ଭୁବନେଶ୍ବର ୧୪।୫: ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏବେ ଦେଖାଦେଇଛି ତେଲ ସଙ୍କଟ । ଅନେକ ଟାଙ୍କିରେ ପେଟ୍ରୋଲ ନଥିବାରୁ ଲାଗିଛି ନୋ ଷ୍ଟକ୍‌ ବୋର୍ଡ଼ । ଆଉ ଯେଉଁଠି ପେଟ୍ରୋଲ ଅଛି ସେଠି ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍‌ । ଆଗକୁ କାଳେ ତେଲ ମିଳିବନି, ତେଲ ଦର ବଢ଼ିଯିବ, ସେଇ ଆଶଙ୍କାରେ ଅନେକ ଜାଗାରେ ଲୋକେ ଅଧିକ ମାତ୍ରାରେ ପେଟ୍ରୋଲ ନେଉଥିବାରୁ ଟାଙ୍କି ଗୁଡ଼ିକରେ ଷ୍ଟକ୍‌ ସରିଯାଉଛି । ହଠାତ୍‌ ପେଟ୍ରୋଲ କିଣିବା ପରିମାଣ ୫୦ ପ୍ରତିଶତ ବଢ଼ିଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ପେଟ୍ରୋଲ ଡିଜେଲ୍‌ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ । ହେଲେ ଲୋକେ ତେଲ ନମିଳିବା ଆଶଙ୍କାରେ ତେଲ ଟାଙ୍କି ଖାଲି କରିଦେଉଛନ୍ତି । ଗ୍ୟାସ୍ ପାଇଁ ଯେଭଳି ହୋ-ହଲ୍ଲା ଚାଲିଥିଲା, ଠିକ୍‌ ସେମିତି ଏବେ ପେଟ୍ରୋଲ ଡିଜେଲ ପାଇଁ ହୋ-ହଲ୍ଲା ଚାଲିଛି । ଗ୍ୟାସ୍‌ ଭଳି ଖୁବ୍‌ ଶୀଘ୍ର ତେଲ ସମସ୍ୟା ଦୂର ହେବ ବୋଲି କହିଛନ୍ତି ସରକାର । ଯୋଗାଣ ବିଭାଗ ପ୍ରମୁଖ ସଚିବ ସଂଜୟ ସିଂ କହିଛନ୍ତି, ଲୋକେ ଛାନିଆ ହୋଇ ତେଲ କିଣନ୍ତୁନି । ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ୍‌ ଅଛି । ରାଜ୍ୟରେ ଥିବା ୨୮ଶହ ପେଟ୍ରୋଲ ପମ୍ପ ମଧ୍ୟରୁ ମାତ୍ର ୨୦ରୁ ୩୦ ଟାଙ୍କିରେ ତେଲ ସରିଯାଇଛି । କିଛି ପେଟ୍ରୋଲ ପମ୍ପ ମାଲିକ ଟଙ୍କା ଡିପୋଜିଟ୍‌ କରୁନଥିବାରୁ ସେମାନଙ୍କୁ ତେଲ ମିଳିନଥିବ । ଖୁବ୍‌ ଶୀଘ୍ର ରାଜ୍ୟର ସମସ୍ତ ଟାଙ୍କିରେ ତେଲ ପହଞ୍ଚିବ । ଯେଉଁମାନେ ତେଲର କଳାବଜାରୀ କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଯୋଗାଣ ସଚିବ ।

Also Read:- ତୈଳ ସଙ୍କଟ ଲାଗିରହିଲେ ବସ୍ ଚଳାଚଳ ବନ୍ଦ ହେବ, ସରକାରଙ୍କ ସହ ଆଲୋଚନା ପରେ ସଂଘ ନେବ ନିଷ୍ପତ୍ତି

ସେପଟେ ପେଟ୍ରୋଲ-ଡିଜେଲ ଅଭାବ ସ୍ଥିତିକୁ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଂଜୟ ଲାଠ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଡିଜେଲ ମହଜୁଦ୍‌ ଅଛି । କିଛି ସ୍ଥାନରେ ଲୋକେ ଅଧିକ ମାତ୍ରାରେ ତେଲ କିଣିବା ଯୋଗୁଁ ତେଲ ଟାଙ୍କିରୁ ତେଲ ସରିଯାଇଛି । ଟିକେ ସମୟ ଦେଲେ ସେସବୁ ଟାଙ୍କିରେ ତେଲ ପହଞ୍ଚିଯିବ ।