ସମ୍ବଲପୁର: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟୀ ଶନିବାର ମହାଳୟା ଅବସରରେ ପତ୍ନୀ ଜୟଶ୍ରୀ କମ୍ଭମପାଟୀଙ୍କ ସହ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ମା’ଙ୍କ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ସମୃଦ୍ଧି ଓ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ।

ମହାଳୟା ଅବସରରେ ମା’ ସମଲେଶ୍ୱରୀଙ୍କୁ ପବିତ୍ର ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଥାଏ। ଏହି ବିଶେଷ ବେଶ ଦର୍ଶନ ପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଏହି ମନ୍ଦିର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଆଧ୍ୟାତ୍ମିକ ପୀଠ ଭାବେ ପରିଚିତ।

ଏହା ପୂର୍ବରୁ ରାଜ୍ୟପାଳ ହୀରାକୁଦ ଡ୍ୟାମ୍ ମଧ୍ୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ମହାନଦୀ ଉପରେ ନିର୍ମିତ ବିଶାଳ ହୀରାକୁଦ ବନ୍ଧ ଏବଂ ଏହାର ବିସ୍ତୃତ ଜଳଭଣ୍ଡାରକୁ ଦେଖିଥିଲେ।