ଭୁବନେଶ୍ୱର ୦୭।୦୬ : ଭୀଷଣ ତାତି, ସାଂଘାତିକ ଗୁଳୁଗୁଳି। ନୟାନ୍ତ କରିଦେଲାଣି। ଜନଜୀବନ ପୂରା ଅସ୍ତବ୍ୟସ୍ତ । ମଝିରେ ମଝିରେ କାଳବୈଶାଖୀ ବର୍ଷା ହେଉଛି। ପୁଣି ସକାଳୁ ତାତି ପ୍ରକୋପ। ଏ ସ୍ଥିତି ଏବେ ଆହୁରି କିଛିଦିନ ରହିବ । ଏହା ଭିତରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି ) ଶନିବାର ଓଡ଼ିଶା ପାଇଁ ମୌସୁମୀ ଆଗମନର ସମ୍ଭାବ୍ୟ ତାରିଖ ଆକଳନ କରିଛି । ଅନୁମାନ କରାଯାଉଛି, ଆସନ୍ତା ୬ରୁ ୮ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ। ବର୍ତ୍ତମାନ ସ୍ଥିତିରେ ତାତି ଆହୁରି ୨-୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ଆସନ୍ତା ୩ ଦିନ ଭିତରେ। ତା’ପରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ନିୟମିତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି।

ଶନିବାର ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା। ବୌଦ୍ଧ ତାପମାତ୍ରା ୪୧.୯ ଡିଗ୍ରୀ, ଟିଟିଲାଗଡ଼ ୪୧.୭, ନୟାଗଡ଼ ୪୧.୫, ଭବାନୀପାଟଣା ୪୧.୫, ତାଳଚେର ୪୧, ବଲାଙ୍ଗିର ୪୦.୮, ଭୁବନେଶ୍ୱର ୪୦.୭, ସମ୍ବଲପୁର ୪୦.୬, ସୋନପୁର ୪୦.୪, ଢେଙ୍କାନାଳ ୪୦.୩ ଡିଗ୍ରୀ ଥିଲା। ଅନେକ ଜାଗାରେ ପାରଦ ୩୭ରୁ ୩୯ ଡିଗ୍ରୀ ଭିତରେ ରହିଥିଲା। ଭୁବନେଶ୍ୱରରେ ସକାଳୁ ଆରମ୍ଭ ହୋଇଯାଇଥିଲା ତାତି ପ୍ରକୋପ। ସକାଳ ସାଢ଼େ ୫ଟାରୁ ତାପମାତ୍ରା ୩୦.୮ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୮୭% ଥିଲା । ଅନୁଭୂତ ହେଉଥିଲା ୪୭ ଡିଗ୍ରୀ ଭଳି ଗରମ। ସାଢ଼େ ୮ଟାରେ ପାରଦ ୩୩ ଡିଗ୍ରୀ ଛୁଇଁ ସାରିଥିଲା ।

ଦିନ ସାଢ଼େ ୧୧ଟାବେଳକୁ ଭୁବନେଶ୍ୱର ତାପମାତ୍ରା ଥିଲା ୩୮ ଡିଗ୍ରୀ ଓ ଆର୍ଦ୍ରତା ୫୧% । ୪୯ ଡିଗ୍ରୀ ତାତି ଭଳି ଅନୁଭବ ହେଉଥିଲା। ଗରମରେ ଛଟଛଟ ହୋଇଯାଇଥିଲେ ଲୋକେ। ପଦାରେ ଥିବା ଲୋକେ ଗରମରେ ସିଝି ଯାଇଥିଲେ। ଅପରାହ୍ନରେ ଭୁବନେଶ୍ୱରରେ କାଳବୈଶାଖୀ କୋପ ଦେଖାଇଥିଲା। ବର୍ଷା ସାଙ୍ଗକୁ ଭୟାନକ ପବନରେ ବ୍ୟାପକ ଗଛ, ଖୁଣ୍ଟି ଉପୁଡ଼ି ପଡ଼ିଥିଲା। ପବନ ବର୍ଷା ପରେ ଭୁବନେଶ୍ୱର ତାପମାତ୍ରା ୪୦ରୁ ୨୬ ଡିଗ୍ରୀକୁ ଖସି ଯାଇଥିଲା। ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ, ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହାସହିତ କାଳବୈଶାଖୀ ବିଭିନ୍ନ ସ୍ଥାନରେ ହୋଇପାରେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ଉତ୍ତର ପଶ୍ଚିମରୁ ଗରମ ପବନ ଆସିପାରେ। ୧୧/୧୨ ତାରିଖ ପର୍ଯ୍ୟନ୍ତ ଗରମ ରହିପାରେ । ୧୪-୧୫ ତାରିଖବେଳକୁ ରାଜ୍ୟରେ ମୌସୁମୀ ଆଗମନ କରିପାରେ । ତେବେ ଉପକୂଳ ଓଡ଼ିଶାରେ ୯ ତାରିଖ ପରଠାରୁ ଗରମ କମିପାରେ।