ଭୁବନେଶ୍ଵର: ବିକାଶ ପାଇଁ ଜଙ୍ଗଲ ଜମିକୁ ବଳି ପକାଯାଉଛି । ଗଲା ୫ ବର୍ଷରେ ୧୨ ହଜାର ୭୯୪ ହେକ୍ଟରରୁ ଅଧିକ ଜଙ୍ଗଲ ପଦା ହୋଇଛି । ଜଙ୍ଗଲ ନଷ୍ଟ ବଦଳରେ ମୋଟ ୨୩ ହଜାର ୩୯୨ ହେକ୍ଟର ଅଣଜଙ୍ଗଲ ଜମିରେ ସର୍ତ୍ତମୂଳକ କ୍ଷତିପୂରଣ ବନୀକରଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ । କିନ୍ତୁ ଏହି ଟାର୍ଗେଟର ଅଧା ବି ଛୁଇଁ ପାରିଲେନି । ବୃକ୍ଷରୋପଣରେ ଢ଼େର୍ ପଛଘୁଞ୍ଚା ଦେଉଛନ୍ତି । ମାତ୍ର ୧୦ ହଜାର ୧୫୫ ହେକ୍ଟର ଜମିରେ ବୃକ୍ଷରୋପଣ ସମ୍ଭବ ହୋଇଛି । ଖୋଦ୍ ରାଜ୍ୟ ସରକାର ଏହି ତଥ୍ୟ ଦେଇଛନ୍ତି ।

ରାଜ୍ୟରେ ଶିଳ୍ପ ସଂସ୍ଥା ପ୍ରତିଷ୍ଠା, ଖଣି ଖନନ, ସଡ଼କ ନିର୍ମାଣ ସହ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ବିକାଶମୂଳକ କାର୍ଯ୍ୟ ପାଇଁ ଏସବୁ ଜଙ୍ଗଲ ଜମିକୁ ବଳି ପକାଯାଇଛି । ସେଥିରୁ କେନ୍ଦୁଝର ବନଖଣ୍ଡରେ ସର୍ବାଧିକ ୩,୭୯୫ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଛି । ଏହା ପଛକୁ ନୟାଗଡ଼ରେ ୧,୮୩୪ ହେକ୍ଟର, ଅନୁଗୋଳରେ ୧,୨୫୬ ହେକ୍ଟର, କୋରାପୁଟ ସର୍କଲରେ ୮୭୦ ହେକ୍ଟର, ବଣାଇରେ ୬୯୩ ହେକ୍ଟର ଏବଂ ଝାରସୁଗୁଡ଼ା ଜଙ୍ଗଲ ବିଭାଗ ୬୯୪ ହେକ୍ଟର ଜଙ୍ଗଲ ଜମିକୁ ପଦା କରାଯାଇଛି ।

କ୍ଷତିପୂରଣମୂଳକ ବୃକ୍ଷରୋପଣ ପାଇଁ ଗତ ୫ ବର୍ଷରେ ମୋଟ ୨୩ ହଜାର ୩୯୨ ହେକ୍ଟର ଜମି ଚିହ୍ନଟ ହୋଇଥିଲା। ସେଥିରୁ ୧୫ ହଜାର ୩୬୦ ହେକ୍ଟର ଜଙ୍ଗଲ ଜମି ଏବଂ ୮,୦୩୧ ହେକ୍ଟର ଅଣ-ଜଙ୍ଗଲ ଜମିରେ ବୃକ୍ଷରୋପଣ ହୋଇଥାନ୍ତା । ପୁଣି ପରିବେଶକୁ ସଞ୍ଜୀବନୀ ମିଳିଥାନ୍ତା । କିନ୍ତୁ ବୃକ୍ଷରୋପଣ ପାଇଁ ସରକାରଙ୍କ ଉଦାସୀନତା ଜଳଜଳ ହୋଇ ଦିଶୁଛି । ଏଯାବତ୍ ପ୍ରାୟ ୧୩ ହଜାର ୨୩୫ ହେକ୍ଟର ଜମିରେ ବୃକ୍ଷରୋପଣ ହୋଇପାରିଲାନି । ୭ହଜାର ୫୨୭ ହେକ୍ଟର ଜଙ୍ଗଲ ଜମି ଓ ୨ ହଜାର ୬୨୭ ହେକ୍ଟର ଅଣ-ଜଙ୍ଗଲ ଜମିରେ ବୃକ୍ଷରୋପଣ କରାଯାଇଛି ।