ନୂଆଦିଲ୍ଲୀ: ଓକିଲ ପ୍ରଶାନ୍ତ ଭୂଷଣ, ପଲିଟିକାଲ ଆକ୍ଟିଭିଷ୍ଟ ଯୋଗେନ୍ଦ୍ର ଯାଦବ, ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲଭାସା ଓ ଅର୍ଥଶାସ୍ତ୍ରୀ ଜୟତୀ ଘୋଷଙ୍କ ସମେତ ୩୪ ଜଣ ବିଶିଷ୍ଟ ବ୍ୟକ୍ତି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ସମ୍ବିଧାନ (୧୩୨ତମ ସଂଶୋଧନ) ବିଧେୟକ ସମେତ ୨୦୨୬ ଡିଲିମିଟେସନ (ଦ୍ୱିତୀୟ) ବିଧେୟକକୁ ସେ ପର୍ଯ୍ୟନ୍ତ ଟଳାଯାଉ ଯେଉଁ ପର୍ଯ୍ୟନ୍ତ ଉଭୟ ବିଧେୟକ ଉପରେ ଉପଯୁକ୍ତ ଜନପରାମର୍ଶ ନ ହୋଇଛି।

ଏ ନେଇ ସେମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁଙ୍କୁ ଏକ ପତ୍ର ଲେଖିଛନ୍ତି, ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଲୋକସଭା ୩୦ ନଭେମ୍ବର ସୋମବାର ବସିବାକୁ ଥିବା ବେଳେ ଡ୍ରାଫ୍ଟ ବିଲ୍ ଗୁଡିକ ୨୭ ନଭେମ୍ବର ଗୁରୁବାର ସାର୍ବଜନିକ ହୋଇଛି। ଏଣୁ ବିଲ୍ ଗୁଡିକର ସୁଦୂର ପ୍ରସାରୀ ସାମ୍ବିଧାନିକ ଏବଂ ସାଙ୍ଗଠନିକ ପ୍ରଭାବ ସତ୍ତ୍ୱେ ସାଧାରଣ ଲୋକଙ୍କ ଯାଞ୍ଚ ଓ ମତାମତ ପାଇଁ ସମୟ ମିଳି ନାହିଁ। ସେମାନେ ଲେଖିଛନ୍ତି ଯେ ସପ୍ତାହନ୍ତରେ ୩ ଦିନରୁ କମ୍ ସମୟ ଦିଆଯିବା ଦ୍ୱାରା ନାଗରିକ ଅଥବା ସଂସଦ ସଦ୍ୟମାନଙ୍କ ପାଇଁ କାର୍ଯ୍ୟ ବିଶ୍ଲେଷଣ କରିବା ଏବଂ ସୂଚନାପୂର୍ଣ୍ଣ ଆଲୋଚନାରେ ସାମିଲ ହେବା ପାଇଁ ପ୍ରାୟ ସମୟ ହିଁ ନାହିଁ।

ସେମାନେ ଉଭୟ ଡ୍ରାଫ୍ଟ ବିଲକୁ ଅନୁନ୍ୟ ୩୦ ଦିନ ପାଇଁ ସାର୍ବଜନୀନ ଡୋମେନରେ ରଖିବା ପାଇଁ ଦାବି କରିଛନ୍ତି। କହିଛନ୍ତି ଏହି ବିଲମାନଙ୍କୁ ଉପସ୍ଥାପନ କରିବା ଓ ତା ଉପରେ ବିଚାର କରିବା ପୂର୍ବରୁ ନାଗିରକ, ବିଶେଷଜ୍ଞ ଓ ଅଂଶିଦାରମାନଙ୍କୁ ଏହାର ପ୍ରଭାବ ଦେଖିବା ଲାଗି ସୁଯୋଗ ମିଳିବା ଦରକାର। ସଂଶୋଧିତ ପ୍ରସ୍ତାବଗୁଡିକରେ ପରିବର୍ତ୍ତନକୁ ସ୍ୱୀକାର କରିବା ସହିତ ସ୍ୱାକ୍ଷରକାରୀମାନେ କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ଆସନରେ ୫୦% ବୃଦ୍ଧି ଏବଂ ୨୦୫୧ ପର୍ଯ୍ୟନ୍ତ ରାଜ୍ୟଗୁଡିକ ମଧ୍ୟରେ ଆସନବଣ୍ଟନକୁ ବଜାୟ ରଖିବା ଆଦି ଚିନ୍ତାର ସମାଧାନ ହୋଇ ନାହିଁ।

ଏଥିରେ ସେମାନେ ସୀମା ନିର୍ଦ୍ଧାରଣ କମିଶନରଙ୍କ ସଂସ୍ଥାଗତ ସ୍ୱାଧୀନତା, ଏହାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଏବଂ ଗେରିମାଣ୍ଡରିଂ ଓ ରାଜନୈତିକ କାରଣରୁ ନିର୍ବାଚନମଣ୍ଡଳୀର ସୀମାରେ ପରିବର୍ତ୍ତନ ବିରୋଧରେ ସୁରକ୍ଷା ଉପାୟ ଆଦି ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସେମାନେ ସେହି ନିୟମ ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି ଯାହା କେନ୍ଦ୍ର ସରକାରଙ୍କୁ କମିଶନର ନିଯୁକ୍ତି କରିବା, ନିୟନ୍ତ୍ରଣ କରିବା ଓ ତାଙ୍କ କାର୍ଯ୍ୟକାଳ ନିର୍ଦ୍ଧାରଣ କରିବାର ଅନୁମତି ଦେଉଛି। ସରକାରଙ୍କ ୨୦୧୪ପ୍ରି-ଲେଜିସଲେଟିଭ କନସଲ୍ଟେସନ ପଲିସିର ଉଦାହରଣ ଦେଇ ସ୍ୱାକ୍ଷରକାରୀମାନେ ବିଲ୍ ଗୁଡିକୁ ଇଂରାଜୀ, ହିନ୍ଦୀ ଓ ଅନ୍ୟ ମୁଖ୍ୟ ଆଞ୍ଚଳିକ ଭାଷାରେ ବ୍ୟାଖ୍ୟାମୂଳକ ଟିପ୍ପଣୀ ସହିତ ପ୍ରକାଶିତ କରିବାକୁ ଓ ଅନୁନ୍ୟ ୩୦ ଦିନର କନସଲ୍ଟେସନ ପିରିୟଡ ସହିତ ପ୍ରକାଶନ କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି।

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଦ୍ୱିତୀୟ) ବିଲ୍ ୨୦୨୬ ଅନୁଯାୟୀ ୩ ସଦସ୍ୟ ବିଶିଷ୍ଟ ସୀମା ନିର୍ଦ୍ଧାରଣ କମିଶନ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ କାର୍ଯ୍ୟରତ ଅଥବା ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି, ମୁଖ୍ୟ ନିର୍ବାଚନ କମିଶନର(ସିଇସି) କମ୍ବା ସିଇସିଙ୍କ ଦ୍ୱାରା ମନୋନୀତ ଜଣେ ନିର୍ବାଚନ କମିଶନର ଓ ସମ୍ପୃକ୍ତ ରାଜ୍ୟର ନିର୍ବାଚନ କମିଶନରଙ୍କୁ ନେଇ ଗଠିତ ହେବ। ବିଶିଷ୍ଟ ବ୍ୟକ୍ତିମାନଙ୍କ ଏହି ଚିଠି ଏପରି ସମୟରେ ଆସିଛି ଯେତେବେଳେ ସିଇସି ଜ୍ଞାନେଶ କୁମାର ଇଣ୍ଡିମେଣ୍ଟ ପାର୍ଟି, ସିଭିଲ ସୋସାଇଟି ଗ୍ରୁପସ୍ ଓ ଛାତ୍ରସଙ୍ଗଠନଙ୍କ ପକ୍ଷରୁ ସ୍ପେଶାଲ ଇଣ୍ଟେନସିଭ ରିଭିଜନ ପରିଚାଳନାକୁ ନେଇ କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି।

ବିରୋଧୀ ଦଳ ନେତାମାନେ ନିର୍ବାଚନ ସଂସ୍ଥାର ତ୍ରୁଟି ଓ ଭୋଟର ଲିଷ୍ଟରୁ ବହୁ ସଂଖ୍ୟାରେ ଭୋଟରଙ୍କୁ ବାଦ ଦିଆଯିବାର ଅଭିଯୋଗ କରୁଛନ୍ତି। ଏଥି ପାଇଁ ବିରୋଧୀଦଳମାନେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବା ସହିତ ନିର୍ବାଚନ ଆୟୋଗର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହି ଚିଠିରେ ସ୍ୱାକ୍ଷରକାରୀଙ୍କ ମଧ୍ୟରେ ଟ୍ରାନ୍ସପରେନ୍ସୀ ଆକ୍ଟିଭିଷ୍ଟ ଅଞ୍ଜଳୀ ଭରଦ୍ୱାଜ, ପୂର୍ବତନ ଗୃହସଚିବ ଜି.କେ.ପିଲ୍ଲାଇ, ଦିଲ୍ଲୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ, କଳାକାର ମଲ୍ଲିକା ସାରାଭାଇ, ଐତିହାସିକ ମୃଦୁଲା ମୁଖାର୍ଜୀ, ପ୍ରଫେସର ଜୋୟା ହସନ, ପଲିଟିକାଲ ଥିୟୋରିଷ୍ଟ ରାଜୀବ ଭାର୍ଗଭ, ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅମିତାଭ ପାଣ୍ଡେ, ଆଇଏଫଏସ ଅଫିସର ଗୌତମ ମୁଖପଧ୍ୟାୟ, ଆକାଡେମିକ ୟାମିନୀ ଆୟର, ସାଂସ୍କୃତିକ କାର୍ଯ୍ୟକର୍ତ୍ତା ଗଣେଶ ଦେବୀ ଓ ପୂର୍ବ ସିଭିଲସର୍ଭେଣ୍ଟ ଅଶୋକ ଶର୍ମାଙ୍କ ସମେତ ୩୪ଜଣ ଅଛନ୍ତି।