ଭୁବନେଶ୍ଵର: ବିଜେଡିରେ ଏବେ ଚାଲିଛି ସସପେଣ୍ଡ ପର୍ବ । ଜଣେ ପରେ ଜଣେ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟପାଇଁ ଦଳରୁ ନିଲମ୍ବିତ କରାଯାଉଛି । ଗତକାଲି ଭଦ୍ରକ ରାଜନୀତିରେ ପ୍ରଭାବୀ ଥିବା ମଣ୍ଡଳ ଦମ୍ପତ୍ତିଙ୍କୁ ସସପେଣ୍ଡ କରିଛି ଦଳ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବଡ ହଟଚମଟ ଦେଖା ଦେଇଛି । କୁହାଯାଉଛି ମଣ୍ଡଳ ଦମ୍ପତ୍ତି ଖୁବ ଶୀଘ୍ର ବିଜେପି ଯାଇପାରନ୍ତି । ଏହାରି ଭିତରେ ବିଜେଡିରୁ ଅନେକ ନେତା ଏବେ ବିଜେପି ମୁହାଁ ହେଉଥିବା ବେଳେ ବିଜେପିର ବଳ ବଢୁଛି । ହେଲେ ଅଧିକ ମାତ୍ରାରେ ବିଜେଡିନେତା ବିଜେପିକୁ ଯାଉଥିବା ବେଳେ ଆଗାମୀ ଦିନରେ ଦଳ ଅଡୁଆରେ ପଡିପାରେ ବୋଲି ଆଂଶକା କରାଯାଉଛି । ସେପଟେ ବିଜେଡି କେତେ ନେତାଙ୍କୁ ଏମିତି ଦଳରୁ ସସପେଣ୍ଡ କରିବ ଏବଂ ଏହାଦ୍ବାରା ଦଳ ଦୁର୍ବଳ ହେବ କି ନା ତାକୁ ନେଇ ବି ଯୋର ଧରିଛି ଚର୍ଚ୍ଚା ।

ବିଜେଡ଼ିରେ ଲମ୍ବି ଚାଲିଛି ସସପେଣ୍ଡ ତାଲିକା । ଏଥିରୁ ବାଦ ପଡୁ ନାହାନ୍ତି ବିଧାୟକ, ପୂର୍ବତନ ବିଧାସକ, ସାଂସଦ କି ବରିଷ୍ଠ ନେତା । ବରିଷ୍ଠ, କନିଷ୍ଠ, ଯୁବ, ଛାତ୍ର ସବୁ ସଂଗଠନରେ ବିଜେଡି ଚଲାଇଛି ସସପେଣ୍ଡ ପର୍ବ । ଏହାରି ଭିତରେ ଗତକାଲି ବିଜେଡି ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦଳ ସସପେଣ୍ଡ କରିଛି । ଦଳ ବିରୋଧି କାମ ପାଇଁ ତାଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି । ଏମିତି କି ସେ ଖୁବ ଶିଘ୍ର ବିଜେପିରେ ମିଶିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Also Read: ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ ; ମିଶନ ଉତ୍ତର ଓଡ଼ିଶା ନୁହେଁ ବରଂ ପୁରା ଓଡ଼ିଶା...

ଏପଟେ ବିଜେଡି ବର୍ତ୍ତମାନ ଯେମିତି ଦଳ ବିରୋଧି କାର୍ଯ୍ୟକ୍ରମ ନାଁ ରେ ଜଣେପରେ ଜଣେ ନେତାଙ୍କୁ ସସପେଣ୍ଡ କରିବାରେ ଲାଗିଛି, ଆଗାମୀ ଦିନରେ ଦଳ ପାଇଁ ଏହା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି । ବିଜେଡି କହିଛି, ଦଳରୁ ଯିଏ ଗଲେ ମଧ୍ୟ କିଛି ଫରକ ପଡିବ ନାହିଁ । ଅଳିଆ ସଫା ହେଲେ ଦଳ ଅଧିକ ମଜଭୁତ ହେବ । ସେପଟେ ବିଶେଷଜ୍ଞଙ୍କ ମତ, ପଂଚାୟତ ନିର୍ବାଚନ ଯେତିକି ପାଖେଇବ ଏହି ସସପେଣ୍ଡ ପର୍ବ ସେତିକି ବଢିବ । ଏହାଦ୍ବାରା ଦଳ ଦୁର୍ବଳ ହେବା ସମ୍ଭାବନା ବି ରହିଛି ।

ଗୋଟିଏ ପଟେ ବିଜେଡି ଯେତିକି ଛିଣ୍ଡୁଛି ଅନ୍ୟପଟେ ବିଜେପି ସେତିକି ବଢୁଛି । କାରଣ ବିଜେଡି ଛାଡି ନେତାମାନେ ବିଜେପି ମୁହାଁ ହେଉଛନ୍ତି। ହେଲେ ଆଗାମୀ ଦିନରେ ଏହା ବିଜେପି ପାଇଁ ବି ଘାତକ ହୋଇପାରେ । କାରଣ ଗୋଟିଏ ଦଳରୁ ଅନ୍ୟ ଦଳକୁ ନେତା ଆସିଲେ ପଦ ପଦବୀ ପାଇଁ ଡିଲ କରି ଆସିଥାନ୍ତି । ଏହି କ୍ରମରେ ବିଜେପିକୁ ଆସୁଥିବା ନେତା ଯଦି ପଦ ପଦବୀ ମାଡି ବସିବେ ତାହାଲେ ଦୀର୍ଘ ଦିନ ଧରି ଦଳ ପାଇଁ କାମ କରୁଥିବା ନେତାଙ୍କ ଭିତରେ ଅସନ୍ତୋଷ ବଢିପାରେ ।

Also Read: ବୈଠକ ପରେ ମୁହଁ ଖୋଲିଲେ ନେତା, କହିଲେ ନିଷ୍ପତ୍ତି ଅତି ଉତ୍ତମ

ବିଜେପି ସଭାପତି ମନ ମୋହନ ସାମଲ କହିଛନ୍ତି, ଆମ ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି । ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ଆସିପାରିବେ । ବିଶେଷଜ୍ଞ କହିଛନ୍ତି, ବିଜେପିକୁ ସରକାରକୁ ଆଣିବା ପାଇଁ ଅନେକ ନେତା ଦିନ ରାତି ଏକ କରି ପରିଶ୍ରମ କରିଥିଲେ । ନୂଆ ନେତାଙ୍କ ପାଇଁ ଯଦି ଦଳ ତାଙ୍କୁ ଅଣଦେଖା କରେ ଦଳ ପାଇଁ ଏହା ଅଡୁଆ ସ୍ଥିତି ଉପୁଜାଇ ପାରେ।

ରାଜନୀତିରେ କେହି କାହାର ଚିର ଶତ୍ରୁ କିମ୍ୱା ମିତ୍ର ନ ଥାନ୍ତି। ଏମିତି କି ନେତା ଓ କର୍ମୀମାନେ ଅନେକ ସମୟରେ କ୍ଷମତା ସହ ରହିବାକୁ ପସନ୍ଦ କରିଥାନ୍ତି। ତେବେ ବିଜେଡି ତାଙ୍କ ଦଳର କେତେ ନେତାଙ୍କୁ ନିଜ ପାଖରେ ରଖି ପାରୁଛି ଏବଂ ବିଜେଡି ଛାଡୁଥିବା କେତେ ଜଣଙ୍କୁ ବିଜେପି ନେଇ ପାରୁଛି ତାହା ଦେଖିବା କଥା।