ନୂଆଦିଲ୍ଲୀ: ଆମେରିକା ଜାଣିଶୁଣି ଏକ ଏକାକୀ ଶକ୍ତି ହୋଇ ରହୁଛି। ୱାଶିଂଟନର ରଣନୈତିକ ସ୍ଥିତିରେ ଆମୂଳଚୂଳ ପରିବର୍ତ୍ତନ ଏବଂ ଚୀନ ଅଭ୍ୟୁଦୟ ବିଶ୍ୱ ପରିସ୍ଥିତିକୁ ନୂଆ ରୂପ ଦେଉଛି ବୋଲି କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।

୬୨ତମ ମ୍ୟୁନିଖ୍ ସିକ୍ୟୁରିଟି କନଫରେନ୍ସରେ ଯୋଗଦେଇ ଜୟଶଙ୍କରଙ୍କ କହିଛନ୍ତି ବିଶ୍ୱ ବ୍ୟବସ୍ଥାର ମୁଖ୍ୟ ବିଶେଷତ୍ତ୍ୱ ହେଉଛି ଆମେରିକାର ନୀତିରେ ମୌଳିକ ପରିବର୍ତ୍ତନ। ଏହା ଆମେରିକାର ନିଜସ୍ୱ ପସନ୍ଦ ବୋଲି ସେ କହିଛନ୍ତି। ଏହା ସହିତ ଆମେରିକା-ଚୀନ୍ ମଧ୍ୟରେ ବଢୁଥିବା ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ ରାଜନୀତିକୁ ଗଭୀର ଭାବେ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି।

ସେହିପରି ଚୀନର ଉତ୍ଥାନକୁ ବିଶ୍ୱ ବ୍ୟବସ୍ଥାର ଦ୍ୱିତୀୟ ବଡ଼ ପରିବର୍ତ୍ତନ ବୋଲି କହିଛନ୍ତି ଜୟଶଙ୍କର। ଚୀନର ଅର୍ଥନୈତିକ ଶକ୍ତି ଏବେ ବିଶ୍ୱ ରାଜନୀତିରେ ମଧ୍ୟ ପ୍ରଭାବ ପକାଉଛି। ବିଶ୍ୱ ଉତ୍ପାଦନର ପ୍ରାୟ ଏକ-ତୃତୀୟାଂଶ ଚୀନ ସହ ଜଡ଼ିତ ବୋଲି ସେ କହିଛନ୍ତି।

ଆମେରିକା ଓ ଚୀନ ମଧ୍ୟରେ ଏବେ ତୀବ୍ର ପ୍ରତିଯୋଗିତା ଚାଲିଛି। ଏହି ପ୍ରତିଯୋଗିତା କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ। ବିଭିନ୍ନ ଦେଶ ନିଜ ପାଖରେ ଥିବା ଅର୍ଥନୈତିକ, ରଣନୈତିକ ଓ ଅନ୍ୟାନ୍ୟ ପ୍ରଭାବକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି ବୋଲି ଜୟଶଙ୍କର କହିଛନ୍ତି।

ସେହିପରି ମଧ୍ୟମ ଶକ୍ତି ବା ମିଡିଲ ପାୱାର କଣ୍ଟ୍ରି ବିଷୟରେ ଜୟଶଙ୍କର କହିଛନ୍ତି ଯେ ଉଦୀୟମାନ ଓ ମଧ୍ୟମ ଶକ୍ତିର ଦେଶଗୁଡ଼ିକ ଏବେ ନିଜ ସ୍ୱାର୍ଥ ପ୍ରତି ଅଧିକ ସଚେତନ ହୋଇଛନ୍ତି। ସେମାନେ ନିଜ କ୍ଷମତା ବଢ଼ାଇ ଅଧିକ ଆତ୍ମନିର୍ଭର ହେବାକୁ ଚାହୁଁଛନ୍ତି। ଭାରତରେ ପ୍ରଚଳିତ ‘ଆତ୍ମନିର୍ଭର’ ଧାରଣାକୁ ଉଦାହରଣ ଦେଇ ସେ କହିଛନ୍ତି ଯେ ଅନେକ ଦେଶ ଏବେ ନିଜ ଅର୍ଥନୀତି, ସୁରକ୍ଷା ଓ ଯୋଗାଣ ବ୍ୟବସ୍ଥାକୁ ଅନ୍ୟ ଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳ ନକରିବାକୁ ଚେଷ୍ଟା କରୁଛନ୍ତି।

ଏଥିପାଇଁ ଦେଶଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ‘ଡାଇଭର୍ସିଫିକେସନ୍’ ଓ ‘ଡି-ରିସ୍କିଂ’ ନୀତି ଆପଣାଉଛନ୍ତି। ଅର୍ଥାତ୍ ଗୋଟିଏ ଦେଶ କିମ୍ବା ଗୋଟିଏ ଉତ୍ସ ଉପରେ ଅତ୍ୟଧିକ ନିର୍ଭର ନକରି ବିକଳ୍ପ ବ୍ୟବସ୍ଥା ତିଆରି କରାଯାଉଛି।

ସମସ୍ତ ପ୍ରସଙ୍ଗରେ ଏକମତ ହେବା ଜରୁରୀ ନୁହେଁ

ଜୟଶଙ୍କର କହିଛନ୍ତି, ଦୁଇଟି ଦେଶ ମଧ୍ୟରେ ସହଯୋଗ ପାଇଁ ପ୍ରତ୍ୟେକ ପ୍ରସଙ୍ଗରେ ଏକାଭିମତ ହେବା ଆବଶ୍ୟକ ନାହିଁ। ଯଦି କିଛି ମୁଖ୍ୟ କ୍ଷେତ୍ରରେ ସାଧାରଣ ସ୍ୱାର୍ଥ ରହିଛି, ତେବେ ଦେଶଗୁଡ଼ିକ ଏକାଠି କାମ କରିପାରିବେ।

ତାଙ୍କ ମତରେ, ବର୍ତ୍ତମାନ ସମୟରେ ‘ସମ୍ପୂର୍ଣ୍ଣ ଏକମତ’ ଅପେକ୍ଷା ‘ଯୁକ୍ତିସଙ୍ଗତ ସମନ୍ୱୟ’ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯେତିକି କ୍ଷେତ୍ରରେ ଦୁଇ ଦେଶର ସ୍ୱାର୍ଥ ମିଳୁଛି, ସେହି କ୍ଷେତ୍ରରେ ସହଯୋଗ କରିବା ହିଁ ଆଗାମୀ ଦିନର ନୂଆ ବିଶ୍ୱ ବ୍ୟବସ୍ଥାର ଆଧାର ହେବ।

କ୍ୱାଡ୍ ଓ ବ୍ରିକ୍ସ ନୂଆ ସହଯୋଗର ଉଦାହରଣ

ଜୟଶଙ୍କର କହିଛନ୍ତି, ଉଦୀୟମାନ ଓ ମଧ୍ୟମ ଶକ୍ତିଗୁଡ଼ିକ ଆମେରିକା ଓ ଚୀନ ସହ ସମ୍ପର୍କ ରଖିବା ସହ ନିଜ ମଧ୍ୟରେ ମଧ୍ୟ ସହଯୋଗ କରୁଛନ୍ତି। ଏହାର ଉଦାହରଣ ଭାବେ ସେ କ୍ୱାଡ୍ ଓ ବ୍ରିକ୍ସକୁ ଉଲ୍ଲେଖ କରିଛନ୍ତି।

ଯୋଗାଯୋଗ କ୍ଷେତ୍ରରେ ଇଣ୍ଡିଆ-ମିଡିଲ୍ ଇଷ୍ଟ-ୟୁରୋପ୍ ଇକୋନୋମିକ୍ କରିଡର୍ (IMEC), ଇଣ୍ଟରନ୍ୟାସନାଲ୍ ନର୍ଥ-ସାଉଥ୍ ଟ୍ରାନ୍ସପୋର୍ଟ କରିଡର୍ (INSTC) ଓ ନର୍ଦର୍ନ ସି ରୁଟ୍ ଭଳି ପ୍ରକଳ୍ପଗୁଡ଼ିକ ମଧ୍ୟ ନୂଆ ସହଯୋଗର ଉଦାହରଣ ବୋଲି ସେ କହିଛନ୍ତି।

ବ୍ରିକ୍ସ ସମ୍ପର୍କରେ ଜୟଶଙ୍କର କହିଛନ୍ତି ଯେ, ଏକାଠି ହେଲେ ବିଭିନ୍ନ ଦେଶର ସାମୂହିକ ସ୍ୱର ଅଧିକ ଶକ୍ତିଶାଳୀ ହୁଏ। ଏହା ସହିତ ଭାରତର ନେତୃତ୍ୱରେ ଗଠିତ ଇଣ୍ଟରନ୍ୟାସନାଲ୍ ସୋଲାର ଆଲାଏନ୍ସ ଓ କୋଆଲିସନ୍ ଫର୍ ଡିଜାଷ୍ଟର ରେଜିଲିଏଣ୍ଟ ଇନ୍ଫ୍ରାଷ୍ଟ୍ରକ୍ଚର୍କୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ନୂଆ ବିଶ୍ୱ ବ୍ୟବସ୍ଥା ଗଠନ ହେଉଛି

ଜୟଶଙ୍କରଙ୍କ ମତରେ, ବର୍ତ୍ତମାନ ବିଶ୍ୱରେ ଦେଶଗୁଡ଼ିକ ନିଜ ଆବଶ୍ୟକତା ଓ ସ୍ୱାର୍ଥ ଅନୁଯାୟୀ ନୂଆ ମିଳିତ ବ୍ୟବସ୍ଥା ଗଠନ କରୁଛନ୍ତି। ସେମାନେ ନୂଆ ଏଜେଣ୍ଡା ତିଆରି କରୁଛନ୍ତି, ସଂଗଠନ ଗଠନ କରୁଛନ୍ତି ଏବଂ ସହଯୋଗର ନୂଆ ପରମ୍ପରା ବିକଶିତ କରୁଛନ୍ତି।

ତାଙ୍କ ଅନୁସାରେ, ଡି-ରିସ୍କିଂ, ଡାଇଭର୍ସିଫିକେସନ୍ ଓ ହେଜିଂ ଭଳି ରଣନୀତି ମାଧ୍ୟମରେ ଧୀରେ ଧୀରେ ଏକ ନୂଆ ବିଶ୍ୱ ବ୍ୟବସ୍ଥା ଆକାର ନେଉଛି। ଏହି ବ୍ୟବସ୍ଥାରେ ଦେଶଗୁଡ଼ିକ ସ୍ଥାୟୀ ଭାବରେ ଗୋଟିଏ ଶିବିରରେ ରହିବା ପରିବର୍ତ୍ତେ, ଯେଉଁ କ୍ଷେତ୍ରରେ ସ୍ୱାର୍ଥ ମିଳୁଛି ସେଠାରେ ସହଯୋଗ କରିବେ।