ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀରେ ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ । ଭୂପେନ ହଜାରିକାଙ୍କ ସ୍ମୃତିଚାରଣ କରି ସେ ତାଙ୍କୁ ଜଣେ ପ୍ରକୃତ ଦେଶଭକ୍ତ ଏବଂ ଜଣେ ମହାନ ରାଷ୍ଟ୍ରବାଦୀ ବୋଲି କହିଥିଲେ । ନିଜ ଭାଷଣରେ ସେ ଆସାମର ସଂସ୍କୃତି ଏବଂ କଳାକାରମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳକୁ ମଧ୍ୟ ଟାର୍ଗେଟ୍ କରିଥିଲେ । ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ସେ ତାଙ୍କୁ କଟାକ୍ଷ କରି କହିଥିଲେ ଯେ କିଛି ଲୋକ ଦେଶର ସଫଳତା ଉପରେ "ନାରାଜ ଫୁଫା" (ଅସନ୍ତୁଷ୍ଟ ପିଇସା) ପରି ଘୂରି ବୁଲୁଛନ୍ତି । ଏପରି ଲୋକଙ୍କ ଭୂପେନ ଦା'ଙ୍କ ଗୀତ ବାରମ୍ବାର ଶୁଣିବା ଦରକାର । ହୁଏତ ସେମାନେ ସଦବୁଦ୍ଧି ଉଦୟ ହେବ ।

‘ବିକଶିତ ଭାରତ’ ଆମ ସମସ୍ତଙ୍କ ସଂକଳ୍ପ

ପ୍ରଧାନମନ୍ତ୍ରୀ ମୋଦୀ ମୋଦୀ କହିଛନ୍ତି, ଭାରତରେ ଭାଷା, ଖାଦ୍ୟପେୟ ଓ ଜୀବନଶୈଳୀ ଭିନ୍ନ ଭିନ୍ନ ହୋଇପାରେ । କିନ୍ତୁ ବିକଶିତ ଭାରତ ଗଠନ କରିବାର ସଂକଳ୍ପ ସମସ୍ତଙ୍କର ଗୋଟିଏ । ତେବେ ପରସ୍ପର ମଧ୍ୟରେ ମତଭେଦ ସୃଷ୍ଟି କରି କ୍ଷମତା ହାସଲ କରିବାକୁ ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ଏଭଳି କଥା ପସନ୍ଦ ଆସେ ନାହିଁ । ସେମାନେ ଭାରତକୁ ଖଣ୍ଡ ଖଣ୍ଡ ଭାବେ ଦେଖନ୍ତି ଏବଂ ଦେଶର ସଫଳତାକୁ ନେଇ ‘ନାରାଜ ଫୁଫା’ଙ୍କ ଭଳି ବୁଲୁଥାଆନ୍ତି ବୋଲି ମୋଦୀ କହିଛନ୍ତି । ସେ ଆହୁରି କହିଛନ୍ତି, ଏଭଳି ‘ନାରାଜ ଫୁଫା’ମାନେ ଭୂପେନ ଦା’ଙ୍କ ଗୀତ ବାରମ୍ବାର ଶୁଣିବା ଦରକାର । ହୁଏତ ସେମାନଙ୍କର ସଦବୁଦ୍ଧି ଉଦୟ ହେବ ।

 

ଭୂପେନ ହଜାରିକାଙ୍କ ସଙ୍ଗୀତ ଓ ଆସାମର ସଂସ୍କୃତିକୁ ପ୍ରଶଂସା

ଭୂପେନ ହଜାରିକାଙ୍କୁ ସ୍ମରଣ କରି ମୋଦୀ କହିଛନ୍ତି, ସେ କେବଳ ଗୀତ ଲେଖୁନଥିଲେ ବରଂ ନିଜ ସଙ୍ଗୀତ ମାଧ୍ୟମରେ ସମାଜକୁ ଏକତ୍ର କରୁଥିଲେ । ୧୯୬୨ ମସିହା ଭାରତ-ଚୀନ୍ ଯୁଦ୍ଧ ସମୟରେ ମଧ୍ୟ ସେ ଯୁବପିଢ଼ିଙ୍କୁ ଦେଶ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆସାମର ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ ମୋଦୀ । ବୋଡୋ ସମ୍ପ୍ରଦାୟର କଳାକାରଙ୍କ ବାଗୁରୁମ୍ବା ନୃତ୍ୟ ଏବଂ ଚା’ ବଗିଚାର କଳାକାରଙ୍କ ଝୁମୁର ନୃତ୍ୟ ଭାରତର ସାଂସ୍କୃତିକ ବିବିଧତାକୁ ବିଶ୍ୱ ସାମ୍ନାରେ ଉପସ୍ଥାପନ କରିଛି ବୋଲି ସେ କହିଥିଲେ ।

ଉଷା ମଙ୍ଗେଶକରଙ୍କୁ ଭୂପେନ ହଜାରିକା ସ୍ମୃତି ପୁରସ୍କାର

ଭୂପେନ ହଜାରିକାଙ୍କ ସ୍ମୃତିରେ ଆସାମ ସରକାର ଏକ ନୂଆ ପୁରସ୍କାର ଆରମ୍ଭ କରିଛନ୍ତି । ଏହି ପୁରସ୍କାରର ପ୍ରଥମ ସମ୍ମାନ ପ୍ରସିଦ୍ଧ ଗାୟିକା ଉଷା ମଙ୍ଗେଶକରଙ୍କୁ ପ୍ରଦାନ କରାଯାଇଛି ।