ଭୁବନେଶ୍ୱର: ଦ୍ରୁତ ଗତିରେ ବୟସ୍କ ହେଉଛି ଓଡ଼ିଶା ତରୁଣଙ୍କ ସଂଖ୍ୟା ହ୍ରାସ ପାଉଛି, ବୟସ୍କ ବଢୁଛନ୍ତି । ଅଳ୍ପକିଛି ବର୍ଷ ଭିତରେ ଓଡ଼ିଶା ତରୁଣ ରାଜ୍ୟ ମାନ୍ୟତା ହରାଇବାକୁ ଯାଉଛି । ରାଜ୍ୟ ଜନସଂଖ୍ୟାରେ ଏକ ନିରବ ପରିବର୍ତ୍ତନ ଚାଲିଛି । ଯାହା ଜଣାପଡୁନଥିଲେ ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ ଭାରତୀୟ ଯେ ୨୦୩୧ ସୁଦ୍ଧା ଓଡ଼ିଶା ବୟସ୍କ ରାଜ୍ୟବର୍ଗରେ ସାମିଲ ହୋଇଯିବ। ରାଜ୍ୟର ମୋଟ୍ ଜନସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ଭାଗ ୧୫ ପ୍ରତିଶତକୁ ବୃଦ୍ଧି ପାଇବ।

୨୦୩୬ ସୁଦ୍ଧା ସେହି ହାର ୧୭ ପ୍ରତିଶତରେ ପହଞ୍ଚିଯିବ। ଜନସଂଖ୍ୟାରେ ତରୁଣ ବା ଅଳ୍ପ ବୟସ୍କଙ୍କ ସଂଖ୍ୟା ଅଧିକ ଥିଲେ ତାହା ଅର୍ଥନୈତିକ ଦୃଷ୍ଟିକୋଣରୁ ଲାଭଦାୟକ ବୋଲି ବିଚାର କରାଯାଏ। ସେମାନେ କାମ କରିବାକୁ ସକ୍ଷମ ଥାଆନ୍ତି, ଯାହା ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହୋଇଥାଏ ଓ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିଥାଏ। ବୟସ୍କ ଲୋକଙ୍କ ସଂଖ୍ୟାବୃଦ୍ଧିର ଅର୍ଥ ହେଉଛି ଚିକିତ୍ସା, ଔଷଧ, ଡାକ୍ତରୀ ପରାମର୍ଶ ବାବଦରେ ଅଧିକ ଖର୍ଚ୍ଚ।

ସେମାନଙ୍କ ଦେଖାଶୁଣା ପାଇଁ ଅଧିକ ସହାୟକ ଆବଶ୍ୟକ। ଜାତୀୟ ହାରଠାରୁ ଅଧିକ ବେଗରେ ବଢୁଥିବା ଓଡ଼ିଶା ବୟସ୍କବର୍ଗରେ ସାମିଲ ହେବା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ ୨୦୧୧ରେ ଓଡ଼ିଶାର ମୋଟ୍ ଜନସଂଖ୍ୟାରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଭାଗ ୯.୩ ପ୍ରତିଶତ ଥିଲା। ୨୦୧୬ ସୁଦ୍ଧା ତାହା ୧୦.୩ ପ୍ରତିଶତ, ୨୦୨୧ରେ ୧୧.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଏହି ହାର ୧୩ ପ୍ରତିଶତ ହୋଇଯିବ ୨୦୩୧ ଓ ୨୦୩୬ରେ ଯଥାକ୍ରମେ ୧୫ ପ୍ରତିଶତ ଓ ୧୭ ପ୍ରତିଶତକୁ ବୃଦ୍ଧି ପାଇବ।

ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ସଂଜ୍ଞା ଅନୁସାରେ ଯେଉଁ ରାଜ୍ୟର ମୋଟ୍ ଜନସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ଭାଗ ୧୪ ପ୍ରତିଶତରେ ପହଞ୍ଚିଯିବ ସେମାନଙ୍କୁ ‘ବୟସ୍କ’ ବିଚାର କରାଯିବ। ସେହି ସଂଜ୍ଞା ଅନୁସାରେ ୨୦୩୧ ବେଳକୁ କେରଳ, ତାମିଲନାଡୁ, ହିମାଚଳପ୍ରଦେଶ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଓଡ଼ିଶା ଓ କର୍ଣ୍ଣାଟକ ବୟସ୍କ ହୋଇଯିବେ। ୨୦୩୬ ବେଳକୁ ଗୁଜରାଟ ଏବଂ ଜମ୍ମୁ ଓ କାଶ୍ମୀର ମଧ୍ୟ ସେହି ବର୍ଗରେ ଯୋଡ଼ି ହୋଇଯିବେ ।

ଏହି ରିପୋର୍ଟ ସମ୍ପର୍କରେ ମତ ରଖି ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ କହିଛନ୍ତି ଯେ ୨୦୧୧ ପରଠାରୁ ରାଜ୍ୟରେ ପ୍ରଜନନ ହାର କମିଚାଲିଛି। ଜନଗଣନା ହୋଇନଥିବାରୁ ତାହା ଜଣାପଡୁନାହିଁ। ଛୋଟ ପିଲାଙ୍କ ସଂଖ୍ୟା କମୁଛି । ବର୍ତ୍ତମାନ ୬୫ ପ୍ରତିଶତ ଓଡ଼ିଆ ହେଉଛନ୍ତି ଯୁବକ । ସେମାନଙ୍କ ଉପରେ ପରିବାର ଓ ରାଜ୍ୟର ଅର୍ଥନୀତି ନିର୍ଭର କରୁଛି। ୨୦୩୧ ବେଳକୁ ସେମାନେ ବୟସ୍କ ହୋଇଯିବେ। ତେଣୁ ଭବିଷ୍ୟତରେ ଦେଖାଦେବାକୁ ଥିବା ଆହ୍ବାନକୁ ସାମନା କରିବା ଲାଗି ସେମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ଆମ ପାଖରେ ମାତ୍ର ୫ ବର୍ଷ ସମୟ ରହିଛି।

ଯୁବପିଢ଼ିଙ୍କ ଉତ୍ପାଦକତା ବଢ଼ାଇବା ପାଇଁ ସେମାନଙ୍କ ଦକ୍ଷତା ବିକାଶ ସହ ନିଯୁକ୍ତି ଜରୁରୀ। ସେଥିପାଇଁ ନୀତି ନିର୍ଦ୍ଧାରକମାନଙ୍କୁ ଏବେଠାରୁ ପ୍ରସ୍ତୁତ ହେବାକୁ ପଡ଼ିବ। ଅନ୍ୟ ଏକ ରିପୋର୍ଟ ଅନୁସାରେ ସାଢ଼େ ଚାରି କୋଟି ଜନସଂଖ୍ୟାବିଶିଷ୍ଟ ଓଡ଼ିଶାରେ ୨୦୧୧ରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୩୯.୮ ଲକ୍ଷ ଥିଲା। ୨୦୩୧ ସୁଦ୍ଧା ସେହି ସଂଖ୍ୟା ୭୧ ଲକ୍ଷକୁ ବୃଦ୍ଧି ପାଇବ। ସେଥିରେ ମହିଳା ବରିଷ୍ଠ ନାଗରିକ ସଂଖ୍ୟା ୩୭.୧୪ ଲକ୍ଷ ଓ ପୁରୁଷ ସଂଖ୍ୟା ୩୩.୮୬ ଲକ୍ଷ ରହିବ ବୋଲି ଆକଳନ କରାଯାଇଥିଲା । ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳା ବରିଷ୍ଠ ନାଗରିକ ଅଧିକ ରହିଛନ୍ତି।