ଭୁବନେଶ୍ବର ୯।୭: ହଠାତ୍ ଗ୍ରାହକଙ୍କୁ କନ୍ଦାଇଛି ପିଆଜ । ଦୁଇ ଦିନ ଭିତରେ ଦର ୩୦ ରୁ ୫୦ ଟଙ୍କାରେ ପହଞ୍ଚି ଯାଇଛି । ଫଳରେ ଖାଉଟି ପଡ଼ିଛି ଚିନ୍ତାରେ । ପିଆଜ ସାଧାରଣ ଭାବେ ସବୁଦିନ ରୋଷେଇ ଘରେ ଆବଶ୍ୟକତା ରହିଛି । ତେଣୁ ହଠାତ୍ ପିଆଜ ରେଟ୍ ବଢିଯିବା ଯୋଗୁଁ ୧ କିଲୋ ଜାଗାରେ ଗ୍ରାହକ ଅଧା କିଲୋ କିଣିବାକୁ ବାଧ୍ୟ ହେଲାଣି ।

ଗ୍ରାହକ କହିଛନ୍ତି ସବୁ ନିତ୍ୟ ବ୍ୟବହାର ଜିନିଷର ଦାମ ବଢ଼ିଛି । ଆଉ ଏବେ ପିଆଜ ଦର ବଢିଥିବାରୁ ଏହା ଖୁବ୍ ବାଧୁଛି । ସେପଟେ ବ୍ୟବସାୟୀଙ୍କ କହିବା କଥା ପିଆଜ ବିକ୍ରିରୁ ଦୋକାନୀର ବିଶେଷ ଲାଭ ନାହିଁ । ବେପାରୀ କିଲୋ ପିଛା ୩୩ ଟଙ୍କାରେ କିଣୁଛି । ପରିବହନ ବାବଦକୁ ୫ ଟଙ୍କା ଓ ବସ୍ତାରେ ଆସୁଥିବା ପିଆଜ ଅଧେ ପଚା ପଡୁଥିବା ଯୋଗୁ ସେହି ପିଆଜକୁ ବଛା ବାବଦକୁ ୧ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଦୋକାନୀ କିଲୋ ପିଛା ୪୦ ଟଙ୍କାରେ ବିକିଲେ ୧ ଟଙ୍କା ଲାଭ ପାଉଛି ।ତେବେ ପିଆଜ ଦାମ୍ ହଠାତ୍ ଏମିତି ବଢିବାର କାରଣ କ’ଣ ? ବ୍ୟବସାୟୀଙ୍କ କହିବା କଥା ଏହି ସମୟରେ ପିଆଜ ଦାମ୍ ଟିକେ ଉଚ୍ଚା ରୁହେ । ନୂଆ ପିଆଜ ଆସିବାକୁ ଆହୁରି ସମୟ ଅଛି । ଏବେ ଯେଉଁ ପିଆଜ ଆସୁଛି ତାହା କୋଲ୍ଡ ଷ୍ଟୋରେଜ୍ରେ ଥିବା ପିଆଜ । ଏଥିସହ ଯୁଦ୍ଧ ପାଇଁ ତେଲ ଦର ବଢିଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ବଢିଛି । ତେଣୁ ଦାମ୍ ଅଧିକ ରହିବ ଓ ଆଗକୁ ଆହୁରି ବଢିବାର ସମ୍ଭାବନ ରହିଛି ।

Also Read:- ହୀରାକୁଦର ୧୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ, ପ୍ରଥମ ପର୍ଯ୍ୟାୟରେ ୪ ଓ ଦ୍ବିତୀୟ ପର୍ଯ୍ୟାୟରେ ୬ ଗେଟ୍ ଖୋଲିଲା

ସେପଟେ ପାତ୍ରପଡ଼ା କୁବେରୀ ପୁରୀ ମହାସଂଘ ସଭାପତି କହିଛନ୍ତି ଏବେ ପିଆଜ ଅମଳ ହୋଇନାହିଁ । ଅଦିନିଆ ବର୍ଷା ଯୋଗୁଁ ନାସିକ ଓ ଇନ୍ଦୋରରେ ପିଆଜି ଫସଲ ୨୦ ପ୍ରତିଶତ ନଷ୍ଟ ହେଇଛି । ଗୁଜରାଟ ଅହମ୍ମଦନଗରରେ ପିଆଜ ଅଛି । ସେଠାରେ ଏହା ହୋଲସେଲରେ ୨୨ଟଙ୍କାରୁ ୨୮ ଟଙ୍କା ପର୍ଯ୍ୟନ୍ତ ରହିଛି । ଆମର ଏଠି ହୋଲସେଲରେ ୩୦ରୁ ୩୨ଟଙ୍କା ବିକ୍ରି ହେଉଛି । ତେବେ ଦର ୫୦ଟଙ୍କା କାହିଁକି ହେଲା ସେ ଜାଣିନାହାନ୍ତି । ଖୋଲା ବଜାର ନିୟନ୍ତ୍ରଣ କରିବା ଦାୟିତ୍ବ ସରକାରଙ୍କର ।