ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ମଙ୍ଗଳବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି ।

ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ନିଜ ନିଜ ମତାମତ ଓ ପରାମର୍ଶ ରଖିଥିଲେ । ବୈଠକରେ ଆଗାମୀ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଏହି ସର୍ଭେ ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ ଓ ତ୍ରୁଟିଶୂନ୍ୟ କରିବା ସହ ଯୋଗ୍ୟ ଭୋଟରମାନଙ୍କ ନାମ ତାଲିକାରେ ସଠିକ ଭାବେ ସ୍ଥାନ ପାଇବା ଏବଂ ଅଯୋଗ୍ୟ, ସ୍ଥାନାନ୍ତରିତ କିମ୍ବା ମୃତ ଭୋଟରଙ୍କ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯିବ ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜନୈତିକ ଦଳକୁ ଏହି ଘରକୁ ଘର ସର୍ଭେ ପ୍ରକ୍ରିୟାରେ ସକ୍ରିୟ ଭାବେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ପ୍ରତ୍ୟେକ ରାଜନୈତିକ ଦଳ ନିଜର ବୁଥସ୍ତରୀୟ ଏଜେଣ୍ଟମାନଙ୍କୁ ନିୟୋଜିତ କରିବା ସହ ସର୍ଭେ ସମୟରେ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଆୟୋଗ ପକ୍ଷରୁ ଅନୁରୋଧ କରାଯାଇଛି । ସମସ୍ତ ରାଜନୈତିକ ଦଳମାନଙ୍କୁ ଅକ୍ଟୋବର ୧୫ ତାରିଖ ସୁଦ୍ଧା BLAଙ୍କ ତଥ୍ୟ ଏଇଆରଓ ତଥା ଗ୍ରାମାଞ୍ଚଳ ପାଇଁ ବିଡିଓଙ୍କ ପାଖରେ ସହରାଞ୍ଚଳ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମହାନଗର ନିଗମ ପାଇଁ ଡେପୁଟି କମିଶନର /ଆସିଷ୍ଟାଣ୍ଟ କମିଶନରଙ୍କ ପାଖରେ ଦାଖଲ କରିବା ପାଇଁ ଅନୁରୋଧ କରାଯାଇଛି ।