମାରିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି। ବର୍ତ୍ତମାନ ସାରା ଦେଶରେ ବର୍ଷା ପାଇଁ ପିଆଜ ସଂକଟ ଦେଖା ଯାଇଥିବା କୁହାଯାଉଛି । କିଛି ଦିନ ତଳେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ନାସିକର ପିଆଜ ଚାଷୀ ଆନ୍ଦୋଳନ କରିଥିଲେ। ଏଥିସହିତ ପିଆଜର ଏମଏସପି ବୃଦ୍ଧି ପାଇଥିଲା। ପିଆଜ ଅମଳ ସମୟ ହୋଇଥିବା ବେଳେ ଏବେ ପୁରୁଣା ପିଆଜ ଯୋଗାଣ କମ ହେଉଛି। ସେହିପରି ପରିବହନ ଖର୍ଚ୍ଚ ବୃଦ୍ଧି ମଧ୍ୟ ଏହାକୁ ପ୍ରଭାବିତ କରିଛି।

ଆଳୁ ପିଆଜ ଦର ସବୁ ବେଳେ ରାଜନୀତିକୁ ପ୍ରଭାବିତ କରିଆସିଛି। ତେବେ ଆଳୁ ଦର ବୃଦ୍ଧି ହେବା ପୂର୍ବରୁ ରାଜ୍ୟ ସରକରା ଏହାକୁ ସମାଧାନ କରିଛନ୍ତି। ତେବେ ପିଆଜଚ ଦର ଏବେ ଚିନ୍ତାର କାରଣ ହେଲାଣି।