କେନ୍ଦୁଝର ୨୩।୬: ଟଙ୍କା ପାଇଁ ବ୍ୟାଙ୍କକୁ କଙ୍କାଳ ନେବା ଘଟଣା । କେନ୍ଦୁଝରର ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ । ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ସୁଶାନ୍ତ ସେଠୀ ନିଲମ୍ବିତ । ଏହି ଘଟଣାରେ ସମ୍ପୃକ୍ତ ବ୍ରାଞ୍ଚ ମ୍ୟାନେଜରଙ୍କୁ ନିଲମ୍ବନ କରାଯିବା ସହ ପୀଡ଼ିତ ପରିବାରର କ୍ଲେମ ସେଟଲମେଣ୍ଟ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ପ୍ରଶାସନର ସହାୟତାରେ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ ହେବା ପରେ, ମୃତ ଆକାଉଣ୍ଟଧାରୀଙ୍କ ଜମା ରାଶି ୧୯ ହଜାର ୪୦୨ ଟଙ୍କା ତାଙ୍କ ଆଇନଗତ ଉତ୍ତରାଧିକାରୀ ଜିତୁ ମୁଣ୍ଡା ଓ ଅନ୍ୟ ଦୁଇ ଜଣଙ୍କ ସପକ୍ଷରେ ପ୍ରଦାନ କରାଯାଇଛି ।

ଏହାସହ ଗ୍ରାହକମାନଙ୍କୁ ସ୍ୱଚ୍ଛ ଓ ସହାନୁଭୂତିପୂର୍ଣ୍ଣ ସେବା ଯୋଗାଇବା ପାଇଁ ବ୍ୟାଙ୍କ ତାର ସମସ୍ତ କ୍ଷେତ୍ରୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛି । କେନ୍ଦ୍ର ଆର୍ଥିକ ସେବା ବିଭାଗ ଦେଶର ସମସ୍ତ ୨୮ଟି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କକୁ କଡ଼ା ନିର୍ଦ୍ଦେଶ ଦେଇଛି । ଗ୍ରାମୀଣ, ଆଦିବାସୀ ଓ ଅବହେଳିତ ବର୍ଗର ଗ୍ରାହକମାନେ ଯେପରି ବ୍ୟାଙ୍କିଙ୍ଗ୍ ସେବା ପାଇବାରେ କୌଣସି ହଇରାଣ ନହୁଅନ୍ତି, ତାହା ନିଶ୍ଚିତ କରିବାକୁ କୁହାଯାଇଛି ।

Also Read:-ଦୁଇ ଦିନ ଧରି ବ୍ୟାଙ୍କ୍ ଲିଙ୍କ୍ ଫେଲ୍, ଘଣ୍ଟା ଘଣ୍ଟା ଅପେକ୍ଷା କରି ଗ୍ରାହକ ହନ୍ତସନ୍ତ

କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳର ଜିତୁ ମୁଣ୍ଡା, ଯିଏ ନିଜ ମୃତ ଭଉଣୀର କଙ୍କାଳକୁ କାନ୍ଧେଇ ଚାଲି ଚାଲି ଶ୍ମଶାନ ନେଇଥିଲେ । ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । ଭଉଣୀର କଙ୍କାଳ ଭାଇ ବୋହିବାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଉଦବେଗଜନକ ଘଟଣାକୁ ତୀବ୍ର ସମାଲୋଚନା କରାଯାଇଥିଲା । ଜିତୁଙ୍କ ଭଉଣୀ ବ୍ୟାଙ୍କ୍‌ରେ ୧୯ ହଜାର ୪୦୨ ଟଙ୍କା ଜମା କରିଥିଲେ । ଭଉଣୀଙ୍କ ମୃତ୍ୟୁ ପରେ ସେହି ଟଙ୍କା ପାଇଁ ସେ ମଲ୍ଲିପସୀ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଯାଇଥିଲେ । ନିୟମ ଅନୁସାରେ ସେ ଖାତାଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ଆଣିବା ପାଇଁ ଜିତୁଙ୍କୁ କହିଥିଲେ । ବ୍ୟାଙ୍କ୍ ବାବୁଙ୍କ ଏଭଳି କଥା ଶୁଣି ସମାଧି ଖୋଳି ୩ କିଲୋମିଟର ଦୂରରୁ ଭଉଣୀଙ୍କ କଙ୍କାଳ ବୋହି ଆଣିଥିଲେ ଜିତୁ ମୁଣ୍ଡା ।