ନୂଆଦିଲ୍ଲୀ, ୧୩/୧୦ : ଦରଦାମ୍ ଚାପରେ ଅଣନିଃଶ୍ଵାସୀ ଖାଉଟି। ଯଦି ଓଡ଼ିଶା କଥା କୁହାଯାଏ ତା’ହେଲେ ଏହା ଏବେ ଦେଶର ଦ୍ଵିତୀୟ ମହଙ୍ଗା ବଜାର। ଅର୍ଥାତ୍ ଦେଶର ଅନ୍ୟାନ୍ୟ ପ୍ରାନ୍ତ ତୁଳନାରେ ରାଜ୍ୟବାସୀ ବିଭିନ୍ନ ସାମଗ୍ରୀ ଏବଂ ସେବା ପାଇଁ ଅଧିକ ଟଙ୍କା ଗଣୁଛନ୍ତି। ଗତ ସେପ୍ଟେମ୍ବର ମାସରେ ରାଜ୍ୟରେ ଖୁଚୁରା ମୁଦ୍ରାସ୍ଫିତି ୬% ପାର୍ କରି ୬.୭୦% ଛୁଇଁଛି। ଏହା ଜାତୀୟ ହାରାହାରି ୫.୫୪% ତୁଳନାରେ ୧.୧୬% ଅଧିକ।

ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ଵୟନ ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି ତଥ୍ୟ ଅନୁସାରେ, ଗ୍ରାମୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ଗ୍ରାମାଞ୍ଚଳରେ ଦରଦାମ ବୃଦ୍ଧି ସ୍ତର ୭.୦୭% ରହିଛି। ଦେଶର ଅନ୍ୟ ପ୍ରାନ୍ତଗୁଡ଼ିକ ତୁଳନାରେ ଗ୍ରାମୀଣ ଓଡ଼ିଶାରେ ଲୋକଙ୍କ ଉପରେ ଚାପ ଅଧିକ ରହିଛି। ଅନ୍ୟପକ୍ଷରେ, ସହରାଞ୍ଚଳ ଓଡ଼ିଶାରେ ମୁଦ୍ରାସ୍ଫିତି ୫.୨୩% ରହିଛି। ରାଜ୍ୟ ସ୍ତରରେ ତାମିଲନାଡୁରେ ମୁଦ୍ରାସ୍ଫିତି ହାର ସବୁଠୁ ଅଧିକ ୬.୮୧% ରହିଛି। ୬.୭୦% ସହିତ ଓଡ଼ିଶା ଦ୍ଵିତୀୟ ସ୍ଥାନରେ, ୬.୬୮% ସହିତ ମଧ୍ୟ ପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ତେଲଙ୍ଗାନାରେ ଏହା ୬.୬୪% ଏବଂ ଆନ୍ଧ୍ରପ୍ରଦେଶରେ ୬.୨୯% ରହିଛି।

ପ୍ରକାଶଯୋଗ୍ୟ, ଅଗଷ୍ଟରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫିତି ୫.୫% ଥିଲା । ସେପ୍ଟେମ୍ବରରେ ଏଥିରେ ୧.୨% ବୃଦ୍ଧି ଘଟିଛି। ଅର୍ଥାତ ମାସକୁ ମାସ ଦରଦାମ୍ ସ୍ଥିତି ଏଠାରେ ଉତ୍କଟ ହୋଇଚାଲିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ତଥ୍ୟ ଅନୁସାରେ, ଖାଦ୍ୟ ଦର ବୃଦ୍ଧି ଯୋଗୁ ସେପ୍ଟେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫିତି ୫.୫୪%କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ରେକର୍ଡ ହୋଇଥିବା ଏହା ସର୍ବୋଚ୍ଚ ଦରଦାମ୍ ବୃଦ୍ଧି ହାର। ଅଗଷ୍ଟରେ ଏହା ୪.୮୩% ଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫିତି ମୁକାବିଲା ପାଇଁ ରେପୋରେଟକୁ ୨୫ ବେସିସ୍ ପଏଣ୍ଟ ବଢ଼ାଇବାର ମାତ୍ର କେଇ ଦିନ ପରେ ମୁଦ୍ରାସ୍ଫିତି ଅଙ୍କ ପ୍ରକାଶ ପାଇଛି। ନୂଆ ସିପିଆଇ ସିରିଜରେ ପ୍ରଥମ ଥର ପାଇଁ ଖୁଚୁରା ମୁଦ୍ରାସ୍ଫିତି ୫% ପାର କରିଛି।

Also Read :- ଠାକୁରଙ୍କ ମଙ୍ଗଳ ଆଳତୀ ବେଳେ ଘଟିଲା ଅଘଟଣ, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍

ସରକାରୀ ତଥ୍ୟ ଅନୁସାରେ, ମାସରେ ଖାଦ୍ୟ ମୁଦ୍ରାସ୍ଫିତି ୭.୭୪%କୁ ବଢ଼ିଛି, ଯାହାକି ଅଗଷ୍ଟରେ ଥିଲା ୫.୯୭% । ଖାଦ୍ୟ ଏବଂ ପାନୀୟ କ୍ଷେତ୍ରରେ ଦରଦାମ୍ ବୃଦ୍ଧି ହାର ୭.୩୬% ରହିଛି। ପିଆଜ, ଅଦା, ରସୁଣ ଏବଂ ଲେମ୍ବୁ ଆଦି ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫିତି ହାର ଅଧିକ ରହିଛି। ପରିବହନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ସାମଗ୍ରୀ ଓ ସେବା ଆଦି ମହଙ୍ଗା ହୋଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦରଦାମ ବୃଦ୍ଧି ଉତ୍କଟ ରହିଛି। ଗ୍ରାମୀଣ ଏବଂ ସହରାଞ୍ଚଳ ଭାରତରେ ଏହା ଯଥାକ୍ରମେ ୬.୦୮% ଏବଂ ୪.୮୮% ରହିଛି।